ଆଜି ପହିଲି ରଜ

ସରିଛି ସଜବାଜ, ଆଜି ପହିଲି ରଜ, କୋଣେ ଅନୁକୋଣେ ମହକିବ ପୋଡ଼ ପିଠା ଓ ରଜ ପାନ ସାଙ୍ଗକୁ ରଜ ଦୋଳି, ଓ ତାସ୍ ଲୁଡୁ ଖେଳ ର ମଜା

ଆଜି ପହିଲି ରଜ

ସରିଛି ସଜବାଜ। ଆଜି ପହିଲି ରଜ। ଓଡ଼ିଶାର ଏହି ପାରମ୍ପରିକ ପର୍ବକୁ ନେଇ ଉତ୍ସବ ମୁଖର ଗାଁଠୁ ସହର। ଚଳଚଞ୍ଚଳ ହୋଇ ଉଠିଛି ରାସ୍ତା ଘାଟ ଆଉ ଦୋକାନ ବଜାର। ତାଛଡା ଆଜି ଏହି ପର୍ବ କେବଳ ଉପକୂଳବର୍ତ୍ତୀ ଓଡ଼ିଶାର ଜିଲ୍ଲା ମାନଙ୍କରେ ସୀମିତ ହୋଇ ରହି ନାହିଁ। ଏଥିରେ ବେଶ୍ ଯୋଡ଼ି ହୋଇ ଯାଇଛି ପଶ୍ଚିମ ଓଡ଼ିଶାର ଗାଁ ଠୁ ସହର, ତେବେ ଖାଲି ଏହା ଯେ ଗ୍ରାମାଞ୍ଚଳ ପରିବେଶ ଉତ୍ସବ ମୁଖର ହୋଇଉଠିଛି ତାହା ନୁହେଁ ରାଜ୍ୟର ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ଅନେକ ପ୍ରମୁଖ ସହର ମଧ୍ୟ ଏହାକୁ ବେଶ୍ ଧୁମ୍ ଧାମ୍ ରେ ପାଳନ କରୁଛନ୍ତି। ଯେଉଁଥିରେ ଏହା ଏକ ପ୍ରମୁଖ ଲୋକ ପର୍ବ ଭାବେ ସହରାଞ୍ଚଳ ବାସିନ୍ଦା ମାନଙ୍କ ମଧ୍ୟରେ ଭିନ୍ନ ପରିବେଶ ସୃଷ୍ଟି କରିଛି। ପୂର୍ବ ଉପକୂଳ ର ବନ୍ଦର ସହର ପାରାଦୀପ ଠାରୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସ୍ମାର୍ଟ ସିଟି ରାଉରକେଲା ପର୍ଯ୍ୟନ୍ତ  ଆବାଳ ବୃଦ୍ଧ ବନିତା ସମସ୍ତେ ଏହି ପର୍ବ ପାଳନ ନେଇ ବେଶ୍ ଚଳ ଚଞ୍ଚଳ।

ପ୍ରତିବର୍ଷ ପରି ଚଳିତ ଥର ରଜ ପର୍ବର ପରମ୍ପରାକୁ ନିଆରା ଢ଼ଙ୍ଗରେ ପାଳନ କରି ଉଜ୍ଜୀବିତ କରି ରଖିବାକୁ ପ୍ରୟାସ ଜାରି ରଖିଛି ସହରର କେତେକ ପ୍ରମୁଖ ସାଂସ୍କୃତିକ,ସାମଜିକ ଓ ମହିଳା ସଙ୍ଗଠନ। ଏଥିପାଇଁ ସଙ୍ଗଠନଗୁଡ଼ିକ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷ କରି ସହର ରହୁଥିବା ଉପକୂଳବର୍ତ୍ତୀ ଓଡ଼ିଶାର ପ୍ରଥମେ ଓଡ଼ିଆ ଘରେ ଚାଲିଛି ରଜସ୍ବ ସ୍ବତନ୍ତ୍ର ଆକର୍ଷଣ ସାଜିଥିବା ପୋଡ ପିଠାର ପ୍ରସ୍ତୁତି। ପୋଡ ପିଠା ସାଙ୍ଗକୁ ପ୍ରସ୍ତୁତି ହେଉଛି କାକରା, ଆରିସା ପିଠା। ପହିଲି ରଜରୁ ଶେଷ ରଜ ପର୍ଯ୍ୟନ୍ତ ସବୁଠି ମହକିବ ପୋଡ ପିଠା, ଆରସି ପିଠା, ରଜ ପାନର ବାସ୍ନା। କେବଳ ସାମାଜିକ, ସାଂସ୍କୃ୍ତିକ ଓ ମହିଳା ସଙ୍ଗଠନ ନୁହନ୍ତି ବରଂ ସହରର ପାନ୍ଥ ନିବାସ ଏବଂ ଅନ୍ୟ କେତେକ ଓଡ଼ିଆ ହୋଟେଲରେ ରଜ ଉତ୍ସବ ଉପଲକ୍ଷେ ହୋଇ ସ୍ବତନ୍ତ୍ର ପୋଡ ପିଠା, ଆରିସା, ଚକୁଳି ଓ ଘୁଘୁନି। ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ହୋଇଛି ସ୍ବତନ୍ତ୍ର ଦୋଳି। ରଜ ଗୀତ ସାଙ୍ଗକୁ ପୋଡ ପିଠା, ରଜ ପାନର ମଜା ଉଠାଇବେ ସହରବାସୀ। ଯେତେ ପାନ ଖାଇଲେ କ’ଣ ହେବ, ରଜରେ ରଜ ପାନର ସ୍ବାଦ ନିଆରା। ରଜ ମିଠା ପାନ ଖଣ୍ଡେ ଖାଇ ପାଟି ଲାଲ ନ କଲେ, ରଜ ପାଳନର କିଛି ମାନେ ରହେ ନା। ଏଥିପାଇଁ ସହରର କେତେକ ସ୍ଥାନରେ ବିକ୍ରି ହେଉଛି ସ୍ବତନ୍ତ୍ର ରଜ ପାନ।