ଝାରସୁଗୁଡାର ବିଜୟ ଉତ୍ସବ ଶଙ୍ଖ ଭବନରେ
ଦୀପାଳି ଦାସ ବିପୁଳ ଭୋଟରେ ବିଜୟ ହାସଲ ନେଇ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଆୟୋଜିତ ଝାରସୁଗୁଡ଼ା ଉପନିର୍ବାଚନ ବିଜୟ ସମାରୋହରେ ଯୋଗଦେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଭୁବନେଶ୍ଵର: ଝାରସୁଗୁଡ଼ା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ(ବିଜେଡି) ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି। ଦୀପାଳି ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାରୁ ଉର୍ଦ୍ଧ୍ଵ ଭୋଟରେ ହରାଇଛନ୍ତି। ଏଥିପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଆୟୋଜିତ ଝାରସୁଗୁଡ଼ା ଉପନିର୍ବାଚନ ବିଜୟ ସମାରୋହରେ ଯୋଗଦେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏହା ଝାରସୁଗୁଡ଼ାବାସୀ ତଥା ନାରୀ ଶକ୍ତିର ବିଜୟ ବୋଲି କହି ନିଷ୍ଠାପର ଉଦ୍ୟମ କରିଥିବା ଦଳର ସମସ୍ତ କର୍ମକର୍ତ୍ତାମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
ଝାରସୁଗୁଡ଼ାର ବିକାଶକୁ ଆହୁରି ଆଗକୁ ନେବା ପାଇଁ ବିଜୁ ଜନତା ଦଳର ପ୍ରୟାସ ଆହୁରି ଜୋରଦାର ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତ୍ୟେକ ଉପନିର୍ବାଚନରେ ବିରୋଧୀ ଦଳର ନେତାମାନେ ଯେପରି ନାରୀ ଶକ୍ତିଙ୍କୁ ଅପମାନିତ କରିଛନ୍ତି ତାକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବେ ନାହିଁ ବୋଲି ସଭାପତି କହିଛନ୍ତି।
ବିଜୁ ଜନତା ଦଳ ସର୍ବଦା ସାଧାରଣ ଜୀବନରେ ମା’ମାନଙ୍କ ଯୋଗଦାନକୁ ଉତ୍ସାହିତ କରିଆସିଛି। ହାଣ୍ଡିଶାଳ ଚାରି କାନ୍ଥରୁ ବାହାର କରି ସେମାନଙ୍କୁ ନୂଆ ପରିଚୟ ଦେବା ପାଇଁ ଅନେକ ମଞ୍ଚ ପ୍ରଦାନ କରିଛି। ଗଣତାନ୍ତ୍ରିକ ମୂଲ୍ଯବୋଧକୁ ଆଧାର କରି ମା’ମାନଙ୍କ ତଥା ଓଡ଼ିଶାର ବିକାଶ ପାଇଁ ମିଳିମିଶି କାମ କରିବାକୁ ସଭାପତି ଏହି ଅବସରରେ ଆହ୍ଵାନ ଜଣାଇଛନ୍ତି।
ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧ ଲକ୍ଷ ୭ ହଜାର ୧୯୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୪୭୭ ଖଣ୍ଡ ଭୋଟ ପାଇଛନ୍ତି । ଏହାବାଦ୍ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୪୪୯୬ ଖଣ୍ଡ ଭୋଟ ପାଇଛନ୍ତି । ୪୮ ହଜାରରୁ ଉର୍ଦ୍ଧ୍ଵ ଭୋଟ୍ରେ ଦୀପାଳି ନିକଟତମ ପ୍ରତିଦ୍ୱନ୍ଦୀ ଟଙ୍କଧରଙ୍କୁ ପରାସ୍ତ କରିଛନ୍ତି।