ପଦ୍ମପୁରବାସୀଙ୍କୁ ପ୍ରତାରଣା: ପ୍ରଦୀପ

ପଦ୍ମପୁରକୁ ଜିଲ୍ଲା ଘୋଷଣା ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିବା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିରୋଧୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି

ପଦ୍ମପୁରବାସୀଙ୍କୁ ପ୍ରତାରଣା: ପ୍ରଦୀପ

ପଦ୍ମପୁରକୁ ଜିଲ୍ଲା ଘୋଷଣା ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିବା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିରୋଧୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଜେପି ନେତା ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଉପନିର୍ବାଚନ ବୈତରଣୀ ପାର ହେବା ପାଇଁ ସେତେବେଳେ ରାଜ୍ୟ ସରକାର ପଦ୍ମପୁରବାସୀଙ୍କୁ ନୂଆ ଜିଲ୍ଲା ଗଠନର ପ୍ରତିଶ୍ରୁତି ଦେଇଥିଲେ । ତେବେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଚାହୁଁନାହାନ୍ତି । ତେଣୁ ନିନ୍ଦା ଓ ଅପବାଦରୁ ମୁକୁଳିବା ପାଇଁ ବାଧ୍ୟ ହୋଇ ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଏଥିସହ ରାଜ୍ୟ ସରକାର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କୁ ପଚାରି ପଦ୍ମପୁରକୁ ଜିଲ୍ଲା ସମ୍ପର୍କରେ ଘୋଷଣା କରିଥିଲେ କି ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବିଜୁ ବାବୁ ୧୩ରୁ ୩୦ ଜିଲ୍ଲା କରିଥିବାବେଳେ ହାଇକୋର୍ଟ ଅଙ୍କୁଶ ଲଗାଇଥିଲେ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଥିବା କହି ଶ୍ରୀ ପୁରୋହିତ ଏହାର ନିନ୍ଦା କରିବା ସହ ଆଗାମୀ ଦିନରେ ଆନେ୍ଦାଳନ ପାଇଁ ଆହ୍ୱାନ ଦେଇଛନ୍ତି । 

ସେହିପରି ବିଜେଡିକୁ ପିସିସି ସଭାପତି ଶରତ ପଟ୍ଟନାୟକ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର କେବଳ ଭୋଟ ପାଇଁ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଉପନିର୍ବାଚନବେଳେ ପ୍ରତିଶ୍ରୁତି ଦେଇ ସରକାର ନିୟମ ଉଲ୍ଲଂଘନ କରିଥିଲେ । ଏବେ ହାଇକୋର୍ଟଙ୍କ ବିନା ଅନୁମତିରେ ଜିଲ୍ଲା ଘୋଷଣା ଯୋଜନା କରୁଥିଲେ । ତେବେ ଏଥିରେ ଅଙ୍କୁଶ ଲାଗିବା ପରେ ଶାସକ ଦଳର ଉଦେ୍ଧଶ୍ୟ କ’ଣ ତାହା ଲୋକେ ଜାଣିସାରିଲେଣି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । 

ପ୍ରକାଶ ଯେ ନୂଆ ଜିଲ୍ଲା ଘୋଷଣା ଉପରେ ଅଙ୍କୁଶ ଲାଗିଛି। ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ।

ଅର୍ଥନୈତିକ ସ୍ଥିତି,ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନ ନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତ୍ତି ହେଉଥିବା ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଏଭଳି ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଏଥିସହ ଏହି ମାମଲାରେ ବିଭିନ୍ନ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି।

ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇପାରିବେ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡାନ୍ତ ଆଦେଶ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ହାଇକୋର୍ଟଙ୍କ ଏହି ଅନ୍ତରୀଣ ନିର୍ଦ୍ଦେଶ ପରେ ପଦ୍ମପୁରକୁ ନୂଆ ଜିଲ୍ଲା ଗଠନ ନେଇ ଝଟକା ଲାଗିଛି। ଶୀତ ଅବକାଶର ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।