କାହିଁକି ଗୃହକୁ ଆସୁନାହାନ୍ତି ବିରୋଧୀ ଦଳ ନେତା

ଗତ ୫ ବର୍ଷ ଧରି ବିଧାନସଭାରେ ଏକ ଅଲୋଡ଼ା ନଜିର ଦେଖିବାକୁ ମିଳିଛି ।

କାହିଁକି ଗୃହକୁ ଆସୁନାହାନ୍ତି ବିରୋଧୀ ଦଳ ନେତା

ଗତ ୫ ବର୍ଷ ଧରି ବିଧାନସଭାରେ ଏକ ଅଲୋଡ଼ା ନଜିର ଦେଖିବାକୁ ମିଳିଛି । ବିରୋଧୀ ଦଳ ନେତାମାନେ ଅସୁସ୍ଥତା ବା ଅନ୍ୟ କୌଣସି କାରଣରୁ ଅନୁପସ୍ଥିତ ରହୁଛନ୍ତି । ବିରୋଧୀ ଦଳ ନେତା ଭାବେ ୨୦୧୯ରେ ପ୍ରଦୀପ୍ତ ନାଏକଙ୍କୁ ବିଜେପି ଚୟନ କରିଥିଲା । ସେ ସବୁଦିନ ବିଧାନସଭା ଆସୁଥିଲେ । କିନ୍ତୁ କରୋନା ଆକ୍ରାନ୍ତ ହେବା ପରେ ସେ ଆଉ ବିଧାନସଭା ଆସିପାରିନଥିଲେ ।

ଦୀର୍ଘଦିନ ଧରି ସେ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ପ୍ରଦୀପ୍ତ ଦୀର୍ଘଦିନ ଧରି ମେଡ଼ିକାଲରେ ରହିଥିଲେବି ବିଜେପି କିନ୍ତୁ ବିରୋଧୀ ଦଳ ନେତା ଭାବେ ଆଉ କାହାକୁ ଚୟନ କରିନଥିଲା । ଫଳରେ ସେତେବେଳେ ବିଧାନସଭାରେ ବିରୋଧୀ ଦଳ ନେତାଙ୍କୁ ଦେଖିବାକୁ ମିଳିନଥିଲା । 

ପ୍ରଦୀପ୍ତଙ୍କ ପରେ ବିରୋଧୀ ଦଳ ନେତା ହୋଇଥିଲେ ଜୟ ନାରାୟଣ ମିଶ୍ର । ବିରୋଧୀ ଦଳ ନେତା ହେବା ପରେ ସେ ବିଧାନସଭାକୁ କମ୍ପାଇ ଦେଉଥିଲେ । ସିଧାସଳଖ ସେତେବେଳର ୫ଟି ସଚିବ କାର୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କରି ସେ ହଟଚମଟ ସୃଷ୍ଟି କରିଥିଲେ । କିନ୍ତୁ କିଛି ଦିନ ପରେ ଶାରୀରିକ ଅସୁସ୍ଥତା କାରଣରୁ ସେ ଆଉ ବିଧାନସଭା ଆସିପାରିନଥିଲେ । ଫଳରେ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତି ବାରି ହୋଇଥିଲା । 

ଏବେବି ସମାନ ସ୍ଥିତି ସୃଷ୍ଟିହୋଇଛି । ଗୋଟିଏ ପଟେ ବିେରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଫିଟ୍‌ ଅଛନ୍ତି ବୋଲି କହୁଛନ୍ତି । ବିଧାନସଭାରେ ବିରୋଧୀ ଦଳ ନେତାଙ୍କର ଏକ ବଡ଼ ଦାୟିତ୍ୱ ରହିଛି । ପ୍ରଥମେ ସେ କିଛିଦିନ ବିଧାନସଭା ଆସିଥିଲେବି ଏବେ ବିଧାନସଭା ଆସୁନାହାନ୍ତି । ଦ୍ୱିତୀୟ ଦଫା ବିଧାନସଭା ଅଧିବେଶନ ଚାଲିଥିଲେବି ଦିନଟିଏ ବି ନବୀନଙ୍କୁ ଦେଖିବାକୁ ମିଳିନାହିଁ । ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ନିହାତି ଆବଶ୍ୟକ ବେଳେ ବିଧାନସଭା ଆସୁଥିଲେ । ବିତର୍କ ଆଲୋଚନା ବେଳେ କେବଳ ନିଜର ହାତଲେଖା କାଗଜ ପଢ଼ି ନିଜର ପାଇଟି ସାରି ଦେଉଥିଲେ ।

ବିତର୍କ ଶୁଣିବାର ବି ନଜିର ନଥିଲା । ଏବେ ବିରୋଧୀ ଦଳ ନେତା ହେବାପରେ ବି ନବୀନ ସମାନ ଆଭିମୁଖ୍ୟ ଆପଣାଇଛନ୍ତି ।