ମହାନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର
କଟକ ଗଡଗଡିଆ ଘାଟ ନିକଟ ମହାନଦୀରୁ ମୃତଦେହ ଉଦ୍ଧାର

କଟକ ଗଡଗଡିଆ ଘାଟ ନିକଟ ମହାନଦୀରୁ ମୃତଦେହ ଉଦ୍ଧାର । ଭାସୁଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବୁଧବାର ମଧ୍ୟାହ୍ନ ସମୟରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ କ୍ୟାଣ୍ଟନମେଣ୍ଟ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପାଣି ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ । ମହିଳା ଜଣଙ୍କର ନାମ ପ୍ରମୋଦିନୀ ଶତପଥୀ । ତାଙ୍କ ଘର ବିଡାନାସୀ ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳରେ ବୋଲି ସୂଚନା ମିଳିଛି ।
ତେବେ ସେ ଗତ ସୋମବାର ଦିନ ଏନସିସି ଘାଟ ନିକଟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା କଥା ଜଣାପଡିଛି । ଏମିତିକି ଯେଉଁ ଯୁବକ ଉଦ୍ଧାର କରିଥିଲେ ସେ ମଧ୍ୟ କହିଛନ୍ତି ଯେ, ତାଙ୍କୁ ସେଦିନ ଉଦ୍ଧାର କରି ପୋଲିସର ଜିମା ଦେଇଥିଲେ । ହେଲେ ପରେ ପୁଣି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିବା ପରେ ପୋଲିସକୁ ମୃତଦେହ ହସ୍ତାନ୍ତର କରିଛି ।