ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ୧ ନମ୍ବର

ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ୧ ନମ୍ବର

ଦରଦାମ ବୃଦ୍ଧିରେ ସବୁଠୁ ଅଧିକ କଲବଲ ହେଉଛନ୍ତି ଓଡ଼ିଶାବାସୀ । ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ, ଦରବୃଦ୍ଧିରେ ଓଡ଼ିଶା ଏବେ ସମଗ୍ର ଦେଶରେ ୧ ନମ୍ବର ସ୍ଥାନରେ ରହିଛି । ଦିନକୁ ଦିନ ସବୁକିଛି ମହଙ୍ଗା ହୋଇଚାଲିଛି । ଏଥିଯୋଗୁ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଲୋକଙ୍କ ଜୀବନଧାରଣ କଷ୍ଟକର ପାଲଟିଛି । ରିପୋର୍ଟ ଅନୁସାରେ, ମାର୍ଚ୍ଚ ମାସରେ ଦିଲ୍ଲୀବାସୀ ସବୁଠୁ କମ୍ ଦରବୃଦ୍ଧି ସହ୍ୟ କରିଥିବାବେଳେ ଓଡ଼ିଶା ଲୋକଙ୍କୁ ଅତ୍ୟଧିକ ମହଙ୍ଗା ଦରରେ ସାମଗ୍ରୀ କିଣିବାକୁ ପଡ଼ିଛି ।

ଦେଶର ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମାର୍ଚ୍ଚ ମାସ ଦରବୃଦ୍ଧି ହାରକୁ ଜାରି କରାଯାଇଛି । ଏଥିମଧ୍ୟରୁ ୧୩ ରାଜ୍ୟରେ ହାରାହାରି ମୁଦ୍ରାସ୍ଫୀତି ହାର ୪.୯%ରୁ ଅଧିକ ରହିଛି । ଓଡ଼ିଶାର ଦରବୃଦ୍ଧି ହାର ସବୁଠାରୁ ଅଧିକ ୭.୧% ରହିଥିବା ଜଣାପଡ଼ିଛି । ଅଧିକ ଦରବୃଦ୍ଧି ଚାପ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ଆସାମ ଏବଂ ହରିୟାଣା ରହିଛନ୍ତି । ମାର୍ଚ୍ଚ ମାସରେ ଉଭୟ ରାଜ୍ୟରେ ମୁଦ୍ରାସ୍ଫୀତି ହାର ୬.୧% ରହିଥିଲା । 

ସେହିଭଳି ବିହାରରେ ଏହା ୫.୭% ଏବଂ ତେଲଙ୍ଗାନାରେ ୫.୬% ରହିଥିବା ଜଣାପଡ଼ିଛି । ଲୋକେ ସାଧାରଣତଃ ଦିଲ୍ଲୀରେ ସବୁକିଛି ମହଙ୍ଗା ଥିବା ବିଶ୍ୱାସ କରିଥାନ୍ତି । କିନ୍ତୁ ଏ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଦିଲ୍ଲୀରେ ମୁଦ୍ରାସ୍ଫୀତି ହାର ସବୁଠୁ କମ୍ ଅର୍ଥାତ୍ ୨.୩% ରହିଛି ।

ଓଡ଼ିଶାରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମୁଦ୍ରାସ୍ଫୀତି ହାର ସର୍ବୋଚ୍ଚ ରହିଛି । ଉଭୟ ସ୍ଥାନରେ ଦରବୃଦ୍ଧି ହାର ଯଥାକ୍ରମେ ୭.୩% ଏବଂ ୬.୫% ରହିଥିବା ଜଣାପଡ଼ିଛି । ଏ କ୍ଷେତ୍ରରେ ହରିୟାଣା ଦ୍ୱିତୀୟ ସ୍ଥାନରେ ଅଛି । ପୂର୍ବରୁ ପ୍ରକାଶିତ ସରକାରୀ ତଥ୍ୟ ଅନୁସାରେ, ଖାଦ୍ୟ ପଦାର୍ଥ ଦରରେ ସାମାନ୍ୟ ହ୍ରାସ ଯୋଗୁ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୫ ମାସର ସର୍ବନିମ୍ନ ସ୍ତର ୪.୯%କୁ ଖସିଛି, ଯାହା ଫେବ୍ରୁଆରୀରେ ୫.୧% ଥିଲା । ବିଶେଷଜ୍ଞଙ୍କ ଅନୁମାନ ମୁତାବକ, ଖାଦ୍ୟ ଏବଂ ପାନୀୟ କ୍ଷେତ୍ରରେ ମୁଦ୍ରାସ୍ଫୀତି ହାର ୭% ପାଖାପାଖି ରହିବ ଏବଂ ଦେଶର କେତେକ ପ୍ରାନ୍ତରେ ତାତି ଯୋଗୁ ପରିବା ଓ ଶୀଘ୍ର ନଷ୍ଟ ହୋଇ ଯାଉଥିବା ସାମଗ୍ରୀ ଦରରେ ଚାପ ପଡ଼ିବା ସମ୍ଭାବନା ଅଛି ।