ଉପବାସରେ ମହାପ୍ରଭୁ ଲିଙ୍ଗରାଜ
ଗତକାଲି ଭଳି ଆଜି ବି ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଗତକାଲି ଭଳି ଆଜି ବି ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତି କିଏ କରିବେ? ବଡୁ ନିଯୋଗ ନା ପୂଜାପଣ୍ଡା ? ୨୦୨୦ ମସିହାରୁ ଲାଗି ରହିଥିବା ଏହି ବିବାଦର ସମାଧାନ ହୋଇପାରୁନାହିଁ। ଫଳରେ ଗତ ତିନି ବର୍ଷ ହେବ ମନ୍ଦିରରେ ପବିତ୍ରାରୋପଣ ନୀତି ସମ୍ଭବ ହେଉନାହିଁ। ଚଳିତ ବର୍ଷ ମଧ୍ୟ ଏହି କାରଣରୁ ପୂର୍ବ ବର୍ଷମାନଙ୍କ ପରି ଗତକାଲି ସଂଧ୍ୟାରୁ ପ୍ରଭୁଙ୍କ ନୀତିକୁ ବନ୍ଦ କରି ଦିଆଯାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ୨୦୨୦ ମସିହା ପୂର୍ବରୁ ପବିତ୍ରାରୋପଣରେ ପ୍ରଥମେ ପୂଜାପଣ୍ଡା ନିଯୋଗ ପକ୍ଷରୁ ୩ପଟ ପଇତା ଲାଗି କରାଯାଏ। ପରେ ବଡ଼ୁ ନିଯୋଗ ପକ୍ଷରୁ ଠାକୁରଙ୍କୁ ୨୪ପଟ ପଇତା ଲାଗି ହୁଏ। ଏହାପରେ ବଲ୍ଲଭ ନୀତି ପୂଜା କରାଯାଏ। ୨୦୨୦ ମସିହାରେ ବଡ଼ୁ ନିଯୋଗ ପକ୍ଷରୁ ସବୁ ପଇତା ଲାଗି କରାଯାଇଥିଲା। ଏହାକୁ ନେଇ ପୂଜାପଣ୍ଡା ନିଯୋଗ ପୂଜାରେ ଅସହଯୋଗ କରିଥିଲା। ଏହା ପରମ୍ପରା ବିରୋଧୀ କହି ପୂଜାପଣ୍ଡା ନିଯୋଗ ଅସନ୍ତୋଷ ପ୍ରକାଶ କରିଥିଲା। ପ୍ରଥମେ ସେମାନେ ୩ପଟ ଲାଗି କରିବା ପରେ ବଡ଼ୁ ନିଯୋଗ ଅନ୍ୟ ୨୪ପଟ ପଇତା ଲାଗି କରିବା ନିୟମ ରହିଥିବା କଥା କହିଥିଲେ। କିନ୍ତୁ ଏହି ପରମ୍ପରା ଭଙ୍ଗ ଯୋଗୁଁ ପୂଜାପଣ୍ଡା ନିଯୋଗ ନୀତି ଆଗକୁ ବଢ଼ାଇନଥିଲେ। ଏହାପରେ ମନ୍ଦିର ପ୍ରଶାସନ ଉଭୟଙ୍କୁ ବୁଝା ସୁଝା କରି ମଧ୍ୟ ବିଫଳ ହୋଇଥିଲେ। ଏହାପରେ ମନ୍ଦିର ପ୍ରଶାସନ ପକ୍ଷରୁ ଦେବୋତ୍ତର ବିଭାଗକୁ ଜଣାଇବା ସହ ଶୃଙ୍କଳିତ ନୀତି ପାଇଁ କମିସନରଙ୍କ କୋର୍ଟରେ ମାମଲା ଦାୟର କରିଥିଲେ। ହେଲେ ଏନେଇ ଆଜି ପର୍ଯ୍ୟନ୍ତ ଶୁଣାଣି ହେଲା ନାହିଁ। ଫଳରେ ଲଗାତାର ତିନି ବର୍ଷ ଧରି ଏଭଳି ବିଭ୍ରାଟ ସୃଷ୍ଟି ହେଉଛି। ମନ୍ଦିର ପ୍ରଶାସନ ଅପାରଗତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସେବାୟତମାନେ କହିଛନ୍ତି।