ଆଇଆଇସିଙ୍କ ପଥର ଖଣି ଚଢ଼ାଉ, ଟ୍ରାକ୍ଟର ଓ ପାୱାର ଟିଲର ଜବତ, ଜଣେ ଅଟକ
ଫିଲ୍ମ ଷ୍ଟାଇଲିରେ ମିନିଟ୍ରକ ରେ ଯାଇ ଆଇଆଇସିଙ୍କ ପଥର ଖଣି ଚଢ଼ାଉ: ପଥର ବୋଝେଇ ଟ୍ରାକ୍ଟର ଓ ପାୱାର ଟିଲର ଜବତ, ଜଣେ ଅଟକ

ସୋମବାର ରାତି ସାଢେ଼ ୧୧ ଟା ବେଳେ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ରେ ଯୋଗଦାନ କରିଥିବା ନୂଆ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଫିଲ୍ମ ଷ୍ଟାଇଲ ରେ ଗୋଟିଏ ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ାଉ କରି ଅଂଚଳରେ ଚର୍ଚ୍ଚା ବିଷୟ ପାଲଟିଛନ୍ତି। ସୂଚନାଯୋଗ୍ୟ କି ଦୀର୍ଘ ଦିନ ଧରି ଜଂକିଆ ଥାନା ଛଣଗିରି ପଞ୍ଚାୟତ ଦେଉଳି ଅରାଙ୍ଗ ଗ୍ରାମରେ ବେଆଇନ ମାଙ୍କଡ଼ା ପଥର ଖଣି ଚାଲୁଥିବା ବେଳେ ଏଠାରେ ଚୋରାରେ ପଥର କରୁଥିବା ମାଫିଆ ମାନଙ୍କ ଟେର ରାଜସ୍ବ ବିଭାଗ କି ପୋଲିସ ପ୍ରଶାସନ ପାଏନି। ଏହି ମାଫିଆ ମାନଙ୍କର ଗୁପଚର ମାନେ ରାସ୍ତା ସାରା ଜଗି ରହି ଖଣିକୁ ଚଢ଼ାଉ କରିବାକୁ ଯିବା ପୂର୍ବରୁ ଖବର ଦେଇ ସବୁ ବନ୍ଦ କରି ଦେଉଥିଲେ। ଫଳରେ ପ୍ରଶାସନ ହାତରୁ ଏମାନେ ଖସି ଯିବା ରେ ସକ୍ଷମ ହୁଅନ୍ତି।
ସୋମବାର ଦିନ ରାତିରେ ପଥର କଟା ଯାଉଥିବା କୌଣସି ସୂତ୍ରରୁ ଖବର ପାଇ ଥାନା ଆଇଆଇସି ଶ୍ରୀମତୀ କର ଏକ ଯୋଜନାବଦ୍ଧ ଭାବେ ଏକ ୪୦୭ ଗାଡ଼ିରେ ଦୁଇ ଜଣ କର୍ମଚାରୀଙ୍କୁ ନେଇ ଅନ୍ୟ ଏକ ରାସ୍ତାରେ ଯାଇ ଅରାଙ୍ଗ ଠାରେ କାଟ ଯାଉଥିବା ବେଆଇନ ଖଣି ଉପରେ ଚଢ଼ାଉ କରିଥିଲେ। ସେହି ସମୟରେ ସମସ୍ତେ ଖସି ଦଉଡି଼ ପଳାଇଥିଲେ। ପୋଲିସ ପଥର ବୋଝେଇ ଟ୍ରାକ୍ଟର ଓ ଗୋଟିଏ ପାୱାର ଟିଲର ଜବତ କରିଥିବା ସହିତ ନବ କିଶୋର ବେହେରା ନାମକ ଜଣେ ବ୍ୟକ୍ତି କୁ ଅଟକ ରଖି ପଚରାଉଚରା କରୁଛି। ଜଂକିଆ ପୋଲିସର ଏତାଦୃଶ କାର୍ଯ୍ୟ ପାଇଁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି। ପୋଲିସ କେସ ନଂ ୨୩୪/୨୩ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ