ଛତୁଆ ବଣ୍ଟନରେ ମାସକୁ ୩୭ ଲକ୍ଷ ଲୁଟ୍
ମୟୂରଭଞ୍ଜ ଜିଲ୍ଲାରେ ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କୁ ଯୋଗାଇ ଦିଆଯାଉଛି ପୁଷ୍ଟିକର ଖାଦ୍ୟ

ମୟୂରଭଞ୍ଜ ଜିଲ୍ଲାରେ ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କୁ ଯୋଗାଇ ଦିଆଯାଉଛି ପୁଷ୍ଟିକର ଖାଦ୍ୟ। ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ଯୋଗାଣ ଆଳରେ ଜିଲ୍ଲାରେ ନିମ୍ନମାନର ଛତୁଆ ବଣ୍ଟନ ଚାଲିଛି। ଏ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗର ଲମ୍ବା ତାଲିକା ପହଞ୍ଚିଲାଣି। ନିର୍ଦ୍ଦିଷ୍ଟ କେତେକ ଛତୁଆ ପ୍ରସ୍ତୁତକାରୀ ସଂସ୍ଥାକୁ ବର୍ଷବର୍ଷ ଧରି ଦାୟିତ୍ବ ଦିଆଯାଉଛି। ଅବଧି ଶେଷ ପରେ ତୁରନ୍ତ ଚୁକ୍ତି ନବୀକରଣ କରାଯାଉଛି ପଛେ, ନୂଆ ସଂସ୍ଥାଙ୍କୁ ସୁଯୋଗ ଦିଆଯାଉନି।
ନିମ୍ନମାନର ଛତୁଆ ଯୋଗାଣ କରି ଜିଲ୍ଲାରେ ମାସକୁ ୩୭ ଲକ୍ଷରୁ ଅଧିକ ଟଙ୍କା ବାଟମାରଣା କରାଯାଉଥିବା ବେଳେ ନିମ୍ନମାନର ଖାଦ୍ୟ ଦେଇ ପରୋକ୍ଷରେ ଶିଶୁ ଓ ମହିଳାମାନଙ୍କ ଜୀବନ ସହ ଖେଳାଯାଉଛି। ୨୦୧୮-୧୯ରେ ଏକ ଉଚ୍ଚସ୍ତରୀୟ କମିଟି ଏ ସଂପର୍କରେ ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେଇଥିଲା। ହେଲେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଏଯାଏ ଉକ୍ତ ରିପୋର୍ଟକୁ ଚାପି ରଖାଯାଇଥିବା ଅଭିଯୋଗ ହୋଇଛି। ୨୦୧୮-୧୯ ମସିହାରେ ରାଜ୍ୟର କେତେକ ଜିଲ୍ଲାରେ ଛତୁଆ ଦୁର୍ନୀତି ଅଭିଯୋଗ ହୋଇଥିଲା ଓ ସେଥିରେ ମୟୂରଭଞ୍ଜ ବି ଥିଲା। ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା।
ଉକ୍ତ କମିଟି ବିଭିନ୍ନ କେନ୍ଦ୍ର ବୁଲି ଛତୁଆର ମାନ ପରୀକ୍ଷଣ କରିଥିଲେ। ଅଧିକାଂଶ କେନ୍ଦ୍ରରେ ନିମ୍ନମାନର ଛତୁଆ ଯୋଗାଣ ବାବଦରେ ମାସକୁ ୩୬ରୁ ୩୭ ଲକ୍ଷ ଟଙ୍କା ହରିଲୁଟ୍ ହେଉଥିବା ଉକ୍ତ କମିଟି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ କଣ ହେଲା କେଜାଣି, ତଦନ୍ତ ରିପୋର୍ଟକୁ ଚାପି ଦିଆଗଲା ବୋଲି ଉକ୍ତ ଟିମ୍ରେ ସାମିଲ ଥିବା ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲାପାଳ ମୁହଁ ଖୋଲୁନଥିବା ବେଳେ ଅଳ୍ପ ଦିନ ହେଲା ଆସିଥିବାରୁ ମୁଁ କିଛି ଜାଣିନି ବୋଲି କହିଛନ୍ତି ଏବେକାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନ୍ନପୂର୍ଣ୍ଣା ସିଂ।