୨୮୨୦୦ କୋଟିର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

୨୮୨୦୦ କୋଟିର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି
ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି
ଓଡ଼ିଶା ମେଟ୍ରୋ ରେଳ ପରିବହନ ନିମନ୍ତେ ୨୧୦ କୋଟି
ପଂଚାୟତର ଆଇଟି ଭିତିଭୂମି ସକାଶେ ୨୫୨ କୋଟି
ନିର୍ବାଚନ ପରିଚାଳନା ପାଇଁ ୧୯୬ କୋଟି
ମିଶନ ଶକ୍ତି ପାଇଁ ୭୮୩ କୋଟି
ସ୍ୱତନ୍ତ୍ର ବିକାଶ ପରିଷଦ ନିମନ୍ତେ ୨୨୪ କୋଟି
ଅଣସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ୬୦୦ କୋଟି
ଶିଳ୍ପ ଓ ଏମଏସଏମଇ ପାଇଁ ୩୨୦୫ କୋଟି
ଭିତିଭୂମି ବିକାଶ ନିମନ୍ତେ ୧୬୩୧ କୋଟି 
ରାଜ୍ୟର ଋଣ ଭାର ୮୮୪୮୭ କୋଟି ଟଙ୍କା
ଖୋଲାବଜାରରୁ ଋଣ ନେଇନାହାନ୍ତି ସରକାର

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି  । ମୂଳ ବଜେଟର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଥିବାବେଳେ ଅତିରିକ୍ତ ବଜେଟର କଳେବର ୨୮୨୦୦ କୋଟି ଟଙ୍କା ରହିଛି  । ଫଳରେ ୨୦୨୩-୨୪ ଆର୍ଥିକ ବର୍ଷର ମୋଟ ବଜେଟ ଆକାର ୨ ଲକ୍ଷ ୫୮ ହଜାର ୨୦୦ କୋଟି ଟଙ୍କାରେ ପହଁଚିଛି  । ଅତିରିକ୍ତ ବଜେଟରେ ଅନେକ ନୂତନ ଯୋଜନା ପାଇଁ ବ୍ୟୟ ବରାଦ କରାଯାଇଛି  । ସେହିପରି ରାଜ୍ୟର ଋଣ ଭାର ୮୮୪୮୭ କୋଟି ଟଙ୍କା ଥିବାବେଳେ ରାଜ୍ୟର ମୁଣ୍ଡପିଛା ଋଣ ଭାର ୧୯୧୭୧ ଟଙ୍କା ରହିଛି  । ଏହାଛଡ଼ା ସାମଗ୍ରୀକ ବ୍ୟୟ ୩୯% ବୃଦ୍ଧି ପାଇଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ୭୦% ଓ ପୁଞ୍ଜି ବ୍ୟୟ ୭୫% ବୃଦ୍ଧି ପାଇଛି  । ଅଗଷ୍ଟ ସୁଦ୍ଧା ନିଜସ୍ୱ ରାଜସ୍ୱ ୪୧୨୩୧ କୋଟି ଟଙ୍କା ସଂଗ୍ରହ ହୋଇପାରିଛି ବୋଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି  । 


ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରଥମ ଥର ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ  । ଅତିରିକ୍ତ ବଜେଟରେ ୨୮୨୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି  । ସେଥିମଧ୍ୟରେ ପ୍ରଶାସନିକ ବ୍ୟୟ ବାବଦରେ ୨୮୬୪ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୨୦୧୦୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ସକାଶେ ୪୬୬୪ କୋଟି ଟଙ୍କା ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ନିମନ୍ତେ ୫୭୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି  । ବିଭିନ୍ନ ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଅତିରିକ୍ତ ପାଣ୍ଠିର ଆବଶ୍ୟକତା, ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ଆଦିକୁ ଆଖି ଆଗରେ ରଖି ଅତିରିକ୍ତ ବଜେଟର ପ୍ରାବଧାନ କରାଯାଇଛି  । କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ଥିବା ୨୦୧୦୦ କୋଟିରୁ ୩୨୨୫ କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ଓ ବଳକା ଅତିରିକ୍ତ ରାଜସ୍ୱ ଅର୍ଥ ସମର୍ପଣ ଦ୍ୱାରା ଭରଣା କରାଯିବ  ।