୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ
ସିଧାସଳଖ କ୍ୟାପିଟାଲ ଲ କଲେଜକୁ ଯାଇ ଦେଲେ ପରୀକ୍ଷା । କହିଲେ, ତଦନ୍ତରେ କରିବେ ସହଯୋଗ

୧୪ ମାସ ପରେ ଜେଲରୁ ମୁକୁଳିବାର ଆନନ୍ଦ । ଶେଷରେ ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା ନାଗ । ଜାମିନ ପାଇବା ପରେ ମଙ୍ଗଳବାର ଦିନ ଝାଡପଡା ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା । ସକାଳୁ ସକାଳୁ ଅର୍ଚ୍ଚନାଙ୍କୁ ନେବାକୁ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜେଲ ଆସିଥିଲେ । ଆଉ ଜେଲରୁ ବାହାରିବାବେଳେ ଅର୍ଚ୍ଚନାଙ୍କ କହିବା ଶୈଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ବହୁତ କନଫିଡେଣ୍ଟ ଲାଗୁଥିଲେ । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଥିଲେ, ସବୁ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବି । ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବି । ଯେଉଁମାନେ କଣ୍ଟା ବିଛାଇଥିଲେ , ତାହା ଫୁଲରେ ପରିଣତ ହୋଇଛି । କୋର୍ଟ ଉପରେ ଭରସା ରହିଛି । ଯେଉଁମାନେ ଫସାଇବାକୁ ଚାହିଁଛନ୍ତି ସେମାନଙ୍କ ମୁଖା ଖୋଲିବି ।
କାହାର ମୁଖା ଖୋଲିବେ ଅର୍ଚ୍ଚନା?
ପୁଣି ଦୋହଲି ବି କି ଓଡିଶା?
ବଡବଡିଆଙ୍କ ବଢିଲାଣି ହାର୍ଟବିଟ୍
ଜେଲରୁ ବାହାରିବା ପରେ ଅର୍ଚ୍ଚନା ନାଗ ସିଧା ଭୁବନେଶ୍ୱର ସ୍ଥିତ ଘରକୁ ଯାଇଥିଲେ । ସେଠାରେ ତାଙ୍କୁ ଘର ଲୋକେ ମିଠା ଖୁଆଇ ସ୍ୱାଗତ କରିଥିଲେ । ପରେ ସେ ଲ’ ପରୀକ୍ଷା ଦେବାକୁ କ୍ୟାପିଟାଲ ଲ କଲେଜ ଯାଇଥିଲେ । ଆଉ ଏଠାରେ ବି ସେହି ପୁରୁଣା କଥା ଦୋହରାଇଥିଲେ । କହିଥିଲେ, ସେ ମୁଣ୍ଡ ନୁଆଁଇବା ପିଲା ନୁହନ୍ତି । କୋର୍ଟକୁ ସବୁ ତଥ୍ୟ ଦେବେ । ପୂର୍ବରୁ ଅର୍ଚ୍ଚନା କହିଥିଲେ ସେ ମୁହଁ ଖୋଲିଲେ ସାରା ଓଡିଶା ଦୋହଲିଯିବ । ଏବେ ଅର୍ଚ୍ଚନା କାହା ନାଁ ନେବେ ଏବଂ କି ବିସ୍ଫୋରଣ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।
ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରି ଟଙ୍କା ମାଗିବା ଅଭିଯୋଗରେ ୬ ଅକ୍ଟୋବର ୨୦୨୨ ମସିହାରେ ଅର୍ଚ୍ଚନା ନାଗଙ୍କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଥିଲା । ଏହାପରେ ଅନ୍ୟ ଏକ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା । ସେ ସମୟରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ନାଗଙ୍କ ସାମ୍ରାଜ୍ୟ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ବ୍ଲାକମେଲିଂ ଓ ହନିଟ୍ରାପ ଭଳି ମାମଲାରେ ଛନ୍ଦି ହୋଇପଡିିଥିଲେ ଅର୍ଚ୍ଚନା । ବଡବଡିଆଙ୍କୁ ହନିଟ୍ରାପ କରି ଟଙ୍କା ହଡପ କରିଥିବା ଅଭିଯୋଗ ଆସିଥିଲା । ଏଥିରେ ବଡ ବଡ ନେତା, ପ୍ରଶାସକ, ସିନେମା ପ୍ରଯୋଜକଙ୍କ ନାଁ ସାମ୍ନାକୁ ଆସିଥିଲା । ଅର୍ଚ୍ଚନାଙ୍କ ଦାମୀ ଗାଡି ବି ସିଜ୍ ହୋଇଥିଲା । ଏହା ସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇଥିଲେ । ଏହି ଘଟଣାରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଓ ଖଗେଶ୍ୱର ପାତ୍ର ବି ଆଇନର ଜାଲରେ ଛନ୍ଦି ହୋଇଛନ୍ତି ।