ରାଜଧାନୀରେ ୧୨ ରାଉଣ୍ଡ ଫାୟାରିଂ
ଗାଡି ପାର୍କିଂକୁ କେନ୍ଦ୍ର କରି ଝାରପଡ଼ାରେ ଗୁଳି ବର୍ଷିଛି

ଗାଡି ପାର୍କିଂକୁ କେନ୍ଦ୍ର କରି ଝାରପଡ଼ାରେ ଗୁଳି ବର୍ଷିଛି । ପାଖାପାଖି ୧୨ ରାଉଣ୍ଡ ଫାୟାରିଂ ହୋଇଛି । ପୁଲିସ ସାମ୍ନାରେ ବି ଗୁଳି ଫୁଟିଥିବା ଅଭିଯୋଗ ହୋଇଛି । ଗୁଳି ମାଡ଼ର ଶିକାର ହୋଇଛନ୍ତି ଝାରପଡ଼ା ଅଞ୍ଚଳର ୩୨ ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟର ଶିଖର ଜେନା, ଶିଖରଙ୍କ ସାନ ପୁଅ ଆଲୋକ ଜେନା ଓରଫ୍ ରିଙ୍କୁ ଓ ତାଙ୍କ ସହଯୋଗୀ ସହଦେବ ଜେନା । ଶିଖରଙ୍କ ଗୋଡ଼ରେ ଗୁଳି ଆର୍ପାର୍ ହୋଇଯାଇଥିବା ବେଳେ ଆଲୋକଙ୍କ ଗୋଡ଼ରେ ଗୁଳି ଭେଦି ରହିଛି। ସମସ୍ତ ଆହତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ଶିଖର ଓ ଆଲୋକଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହି ୱାର୍ଡର କର୍ପୋରେଟର ପ୍ରାର୍ଥୀ ପ୍ରଭାତ ମାର୍ଥା ଓରଫ୍ ଗୁଲୁ ମାର୍ଥା ଓ ତାଙ୍କ ସମର୍ଥକମାନେ ଗୁଳି ଚଳାଇଥିବା ଶିଖର ଅଭିଯୋଗ କରିଛନ୍ତି। ଏହି ଗୁଳିକାଣ୍ଡ କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି । ଅପରଗୋଷ୍ଠୀର ଜଣେ ସମର୍ଥକକୁ ଲକ୍ଷ୍ମୀସାଗର ଥାନା ପୁଲିସ ଅଟକ ରଖିବା ବେଳେ ଘଟଣାସ୍ଥଳରୁ ୨ଟି ବନ୍ଧୁକ ଜବତ କରିଛି। ଗ୍ୟାଙ୍ଗୱାର ଆଶଙ୍କା ଥିବାରୁ ଝାରପଡ଼ାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁଲିସ ଅପରଗୋଷ୍ଠୀର ଅନ୍ୟମାନଙ୍କୁ ଧରିବାକୁ ପୁଲିସ ରାତିଅଧିଆ ଚଢ଼ାଉ ଜାରି ରଖିଛି ।
ପୂରା ଘଟଣାଟି ଏମିତି । ବୁଧବାର ସନ୍ଧ୍ୟାରୁ ଝାରପଡ଼ା ନିକଟସ୍ଥ ଜଗନ୍ନାଥ ନଗର ଲେନ-୧ ସ୍ଥିତ “ପ୍ରଜାପତି ମଣ୍ଡପ’ରେ ଏକ ବିବାହ ଭୋଜି ଚାଲିଥିଲା । ଶିଖରଙ୍କ ବଡ଼ ପୁଅ ଦୀପକ ଜେନା ଓରଫ୍ ଦିପୁ ପୁରୀ ବାଇପାସ୍ରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନର ତଦାରଖ କରିବା ପରେ ରାତି ୧୦ଟାରେ ଘରକୁ ଫେରୁଥିଲେ । ପ୍ରଜାପିତା ମଣ୍ଡପ ସାମ୍ନାରେ ପ୍ରଭାତ ତାଙ୍କ କାର୍ ପାର୍କିଂ କରୁଥିବାରୁ ରାସ୍ତାରେ ଭିଡ଼ ଜମିବାରେ ଲାଗିଲା । ଭିଡ଼ ଯୋଗୁ ଦିପୁଙ୍କ କାର୍ ଆଗକୁ ଗଡି଼ଲାନି । ସେ ପ୍ରଭାତଙ୍କୁ କାର ହଟାଇବାକୁ କହିଲେ । ପ୍ରଭାତ ମାନିଲେନି । ବରଂ କାରକୁ ରାସ୍ତା ମଝିରେ ରଖି ଲଗାତାର ହର୍ଣ୍ଣ ମାରିବାକୁ ଲାଗିଲେ । ଯାହାକୁ ନେଇ ପ୍ରଭାତ ଓ ଦିପୁଙ୍କ ମଧ୍ୟରେ ବଚସା ହୋଇଥିଲା ।
ଦିପୁ ଫୋନ୍ କରି ପରିବାର ଲୋକଙ୍କୁ ପୂରା ଘଟଣା ବଖାଣିଥିଲେ । ତୁରନ୍ତ ଘଟଣାସ୍ଥଳକୁ ଆସିବାକୁ କହିଥିଲେ । ଶିଖର, ରିଙ୍କୁ ଓ ଅନ୍ୟ ସହଯୋଗୀମାନେ ୧୫ ମିନିଟ୍ ଭିତରେ ଘଟଣାସ୍ଥଳରେ ପହଞ୍ଚିଗଲେ । ଏହା ଦେଖି ମଣ୍ଡପ ଆଖପାଖରେ ଥିବା ପ୍ରଭାତଙ୍କ ସମର୍ଥକ ମଧ୍ୟ ସେଠାରେ ଠୁଳ ହେଲେ । ବାସ୍, ୟା ପରେ ୨ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହେଲା ଯୁକ୍ତତର୍କ, ବଚସା । ଉଭୟ ଗୋଷ୍ଠୀ ମଧ୍ୟରେ ବେଶ୍ କିଛି ସମୟ ଠେଲାପେଲା, ଧସ୍ତାଧସ୍ତି ଚାଲିଲା । ପ୍ରଭାତଙ୍କ ଶିବିରରୁ ଅଚାନକ ଗୁଳିମାଡ଼ ଆରମ୍ଭ ହେଲା । ଘଟଣାସ୍ଥଳରେ ପାଖାପାଖି ୬-୭ ରାଉଣ୍ଡ ଫାୟାରିଂ ହେଲା । ଶିଖରଙ୍କ ବାମପାଶ୍ୱର୍ ଗୋଡ଼ ଓ ରିଙ୍କୁଙ୍କ ଡାହାଣ ଗୋଡ଼ରେ ଗୋଟିଏ ଲେଖାଏଁ ଗୁଳି ଭେଦିଲା । ଅନ୍ୟ ଏକ ଗୁଳି ସହଦେବଙ୍କ କାନ୍ଧ ଦେଇ ପାର୍ ହୋଇଗଲା ।ପ୍ରାୟ ଅଧଘଣ୍ଟା ଧରି ଘଟଣାସ୍ଥଳରେ ଫାୟାରିଂ ଚାଲିଲା । ଶିଖରଙ୍କ ଅଭିଯୋଗ ମୁତାବକ, ଗାଡି଼ ହଟାଇବା ପାଇଁ ବାରମ୍ବାର ବୁଝାଇବା ସତ୍ତେ୍ୱ ପ୍ରଭାତ ମାନିଲେନି । ପ୍ରଭାତ ଓ ତାଙ୍କ ସହଯୋଗୀ ସିଧା ଗୁଳି ଚଳାଇଲେ ।ଏହାକୁ ନେଇ ଆଗକୁ ଗୋଷ୍ଠୀ ସଂଘର୍ଷ ଘଟିବା ଆଶଙ୍କା ରହିଛି। ଝାରପଡ଼ାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁଲିସର ଏକ ଟିମ୍ ପ୍ରଭାତଙ୍କ ଘରେ ଚଢ଼ାଉ କରି ଖାଲି ହାତରେ ଫେରିଛି ।