କେରଳରେ ରୋଡ୍ ସୋ’ ବେଳେ ମୋଦୀଙ୍କୁ ପୁଷ୍ପବୃଷ୍ଟି
ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ହଜାର ହଜାର ବିଜେପି କର୍ମୀ ଓ ସମର୍ଥକଙ୍କର ଲମ୍ବା ଧାଡ଼ି ଲାଗିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କେରଳର କୋଚିନରେ ରୋଡ୍ ସୋ କରିଥିବା ବେଳେ ଏହି ଅବସରରେ ତାଙ୍କୁ ପୁଷ୍ପବୃଷ୍ଟି ଦ୍ବାରା ଉଚ୍ଛ୍ବସିତ ଭାବେ ସ୍ବାଗତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ହଜାର ହଜାର ବିଜେପି କର୍ମୀ ଓ ସମର୍ଥକଙ୍କର ଲମ୍ବା ଧାଡ଼ି ଲାଗିଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ରହି ସମର୍ଥକମାନେ ତାଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କ ଆଡ଼କୁ ହାତ ହଲାଇ ଅଭିବାଦନ ସ୍ବୀକାର କରିଥିଲେ।
ଆଇଏନ୍ଏସ୍ ଗରୁଡ଼ ନାଭାଲ ଏୟାର ଷ୍ଟେସନରୁ କୋଚିନଠାରେ ଅନୁଷ୍ଠିତ ଏକ ଯୁବ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରାୟ ୨ କିମି ବ୍ୟାପୀ ଏହି ରୋଡ୍ ସୋ ଅନୁଷ୍ଠିତ ହୋଇଥିଲା। ନାଭାଲ ଏୟାର ଷ୍ଟେସନରେ ଅପରାହ୍ଣ ୫ଟାରେ ମୋଦୀ ପହଞ୍ଚିବାର ଅଧଘଣ୍ଟା ପରେ ରୋଡ୍ ସୋ ଆରମ୍ଭ ହୋଇଥିଲା। ମୋଦୀ ପାରମ୍ପରିକ କେରଳୀ ପୋଷାକ ପିନ୍ଧିଥିଲେ ଏବଂ ପ୍ରଥମେ ପାଦରେ ଚାଲିଚାଲି ରୋଡ୍ ସୋରେ ଭାଗ ନେଇଥିଲେ। ଉକ୍ତ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୋଦୀଙ୍କୁ ଦେଖିବା ପାଇଁ ରାଜ୍ୟର ସବୁ ଅଞ୍ଚଳରୁ ସବୁ ବୟସ ବର୍ଗର ଲୋକେ ଆସିଥିଲେ।
ଭାରତୀୟ ଜନତା ପାର୍ଟିର ଯୁବମ୍ ୨୦୨୩ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦୀ ଯୋଗ ଦେବେ। ମଙ୍ଗଳବାର କୋଚିନଠାରେ ସେ ଦେଶର ପ୍ରଥମ ‘ୱାଟର ମେଟ୍ରୋ’ ଉଦ୍ଘାଟନ କରିବେ। ବନ୍ଦର ନଗରୀରେ ସହରୀ ଜନସାଧାରଣଙ୍କ ପାଇଁ ଏହି ଗମନାଗମନ ବ୍ୟବସ୍ଥା ୧,୧୩୬.୮୩ କୋଟି ଟଙ୍କାରେ ନିର୍ମିତ ହୋଇଛି। ଏହା କୋଚିନ ଚତୁର୍ପାର୍ଶ୍ବସ୍ଥ ୧୦ଟି ଦ୍ବୀପକୁ ସଂଯୋଗ କରିବ।