ରଥ ଖଳା ରେ ପ୍ରଥମ ଦିନ, ରଥ ର ତୁମ୍ବ କାମ ଆରମ୍ଭ

ଆଜି ରଥ ଖଳାରେ କରତି ସେବକମାନେ ତିନି ରଥର ଦୁଇଟି ଲେଖାଏଁ ତୁମ୍ବ କାଠ କାଟିଥିଲେ l ଦୁଇଟି ଲେଖାଏଁ ତୁମ୍ବରୁ ତିନିରଥର ମହାରଣା ମାନେ ବାରିସୀରେ ହାଣି ଗୋଟେ ଲେଖାଏଁ ତୁମ୍ଭ ଗୋଲେଇ କାର୍ଯ୍ୟ ସମ୍ପନ୍ନ କରିଛନ୍ତି l

ରଥ ଖଳା ରେ ପ୍ରଥମ ଦିନ, ରଥ ର ତୁମ୍ବ କାମ ଆରମ୍ଭ

ପୁରୀ  : ଶ୍ରୀଜଗନ୍ନାଥ ହେଉଛନ୍ତି ବୈଦିକ ଦେବତା । ତାଙ୍କର ସମସ୍ତ ରୀତିନୀତି ବୈଦିକ ବିଧିସମ୍ମତ । ଏହି ବିଧି ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବା ପରେ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ଆଜି ରଥଖଳାରେ ରୀତିନୀତି ମୁତାବକ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ରଥଖଳାରେ ମୁଖ୍ୟ ମହାରଣାଙ୍କ ଦ୍ୱାରା ଅନୁକୂଳ ହେବା ପରେ ରଥ କାମ ଆରମ୍ଭ ହୋଇଥିଲା 

ଏନେଇ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ସୋମବାରଠାରୁ ତୁମ୍ବ କାମ ଆରମ୍ଭ ହୋଇଛି । ଶାଢ଼ି ବନ୍ଧା ମହାରଣାମାନେ ତୁମ୍ବ ନିର୍ମାଣ କାମରେ ଲାଗିଛନ୍ତି । ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଓ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ କାମ ଚାଲିଛି । ତିନି ବାଡ଼ର ତିନୋଟି ତୁମ୍ବ ପାଇଁ ପରମ୍ପରା ଅନୁଯାୟୀ ହାତ କରତରେ କାଠ ଚିରଟ କରାଯାଇଛି ।

ପ୍ରଥମେ ତାଳଧ୍ୱଜ ରଥର ତୁମ୍ବ କାଠ ଚିରଟ ହେଲା ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ତୁମ୍ବ କାଠ ଚିରଟ କରାଯାଇଥିଲା । କୁଅଁର ଦ୍ୱାରା କାଠର ଗୋଲେଇ କରି ବାରିସିରେ ତୁମ୍ବ କଟା ଯାଇଥିଲା । ପ୍ରତି ଚକରେ ତୁମ୍ବ ରହିଥାଏ । ଚକର ମଝି ଅଂଶକୁ ତୁମ୍ବ କୁହାଯାଏ ।

ତୁମ୍ବ ନିର୍ମାଣ ସରିବା ପରେ ଅର ଲାଗିଥାଏ । ଅରରେ ପହି ଖଞ୍ଜା ହୋଇ ଚକା ନିର୍ମାଣ ହୋଇଥାଏ । ତୁମ୍ବ ମଝିରେ ଅଖ ପଶିବା ଲାଗି କଣା ହୋଇଥାଏ । ତିନିରଥ ପାଇଁ ମୋଟ ୪୨ଟି ତୁମ୍ବ ନିର୍ମାଣ କରାଯିବ ।

ନନ୍ଦିଘୋଷ ରଥ ପାଇଁ ୧୬ଟି, ତାଳଧ୍ୱଜ ୧୪ ଓ ଦର୍ପଦଳନ ରଥ ପାଇଁ ୧୨ଟି ତୁମ୍ବ ତିଆରି ହେବ । ତାଳଧ୍ୱଜ ରଥରେ ନାହାକା ତୁମ୍ବ ୨ଗୋଟି, ପହି ନାହାକା ତୁମ୍ବ ୪, ବଡ଼ ଉଛୁଳା ତୁମ୍ବ ୪ ଏବଂ ସାନ ଉଛୁଳା ତୁମ୍ବ ୪ ଗୋଟି ରହିବ । ଦର୍ପଦଳନ ରଥରେ ନାହାକା ତୁମ୍ବ ୪ ଗୋଟି, ପହି ନାହାକା ତୁମ୍ବ ୪ ଏବଂ ଉଛୁଳା ତୁମ୍ବ ୪ଗୋଟି ରହିଥାଏ । ସେହିପରି ନନ୍ଦିଘୋଷ ରଥରେ ନାହାକା ତୁମ୍ବ ୪ ଗୋଟି, ପହି ନାହାକା ତୁମ୍ବ ୪, ବଡ଼ ଉଛୁଳା ତୁମ୍ବ ୪ ଏବଂ ସାନ ଉଛୁଳା ତୁମ୍ବ ୪ ଗୋଟି ରହିଥାଏ ।