ଓଡ଼ିଶାର ଜୀବନରେଖା ମହାନଦୀ ଏବେ ପାଲଟି ଯିବକି ମରୁଭୂମି
ଓଡ଼ିଶାର ଜୀବନରେଖା ପାଲଟିଥିବା ଚିରସ୍ରୋତା ମହାନଦୀର ସାମ୍ପ୍ରତିକ ସ୍ଥିତି ଦେଖିଲେ ଲାଗେ ଯେ କିଛି ବର୍ଷ ମଧ୍ୟରେ ହୁଏତ ମରୂଭୂମି ପାଲଟିଯିବ

ଓଡ଼ିଶାର ଜୀବନରେଖା ପାଲଟିଥିବା ଚିରସ୍ରୋତା ମହାନଦୀର ସାମ୍ପ୍ରତିକ ସ୍ଥିତି ଦେଖିଲେ ଲାଗେ ଯେ କିଛି ବର୍ଷ ମଧ୍ୟରେ ହୁଏତ ମରୂଭୂମି ପାଲଟିଯିବ । ବିଗତ ୧୫ରୁ ୨୦ ବର୍ଷ ମଧ୍ୟରେ କ୍ରମାଗତ ଭାବେ ମହାନଦୀ ଗର୍ଭରେ ଜଳପ୍ରବାହ ହ୍ରାସ ପାଇଚାଲିଛି। ଯାହାକି ମହାନଦୀ ଅବବହିକା ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି।
ନୟାଗଡ଼ ଜିଲ୍ଲାକୁ ମହାନଦୀରୁ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଜଳଯୋଗାଣ ଜାରି ରହିଛି, ଯାହାର ଜଳସଂଗ୍ରହ ଉତ୍ସ ଖଣ୍ତପଡ଼ା ବ୍ଲକ୍ ବଡ଼ବାଣପୁର ଗ୍ରାମ ମହାନଦୀ କୂଳ ନିକଟରେ ରହିଛି। ପୂର୍ବରୁ ସେଠାରେ ଗଭୀର ଜଳରାଶି ରହିଥିବା ବେଳେ ବର୍ତ୍ତମାନ ଇନ୍ଟେକ୍ ୱେଲର ଚତୁର୍ପାର୍ଶ୍ବ ବାଲିଗଦା ପାଲଟିଲାଣି। ଫଳରେ ଆଗାମୀ କିଛି ବର୍ଷ ମଧ୍ୟରେ ଜଳସଂଗ୍ରହରେ ବାଧା ଉପୁଜିବାର ଆଶଙ୍କା ପ୍ରକାଶ ପାଇଛି। ଏହାର ସମାଧାନ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମହାନଦୀ ମୁଖ୍ୟ ଜଳ-ଧାରଠାରୁ ଜଳସଂଗ୍ରହ ଉତ୍ସ ନିକଟକୁ ଅସ୍ଥାୟୀ ନାଳ ଖୋଳା କାର୍ଯ୍ୟ ଜାରି ରହିଛି। ମହାନଦୀର ସମ୍ପ୍ରତିକ ସ୍ଥିତିକୁ ଲକ୍ଷ୍ୟ କରି ସ୍ଥାନୀୟ ବୟସ୍କ ବ୍ୟକ୍ତି ପୂର୍ବରୁ କେବେବି ମହାନଦୀର ଅବସ୍ଥା ଏଭଳି ହୋଇନଥିବା ମତ ଦେଉଛନ୍ତି।
ଉପର ମୁଣ୍ତରେ ଛତିଶଗଡ଼ ମହାନଦୀରେ ପ୍ରକଳ୍ପ ନିର୍ମାଣ କରି ସ୍ବାଭାବିକ ଜଳପ୍ରବାହ ରୋକିବା ତଥା ମହାନଦୀ ଅବବାହିକା ଅଞ୍ଚଳରୁ ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁ ମହାନଦୀ ଏବେ ବାଲିଗଦା ପାଲଟିଛି। କେବଳ ବର୍ଷା ୪ ମାସରୁ ୨ମାସ ପାଖାପାଖି ନଦୀଗର୍ଭ ପୂର୍ଣ୍ଣ ରହୁଥିବାବେଳେ ଗ୍ରୀଷ୍ପ ଋତୁରେ ଏହା ଶୁଷ୍କ ହେବାରେ ଲାଗିଛି। ଦୀର୍ଘଦିନ ହେବ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ମଧ୍ୟରେ ଛନ୍ଦିହୋଇ ରହିଛି। ଯାହାର ସମାଧାନ ବିଳମ୍ବିତ ପ୍ରକ୍ରିୟା। ଟ୍ରିବ୍ୟୁନାଲକୁ ୭ ବର୍ଷ ପୂରିଥିବାବେଳେ ଜଳ ବିବାଦର ସମାଧାନ ରାସ୍ତା ଲମ୍ବିବାରେ ଲାଗିଛି। ଉନ୍ନତ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରାଯାଇ ମହାନଦୀରେ ଭୂତଳ ଜଳସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ନଦୀ ଗର୍ଭରେ ସୃଷ୍ଟି ହୋଇଥିବା ବାଲିଗଦା ଜାଗାରେ ଜଳ ସଂରକ୍ଷଣ କରାଯାଇ ଜଳାଭାବକୁ ଅନେକାଂଶରେ ରୋକାଯାଇପାରନ୍ତା। ସରକାର ମହାନଦୀ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବେଳ ଥାଉ ଥାଉ ପଦକ୍ଷେପ ନ ନେଲେ ଭବିଷ୍ୟତରେ ସାଙ୍ଘାତିକ ଜଳ ସଂକଟ ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।