ଭୁବନେଶ୍ବର ରେଳ ଷ୍ଟେସନ ନବୀକରଣ
ଓଡ଼ିଶାବାସୀଙ୍କ ବହୁ ପ୍ରତୀକ୍ଷିତ ଭୁବନେଶ୍ବର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଚାଲିଛି।

ଓଡ଼ିଶାବାସୀଙ୍କ ବହୁ ପ୍ରତୀକ୍ଷିତ ଭୁବନେଶ୍ବର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଚାଲିଛି। ଏଥିପାଇଁ ରେଳଯାତ୍ରୀ ଏବେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାରେ ଭିଜିବାକୁ ପଡ଼ୁଛି। ଆଶ୍ରୟ ନେବାକୁ ବି ଜାଗା ମିଳୁ ନାହିଁ। ଏଭଳି ସମସ୍ୟା ନଜରକୁ ଆସିବା ପରେ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ପ୍ରବେଶପଥର ପ୍ରଥମ ବିଲଡିଂ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ୪ ମହଲା ବିଶିଷ୍ଟ ଏହି ବିଲଡିଂ କାମ ଶେଷକରି ଯାତ୍ରୀଙ୍କୁ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି।
୩୮୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟେସନ କାମ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ବିଶ୍ବସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସୁବିଧା ଉପଲବ୍ଧ ହେବ।ରେଳ ଷ୍ଟେସନ୍ର ଦୁଇପାର୍ଶ୍ବ, ଯଥା ମାଷ୍ଟରକ୍ୟାଣ୍ଟିନ ଓ କଟକ ରୋଡ ପାର୍ଶ୍ବରେ ଥିବା ପ୍ରବେଶପଥର ବିକାଶ କରାଯିବ। ଉଭୟ ପାର୍ଶ୍ବରେ ଷ୍ଟେସନ ଭିତରକୁ ପ୍ରବେଶ ଲାଗି ଦୁଇଟି ବାଟ ରହିବ ଏବଂ ବାହାରକୁ ଆସିବା ଲାଗି ଯାତ୍ରୀଙ୍କ ଲାଗି ଗୋଟିଏ ବାଟ ରହିବ। ଷ୍ଟେସନ୍ରେ ଦୈନିକ ଯେପରି ୧ ଲକ୍ଷ ୪୩ ହଜାର ୪୫ଜଣ ରେଳଯାତ୍ରୀ ଚଳପ୍ରଚଳ ହୋଇପାରିବେ, ସେନେଇ ସୁବିଧା ଉପଲବ୍ଧ ରହିବ।
ଏଥିସହ ପ୍ରତିଦିନ ଷ୍ଟେସନ୍ରୁ ୭୭ ହଜାର ୫୮୧ ଯାତ୍ରୀଙ୍କ ଯିବା ଲାଗି ବ୍ୟବସ୍ଥା ହେବ। ଷ୍ଟେସନକୁ ସଂଯୋଗ କରୁଥିବା ଫୁଟ୍ ଓଭରବ୍ରିଜ୍ଗୁଡ଼ିକର ଓସାର ଅଧିକ ରହିବ। ଫଳରେ ଯାତ୍ରୀମାନେ ସୁରୁଖୁରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ। ମୁଖ୍ୟ ପ୍ରବେଶପଥ ବିଲଡିଂ ୧୧ ମହଲା ବିଶିଷ୍ଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଫ୍ଲୋର୍ ସହ ୪ ମହଲା କାମ ମାର୍ଚ୍ଚ ସୁଦ୍ଧା ଶେଷ କରି ଯାତ୍ରୀଙ୍କ ଅସୁବିଧା ଦୂର କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।