ନବୀନ ଶାସନ ବିରୁଦ୍ଧରେ କଂଗ୍ରେସର ରଣହୁଙ୍କାର, ବଡ଼ଚଣା ବ୍ଲକ ସମ୍ମୁଖରେ କଂଗ୍ରେସର ବିଶାଳ ବିକ୍ଷୋଭ ସମାବେଶ

ନବୀନ ଶାସନରେ ଯାଜପୁର ଜିଲ୍ଲାର ସାଧାରଣ ଜନତା ଉପେକ୍ଷିତ– ଡା ଚେଲା କୁମାର

ନବୀନ ଶାସନ ବିରୁଦ୍ଧରେ କଂଗ୍ରେସର ରଣହୁଙ୍କାର, ବଡ଼ଚଣା ବ୍ଲକ ସମ୍ମୁଖରେ କଂଗ୍ରେସର ବିଶାଳ ବିକ୍ଷୋଭ ସମାବେଶ

ବଡ଼ଚଣା ବ୍ଲକ ସମ୍ମୁଖରେ କଂଗ୍ରେସର ବିଶାଳ ବିକ୍ଷୋଭ ସମାବେଶ
ନବୀନ ଶାସନରେ ଯାଜପୁର ଜିଲ୍ଲାର ସାଧାରଣ ଜନତା ଉପେକ୍ଷିତ- ଡା ଚେଲ୍ଲା କୁମାର


ଭୁବନେଶ୍ବର ତା ୧୫.୨- ଆଜି ବଡ଼ଚଣା ବ୍ଲକ କଂଗ୍ରେସ ପକ୍ଷରୁ କଂଗ୍ରେସ ନେତା ରାଜନାରାୟଣ ମହାପାତ୍ରଙ୍କ ଆବାହକତ୍ବରେ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଚଣ୍ଡିଖୋଲ ଛକରୁ ବାହାରି ବଡ଼ଚଣା ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ବଡ଼ଚଣା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ତଥା ଓଡ଼ିଶା ପ୍ରଭାରୀ ଡା ଚେଲ୍ଲା କୁମାରଜି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ ଯେ ଆଜିର ଜନ ସମୁଦ୍ର ନବୀନ ଓ ମୋଦି ସରକାର ବିରୋଧରେ ସାଧାରଣ ଜନତାର କ୍ରୋଧ, କ୍ଷୋଭ ଓ ଆକ୍ରୋଶର ପ୍ରତିଫଳନ । ଯାଜପୁର ଜିଲ୍ଲା ନବୀନ ସରକାର ଅମଳରେ ସଂପୂର୍ଣ୍ଣ ଉପେକ୍ଷିତ । ଯାଜପୁର ଜିଲ୍ଲାର ଖଣିଜ ସଂପଦ ହରିଲୁଟ ହେଉଥିବା ବେଳେ ଏଠିକାର ସ୍ଥାନୀୟ ଯୁବକ ବେକାର ବୁଲୁଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀଙ୍କର ମା’ ବିରଜା ମୂର୍ତି ବଦଳରେ ସଂପୃକ୍ତିର ତଦନ୍ତ ନବୀନ ସରକାର ଘୋଡ଼େଇ ଦେବା ଘଟଣା ଯାଜପୁର ନୁହେଁ ସମଗ୍ର ରାଜ୍ୟରେ ହିନ୍ଦୁ ଧର୍ମର ଭାବାବେଗ ପ୍ରତି ଆଘାତ ସୃଷ୍ଟି ହୋଇଥିଲା । ଆଦିବାସୀ ରକ୍ତରେ ରଞ୍ଜିତ କଳିଙ୍ଗ ନଗର ଗଣହତ୍ୟା ଘଟଣାକୁ ମନେ ପକାଇ ଡା ଚେଲା କୁମାର କହିଲେ ଯେ ନିଜର ଭିଟାମାଟି ପାଇଁ ଲଢ଼େଇ କରୁଥିବା କଳିଙ୍ଗ ନଗରର ୧୩ଜଣ ଆଦିବାସୀଙ୍କୁ ନବୀନ ସରକାର ହତ୍ୟା କରିବା ସହ ନୃଶଂସତାର ଚରମସୀମାକୁ ଯାଇ ସେମାନଙ୍କର ପାପୁଲି କାଟି ନେଇଥିଲେ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀରୁ ଆସି ତାଙ୍କୁ ସମବେଦନା ଜଣାଇବା ସହ କିଛି ଅନୁକମ୍ପା ରାଶି ପ୍ରଦାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ମୃତକମାନଙ୍କ ପରିବାର ନିକଟକୁ ସମବେଦନା ଜଣାଇବାକୁ ଗଲେ ନାହିଁ । ଧର୍ମଶାଳାରେ ଘଟିତ ସ୍ମିତାରାଣୀ ହତ୍ୟା ଘଟଣା ରାଜ୍ୟରେ ଚର୍ଚ୍ଚିତ ହୋଇଥିବା ବେଳେ ଏବଂ ଏହି ଘଟଣାର ପ୍ରଛଦପଟରେ ଧର୍ମଶାଳା ବିଜେଡ଼ି ବିଧାୟକଙ୍କର ସଂପୃକ୍ତିକୁ ନବୀନ ସରକାର ଲୁଚାଇଦେଲା । ସ୍ମିତାରାଣୀର ପରିବାର ଏପର୍ଯ୍ୟନ୍ତ ନ୍ୟାୟ ପାଇଲେ ନାହିଁ । ସେହିଭଳି ଧର୍ମଶାଳାରେ ମାମୁଁ ଭଣଜାଙ୍କ ଷଡ଼ଯନ୍ତ୍ରରେ କେଲୁଅ ନଦୀବନ୍ଧକୁ ଡିନାମାଇଟ ପକାଇ ବନ୍ୟା ସମୟରେ ଭାଙ୍ଗିଦେବା ଘଟଣା ଚର୍ଚ୍ଚା ହୋଇଥିଲା । ୨୫ କୋଟି ଟଙ୍କା ବିନିମୟରେ ବର୍ଷକତଳେ ହୋଇଥିବା ବନ୍ଧକୁ ପୁଣି ଭାଙ୍ଗି ସରକାରୀ ଅର୍ଥ ହଡ଼ପ କରିବା ଥିଲା ଅଭିଯୋଗ ଅନୁଯାୟୀ ବିଧାୟକ ଏବଂ ତାଙ୍କ ଭଣଜାଙ୍କ ଉଦ୍ଦେଶ୍ୟ । ମାତ୍ର ଏହାର ତଦନ୍ତ ବାଟମାରଣା ହୋଇଛି । ସେହିପରି କଂଗ୍ରେସ ଅମଳରେ ହୋଇଥିବା ନିଳାଚଳ ଇସ୍ପାତି ନିଗମ ଲିମିଟେଡକୁ ଶାଗମାଛ ଦରରେ ନବୀନ ସରକାର ଟାଟା କମ୍ପାନୀକୁ ବିକିଦେଲା ଏବଂ ଡଙ୍କାରୀ ପାହାଡ଼ରୁ ହଜାର ହଜାର ଟଙ୍କାର କଳାପଥର ଲୁଟ ପଛରେ ସରକାରଙ୍କ ସହଯୋଗ ରହିଛି । ପ୍ରଧାମନ୍ତ୍ରୀ ଆବାସ ତାଲିକା ପ୍ରସ୍ତୁତିରେ ବିଜେଡ଼ି ଦଳର ସଭ୍ୟଙ୍କୁ ଅଗ୍ରାଧ୍କାର ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ନରେନ୍ଦ୍ର ମୋଦିଙ୍କର ନିଜସ୍ଵ ଯୋଜନ ନୁହେଁ । ଏହି ଯୋଜନା କଂଗ୍ରେସ ଇନ୍ଦିରା ଆବାସ ନାମରେ ପ୍ରଣୟନ କରିଥିଲେ । ଗ୍ରାମାଂଚଳରେ ଭୂମିହୀନକୁ ଇନ୍ଦିରା ଗାନ୍ଧୀ ପର୍ଯ୍ୟାପ୍ତ ପରିମାଣରେ ଜମିପଟା ମାଗଣାରେ ପ୍ରଦାନ କରିଥିଲେ । ସେହିପରି ଚାଷୀର ଅଧିକାରକୁ ଏ ସରକାର ଛଡ଼ାଇ ନେଇଛନ୍ତି । କଟନୀ ଛଟନୀ ଆଳରେ କ୍ୟୁଟାଲରେ ୧୦ କିଲୋ ଧାନ କାଟି ଦିଆଯାଉଛି। ଚାଷୀର ଧାନକୁ ସରକାର କିଣିପାରୁ ନାହାନ୍ତି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଏ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କେତେ ବିପର୍ଯ୍ୟସ୍ତ ଏବଂ ହତ୍ୟା ଘଟଣାକୁ ସରକାର କିପରି ରହସ୍ୟାଦୃତ କରୁଛନ୍ତି ସେ ସଂପର୍କରେ ଶ୍ରୀ ବେଲୁ କୁମାର କହିଥିଲେ । ଏଣୁ ପରିସ୍ଥିତିର ପରିବର୍ତନ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ । ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ ନବୀନ ସରକାର ଏକ ଜନିବରୋଧୀ ସରକାର । ୨୨ ବର୍ଷ ଧରି ନବୀନ ସରକାର ଉପୀଡ଼ନରେ ସାଧାରଣ ଜନତା ଅତିଷ୍ଠ । ଖଣି, ପାଣି, ଡାଲି ଓ ଚିଟଫଣ୍ଡ ପ୍ରଭୃତି ଦୂର୍ନୀତିରେ ବୁଡ଼ିଯାଇଥିବା ନବୀନ ସରକାରର କ୍ଷମତାରେ ରହିବା ଅଧିକାର ନାହିଁ । ଆଗାମୀ ଦିନରେ ସମ୍ଭାବନା କଂଗ୍ରେସର । ୨୦୨୪ କଂଗ୍ରେସର ବିଜୟ ବର୍ଷ । ଏ ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ସୁରକ୍ଷିତ ନୁହଁନ୍ତି । ଦିନ ଦୁଇପ୍ରହରରେ ତାଙ୍କର ହତ୍ୟା ହେଉଛି । ଚାଷୀ ଆତ୍ମହତ୍ୟା ବଢ଼ିଚାଲିଛି । ବାଷୀକୁ ତାର ଅମଳର ଉଚିତମୂଲ୍ୟ ମିଳୁ ନାହିଁ । ଲକ୍ଷ ଲକ୍ଷ ଯୁବକ କର୍ମସଂସ୍ଥାନ ପାଇଁ ଚିତ୍କାର କରୁଛନ୍ତି । କାମଧନ୍ଦା ନପାଇ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ବର୍ଜିତ ବିଜୁଳିଦର ଲୋକଙ୍କ ହନ୍ତସନ୍ତ କରୁଛି ମାତ୍ର କଂଗ୍ରେସ ଆସିଲେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଦିଆଯିବ ।ନବୀନ ସରକାର ଅମଳରେ ଓଡ଼ିଶା ଗରିବ ରାଜ୍ୟର ଅପନିନ୍ଦା ମୁଣ୍ଡାଉଛି । ମହିଳାମାନେ ସୁରକ୍ଷିତ ନାହାନ୍ତି । ଏଭଳି ପରିସ୍ଥିତିରୁ ଉଦ୍ଧାର ପାଇଁ ଆପଣମାନେ ଜାଗ୍ରତ ହୁଅନ୍ତୁ ଏବଂ କଂଗ୍ରେସକୁ କ୍ଷମତାକୁ ଆଣିବାପାଇଁ ଲଢ଼େଇ କରନ୍ତୁ । ପରିଶେଷରେ ବ୍ଲକ କଂଗ୍ରେସର ଦାବୀ ପତ୍ରକୁ ବିଡିଓ ଗ୍ରହଣ କରିବା ସହ ଏହା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିବାପାଇଁ କହିଥିଲେ । ଏହି ଦାବିରେ ପୂର୍ବର ଇନ୍ଦିରା ଆବାସ ଦୁର୍ନୀତି ଦଳୀୟ ଭିତିରେ ବିଧବା ଭତା, ବାର୍ଦ୍ଧକ୍ୟ ଭତା ଓ ବିକଳାଙ୍ଗ ଭତା ପ୍ରଦାନ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଜୟ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟଆ, ଶରତ ରାଉତ, ମାନସ ଚୌଧୁରୀ, ବନ୍ଦିତୀ ପରିଡ଼ା, ୟାସିର ନୱାଜ, ସୀତାକାନ୍ତ ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାଶ, ଲଲାଟେନ୍ଦୁ ଦାଶ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ଦୀପକ ମହାପାତ୍ର, ଡ.ବିପ୍ଳବ ଶିଲାଦିତ୍ୟ, ୟାକୁବ ଖାନ, ମନୋଜ ବିଶ୍ବାଳ, ଦୁର୍ଯ୍ୟୋଧନ ବେହେରା, ନିରଞ୍ଜନ ସାହୁ, ପଦ୍ମାକର ଗୁରୁ, ମାନସ କର, ସନ୍ତୋଷ ନନ୍ଦ, ପ୍ରଶାନ୍ତ ସାହୁ, ଅନିଲ ମହାନ୍ତି, ଗଦାଧର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମନୋଜ ରାଉତ ସଭାକାର୍ଯ୍ୟ ପରିଚାଳନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ଦୀପକ କୁମାର ମହାପାତ୍ର)
ଗଣମାଧ୍ୟମ ସଂଯୋଜକ, ଓ ପିସିସି