ସମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିଲେ ନୂଆ ସରକାର

ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ହିଁ ସାମ୍ବାଦିକଙ୍କୁ ମିଳିଛି ଲୋକସେବା ଭବନ ପାଇଁ ପ୍ରବେଶ ଅନୁମତି

ସମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିଲେ ନୂଆ ସରକାର

ଭୁବନେଶ୍ୱର,୧୨/୬: ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ସମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିଲେ ନୂଆ ସରକାର । ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ଗଲେ ଗଣମାଧ୍ୟମ ପ୍ରତିନିଧି । ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଲା । ୨୦୨୦ ମାର୍ଚ୍ଚ ମାସଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ମନା ଥିଲା ।

କୋଭିଡ୍‌-୧୯ ଆଳରେ ପୂର୍ବ ସରକାର ଏହି କଟକଣା ଲଗାଇଥିଲେ । କିନ୍ତୁ ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ହିଁ ସାମ୍ବାଦିକଙ୍କୁ ମିଳିଛି ଲୋକସେବା ଭବନ ପାଇଁ ପ୍ରବେଶ ଅନୁମତି ।

୪ବର୍ଷ ପରେ ସାମ୍ବାଦିକଙ୍କୁ ମିଳିଲା ଅନୁମତି: ବିଜେଡି ସରକାର ଳଗାଇଥିଲା କଟକଣା

ତେବେ ଆଜି ରାଜ୍ୟରେ ବିଜେପି ସରକାର କାର୍ଯ୍ୟ ଆରମ୍ଭ କରିବାର ମାତ୍ର ଏକ ଘଣ୍ଟା ମଧ୍ୟରେ ଲୋକସେବା ଭବନ( ରାଜ୍ୟ ସଚିବାଳୟ)କୁ ସାମ୍ବାଦିକମାନଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି । ସାମ୍ବାଦିକମାନେ ଆଜି ସନ୍ଧ୍ୟାରେ ଲୋକସେବା ଭବନକୁ ପ୍ରାୟ ୪ବର୍ଷ ପରେ ପ୍ରବେଶର ଅନୁମତି ପାଇଛନ୍ତି । ବିଜେଡି ସରକାର ଦ୍ୱାରା ୨୦୨୦ ମାର୍ଚ୍ଚ ମାସରେ ଲୋକସେବା ଭବନକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା । ବାରମ୍ବାର ଦାବି ସତ୍ତ୍ୱେ ସରକାର ସେଥିପ୍ରତି ଭୃକ୍ଷେପ କରିନଥିଲେ ।

ଆଜି ଅପରାହ୍ନରେ ଜନତା ମଇଦାନରେ ରାଜ୍ୟର ପ୍ରଥମ ବିଜେପି ସରକାର ଶପଥ ନେବା ପରେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ସାମ୍ବାଦିକମାନଙ୍କୁ ଭେଟିବେ ବୋଲି ଇଚ୍ଛାବ୍ୟକ୍ତ କରିବା ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା । ଆଉ ସାମ୍ବାଦିକମାନେ ନିଜର ସଂସ୍ଥା ପକ୍ଷରୁ ମିଳିଥିବା ପରିଚୟ ପତ୍ର ଦେଖାଇ ସଚିବାଳୟକୁ ପ୍ରବେଶ କରିବାର ସୁଯୋଗ ପାଇଥିଲେ । ଯାହାକୁ ନେଇ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ଦେଖିବାକୁ ମିଳିଛି ।

ଲୋକସେବା ଭବନ ପରିସରକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ବିଜେଡି ସରକାର ଦ୍ୱାରା ଜାରି କଟକଣାକୁ ବିରୋଧ କରି ବିଭିନ୍ନ ରାଜନୀତିକ ଦଳ ବିଧାନସଭାରେ ପ୍ରତିବାଦ କରିବା ସହ ସାମ୍ବାଦିକ ସଂଗଠନଗୁଡ଼ିକ ମଧ୍ୟ ରାଜରାସ୍ତାରେ ବିକ୍ଷୋଭ କରିଥିଲେ । ମାତ୍ର ବିଜେଡି ସରକାର ସେଥିପ୍ରତି ସାମାନ୍ୟ ଦୃଷ୍ଟି ଦେଇନଥିଲା । ବିଜେଡି ଓ ତତକାଳୀନ ସରକାରର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ଏବଂ ବିଜେଡି ମିଡିଆ ସେଲ୍ ମୁଖ୍ୟ ମାନସ ମଙ୍ଗରାଜଙ୍କ ଜନବିରୋଧୀ ନୀତି ଧରାପଡ଼ିଯିବା ଭୟରେ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ଜାରି କଟକଣାକୁ ହଟା ଯାଇନଥିବା ଚର୍ଚ୍ଚା ହେଉଛି ।

ତେବେ ରାଜ୍ୟରେ ବିଜେଡି ସରକାରର ପତନ ପରେ ବିଜେପି ସରକାର ନିଜର ପ୍ରଥମ କାର୍ଯ୍ୟ ଭାବେ ଲୋକସେବା ଭବନ ପରିସରକୁ ସାମ୍ବାଦିକମାନଙ୍କ ପ୍ରବେଶ ପାଇଁ ଅନୁମତି ଦେଇଛନ୍ତି । ଯାହାକୁ ବିଭିନ୍ନ ସାମ୍ବାଦିକ ସଂଘ ଓ କାର୍ଯ୍ୟରତ ସାମ୍ବାଦିକମାନେ ସ୍ୱାଗତ କରିଛନ୍ତି ।