ଫରେଷ୍ଟର ଓ ବନ କର୍ମଚାରୀଙ୍କୁ ଟେକି କଚାଡିଲା ମାଇ ହାତୀ

ହାତୀ ଆକ୍ରମଣରେ ଫରେଷ୍ଟର ଓ ବନ କର୍ମଚାରୀ ଗୁରୁତର ଆହତ

ଫରେଷ୍ଟର ଓ ବନ କର୍ମଚାରୀଙ୍କୁ ଟେକି କଚାଡିଲା ମାଇ ହାତୀ

ହାତୀ ଆକ୍ରମଣରେ ଫରେଷ୍ଟର ଓ ବନ କର୍ମଚାରୀ ଗୁରୁତର ଆହତ । ହାତୀ ଘଉଡାଇବାକୁ ଗଲା ବେଳେ ସଂପୃକ୍ତ ହାତୀ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଠିକା ବନ କର୍ମଚାରୀ ଯତୀନ କିସ୍କୁଙ୍କୁ ଟେକି କଚାଡ଼ି ଦେଇଥିଲା । ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଲା । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତନଟୀ ରେଞ୍ଜରେ ଏହି ଘଟଣା ଘଟିଛି।

ମେରଦା ବେଣାପୁରା ଗାଁ ଭିତରକୁ ଗତ କାଲି ରାତିରେ ଏକ ୫ ଟିକିଆ ହାତୀ ପଲ ପଶି ଆସିଥିଲେ। ସେମାନଙ୍କ ମଧ୍ୟରୁ ଏକ ଛୁଆ ହାତୀ ଧାନ ଖାଇବାକୁ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲା । ଛୁଆ ହାତୀକୁ ଘଉଡାଇବାକୁ ବନ କର୍ମଚାରୀ ବି ସେହି ଘର ଭିତରେ ପଶି ଯାଇଥିଲେ। ସେଠାରେ ଏକ ମାଇ ହାତୀ ବି ରହିଥିଲା । ତାକୁ ଦେଖି ବନ କର୍ମଚାରୀ ଛତ୍ରଭଙ୍ଗ ଦେଇଥିବା ବେଳେ ଫରେଷ୍ଟର ଏବଂ ଜଣେ ଠିକା କର୍ମଚାରୀ କିନ୍ତୁ ତା’ ହାବୁଡ଼ରେ ପଡିଯାଇଥିଲେ । ହାତୀ ଉଭୟଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଫଳରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ। ସେଠାରେ ଉପସ୍ଥିତ ଅନ୍ୟ ସାଥି କର୍ମଚାରୀ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ।

ଫରେଷ୍ଟରଙ୍କ ଛାତି ପଞ୍ଜରା ହାଡ ଭାଙ୍ଗି ଯାଇଛି । ଭଲ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଠିକା କର୍ମଚାରୀ ବାରିପଦାରେ ଚିକିତ୍ସିତ ହେଉଛନ୍ତି।