ସେମି-ଫାଇନାଲ ପୂର୍ବରୁ ବଢ଼ିଲା ଟେନସନ

ଫ୍ୟାରିସ୍ ଅଲିମ୍ପିକ୍ସ ହକି ସେମି-ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା

ସେମି-ଫାଇନାଲ ପୂର୍ବରୁ ବଢ଼ିଲା ଟେନସନ

ଫ୍ୟାରିସ୍ ଅଲିମ୍ପିକ୍ସ ହକି ସେମି-ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଦଳରୁ ବାଦ୍ ପଡ଼ିଲେ ଷ୍ଟାର୍ ଡିଫେଣ୍ଡର ଅମିତ୍ ରୋହିଦାସ ସସ୍ପେଣ୍ଡ ହୋଇଛନ୍ତି । ଗୋଟିଏ ମ୍ୟାଚ୍ ପାଇଁ ସସ୍ପେଣ୍ଡ ହୋଇଛନ୍ତି ଅର୍ଥାତ୍ ଅଲିମ୍ପିସ୍ ସେମି-ଫାଇନାଲ ମ୍ୟାଚ୍ ଖେଳିବେ ନାହିଁ। ରବିବାର ଟିମ୍ ଇଣ୍ଡିଆ- ଗ୍ରେଟ୍ ବ୍ରିଟେନ୍ ମଧ୍ୟରେ କ୍ବାର୍ଟର ଫାଇନାଲ ମ୍ୟାଚ୍ ହୋଇଥିଲା ।

୧୭ତମ ମିନିଟରେ ଅମ୍ପାୟାର ଅତି ସାଧାରଣ କାରଣକୁ ରେଡ୍ କାର୍ଡ ଦେଖାଇଥିଲେ । ଫଳରେ ସେ ଚୂଡାନ୍ତ ଏକାଦଶରୁ ବାଦ ପଡ଼ିଥିଲେ । ଅବଶିଷ୍ଟ ୪୩ ମିନିଟ୍ ଭାରତୀୟ ଦଳ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା ଏବଂ ସୁଟ୍ଆଉଟ୍ ୧-୧ (୪-୨) ଗୋଲରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଥିଲା ।

ତେବେ ଅମ୍ପାୟାର ଖେଳ ସରିବା ପରେ ଅମିତ୍ ରୋହିଦାସଙ୍କ ରିପୋର୍ଟ ଟେକନିକାଲ କମିଟିକୁ ଦେଇଥିଲେ । ସନ୍ଧ୍ୟାରେ କମିଟି ରିପୋର୍ଟ ବିଶ୍ଳେଷଣ କରି ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକଙ୍କୁ ନିଷ୍ପତ୍ତି ଜଣାଇଥିଲା । ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଅମିତଙ୍କୁ ଗୋଟିଏ ମ୍ୟାଚ୍ ବାସନ୍ଦ କରିଛନ୍ତି । ଫଳରେ ସେ ଆସନ୍ତା ୬ ତାରିଖରେ ହେବାକୁ ଥିବା ସେମି ଫାଇନାଲ ମ୍ୟାଚ୍ ଖେଳି ପାରିବେ ନାହିଁ । ଯାହାକୁ ନେଇ ଚିନ୍ତାରେ ରହିଛି ଭାରତୀୟ ଦଳ । ଅମିତଙ୍କ ବାସନ୍ଦାଦେଶ ହଟାଇକୁ ହକି ଇଣ୍ଡିଆ ଆବେଦନ କରିଛି । ଆବେଦନ କମିଟି ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ । ଜର୍ମାନୀ ସହ ଭାରତ ସେମି ଫାଇନାଲ ମ୍ୟାଚ୍ ଖେଳିବ । ଦଳର ଜଣେ ପ୍ରମୁଖ ଡିଫେଣ୍ଡରଙ୍କ ବିନା ଭାରତ କେମିତି ମଇଦାନକୁ ଓହ୍ଲାଇବ ତାହା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ଆବେଦନ କମିଟି କ’ଣ ନିଷ୍ପତ୍ତି ନେବ ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି ।

ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କହିଛନ୍ତି, ‘ଅମିତ ଜାଣିଶୁଣି କିଛି ଭୁଲ କରି ନଥିଲେ । ଅମ୍ପାୟାର ଏ କଥା ବିଚାର କରିବାର ଥିଲା । କିନ୍ତୁ ସେ ହଠାତ୍ ତାଙ୍କୁ ରେଡ୍ କାର୍ଡ ଦେଲେ । ଫଳରେ ଆମକୁ ଅବଶିଷ୍ଟ ସମୟ ବହୁ କଷ୍ଟରେ ଖେଳିବାକୁ ପଡ଼ିଲା । ଯଦି ଜଣେ ଖେଳାଳି ଜାଣିଶୁଣି ଭୁଲ କରୁଛି, ତେବେ ସେ ଦଣ୍ଡିତ ହେବା କଥା । ମାତ୍ର ଅମିତ ସେମିତି କିଛି ଭୁଲ କରି ନଥିଲେ ।’ କେବଳ ଦିଲ୍ଲୀପ ନୁହଁନ୍ତି ଅନେକ ଏ କଥାକୁ ନାପସନ୍ଦ କରିଛନ୍ତି ।