ବର୍ଦ୍ଧିତ ଦର ନେଲା ଜୀବନ
ଟମାଟୋ ଚାଷୀଙ୍କୁ ହତ୍ୟା, ବର୍ଦ୍ଧିତ ଦର ନେଲା ଜୀବନ

ଦେଶରେ ଆକାଶ ଛୁଆଁ ରହିଛି ଟମାଟୋ ଦର । ପ୍ରତିଦିନ ଟମାଟୋ ଦର ସହିତ ଜଡ଼ିତ ନୂଆ ନୂଆ ଖବର ସାମନାକୁ ଆସୁଥିବାବେଳେ ଆନ୍ଧ୍ରପ୍ରଦେଶରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ଅନ୍ନୋମେୟା ଜିଲ୍ଲାରେ ଏକ ଟମାଟୋ ଚାଷୀଙ୍କୁ ହତ୍ୟା କରାଯିବା ଖବର ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବଡିମଲ୍ଲାଦିନେ ଗାଁର ଟମାଟୋ ଚାଷୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଉଛନ୍ତି ରାଜଶେଖର ରେଡ୍ଡୀ । ସୂଚନା ଅନୁସାରେ, ଗାଁରୁ କିଛି ଦୂରରେ ଥିବା ନିଜ ଚାଷଜମି ନିକଟରେ ଏକ ଘରେ ରହୁଥିଲେ ରାଜଶେଖର । ମଙ୍ଗଳବାର ରାତିରେ ଗାଁ ନିକଟକୁ ଯାଉଥିବାବେଳେ ହଠାତ୍ କିଛି ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ଅଟକାଇ ଧମକ ଚମକ ଦେଇଥିଲେ । ଖାଲି ସେତିକି ନୁହେଁ, ଦୁର୍ବୃତ୍ତ ମାନେ ରାଜଶେଖରଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ ।
ଏକ ଗାମୁଛା ସାହାଯ୍ୟରେ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡିଛି । ତେବେ ଘଟଣା ଘଟିବାର କିଛି ସମୟ ପୂର୍ବରୁ, କେତେକ ଅଜଣା ବ୍ୟକ୍ତି ରାଜଶେଖରଙ୍କ ପତ୍ନୀଙ୍କୁ ଟମାଟୋର ମଞ୍ଜି ମାଗିଥିବା ନେଇ ପୋଲିସ ନିକଟରେ ବୟାନ ଦେଇଛନ୍ତି ମୃତକଙ୍କ ସ୍ତ୍ରୀ । ଏହାପରେ ରାଜଶେଖରଙ୍କ ସମ୍ପର୍କରେ ପଚାରିଥିଲେ ଦୁର୍ବୃତ୍ତ । ତେବେ ରାଜଶେଖରଙ୍କ ପତ୍ନୀ ସେମାନଙ୍କୁ ଠିକଣା ଜଣାଇବା ପରେ ଅଭିଯୁକ୍ତମାନେ ତୁରନ୍ତ ସେହି ସ୍ଥାନରୁ ଚାଲିଯାଇଥିଲେ । ଏହାପରେ ଅଭିଯୁକ୍ତମାନେ ଟମାଟୋ ଚୋରି କରିବାକୁ ଯାଇ ରାଜଶେଖରଙ୍କୁ ପ୍ରଥମେ ଆକ୍ରମଣ କରିବା ସହ ପରେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଶେଖର ଘରକୁ ନଫେରିବାରୁ ତାଙ୍କ ପତ୍ନୀ ଚିନ୍ତିତ ହୋଇପଡିଥିଲେ । ବହୁ ଖୋଜାଖୋଜି ପରେ ଶେଷରେ ରାସ୍ତା କଡ଼ରୁ ରାଜଶେଖରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।