ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ହେଲେ ଯୁବରାଜ ସିଂହ
ଜୁନ ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ଭାବେ ଆଜି ଆଇସିସି ଟିମ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କୁ ନିଯୁକ୍ତ କରିଛି

ଜୁନ ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ଭାବେ ଆଜି ଆଇସିସି ଟିମ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କୁ ନିଯୁକ୍ତ କରିଛି। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଥିବା ବିଶ୍ୱକପକୁ ଆଉ ୩୬ ଦିନ ବାକି ଥିବା ବେଳେ ଆଇସିସି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।
୨୦୦୭ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣ ଭାରତ ଜିତିଥିବା ବେଳେ ଯୁବରାଜ ୬ ବଲରେ ୬ ଛକା ମାରି ରେକର୍ଡ କରିଥିଲେ।
ଏପରି ନିଯୁକ୍ତି ପରେ ଯୁବରାଜ କହିଛନ୍ତି, “ଟି-୨୦ ବିଶ୍ୱକପର କିଛି ସ୍ମରଣୀୟ ମୁହୂର୍ତ୍ତ ମୋର ମନେ ପଡ଼ି ଯାଉଛି। ଏହା ମଧ୍ୟରେ ଗୋଟିଏ ଓଭରରେ ୬ ଛକା ରହିଛି। ଏବେ ଏହି ସଂସ୍କରଣର ଅଂଶିଦାର ହେବାକୁ ଉତ୍ସାହିତ। ଏହା ସବଠାରୁ ବଡ଼ ହେବ। ୱେଷ୍ଟଇଣ୍ଡିଜରେ କ୍ରିକେଟ ଖେଳିବା ବେଶ ଚମତ୍କାର। ବିଶ୍ୱକପ ମଧ୍ୟ ଆମେରିକାରେ ଅନୁଷ୍ଠିତ ହେବ।
ଆମେରିକାରେ କ୍ରିକେଟ ପ୍ରବେଶ କରିବା ଗୋଟିଏ ଭଲ ଖବର। ଟି-୨୦ ବିଶ୍ୱକପ ଦ୍ୱାରା ଏହା ଆମେରିକାରେ ଆହୁରି ଆଦୃତ ହେବ। ନ୍ୟୁୟର୍କରେ ଭାରତ-ପାକିସ୍ତାନ ମୁକାବିଲା ଚଳିତ ବର୍ଷର ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ହେବାକୁ ଯାଉଛି।
ଏହାର ଅଂଶିଦାର ହେବା ସୌଭାଗ୍ୟର ବିଷୟ। କାରଣ ନୂଆ ଷ୍ଟାଡିୟମରେ ଦୁଇ ଶ୍ରେଷ୍ଠ ଦଳର ଲଢ଼େଇ ଦେଖିବାର ସୌଭାଗ୍ୟ ମିଳିବ।” ଏହା ପୂର୍ବରୁ ଆଇସିସି ବିଶ୍ୱର ଧ୍ରୁତତମ ଧାବକ ଉସେନ ବୋଲ୍ଟଙ୍କୁ ମଧ୍ୟ ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର କରିଥିଲେ।
ଆସନ୍ତା ଜୁନ ୧ରୁ ୨୯ ତାରିଖ ଯାଏ ଇଣ୍ଡିଜ ଓ ଆମେରିକାରେ ଟି-୨୦ ବଶ୍ୱକପ ଆୟୋଜିତ ହେବ।