ପାନ ଓ କିଆଫୁଲ ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ସହାୟତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆ ଫୁଲ ଚାଷୀ ମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସଂପର୍କରେ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ସେ ସବୁର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢୀ, ସମବାୟ ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକର ନିଷ୍ପତ୍ତି ଅନୁଯାୟୀ, ସବୁ ପାନ ଚାଷୀ ମାନଙ୍କୁ ରାଜ୍ୟ ଯୋଜନାର ସ୍ବତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅତି କମ୍ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ଚାଷୀ ମାନେ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ ।
ପାନ ବରଜ ଥିବା ଚାଷୀ ମାନଙ୍କୁ ଏହାର ପରିଚାଳନା ପାଇଁ ୟୁନିଟ ପିଚ୍ଛା ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଜଣେ ଚାଷୀକୁ ସର୍ବାଧିକ ଦୁଇଟି ୟୁନିଟ ପାଇଁ ସହାୟତା ମିଳିବ। ପାନ ଚାଷ ପାଇଁ କିଶାନ କ୍ରେଡିଟ କାର୍ଡ ଜରିଆରେ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।
ପାନ ପତ୍ର ବ୍ୟବସାୟରେ ଜିଏସ୍ଟି ଲାଗୁ ସଂପର୍କରେ ଜିଏସଟି କମିଶନରଙ୍କୁ ଠାରୁ ସ୍ପଷ୍ଟୀକରଣ ମଗାଯିବା ସହିତ ଏହା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପାନ ପତ୍ର ପ୍ରକ୍ରିୟାକରଣ ୟୁନିଟ ଗୁଡିକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସବ୍ସିଡି ଯୋଗାଇ ଦିଆଯିବ। ଏଥିପାଇଁ ଆପିକଲ୍ ପକ୍ଷରୁ ଏକ ଡି.ପି.ଆର ପ୍ରସ୍ତୁତ କରାଯିବ।
ସେହିପରି ଗଞ୍ଜାମର କିଆଫୁଲ ଚାଷୀମାନଙ୍କୁ ମଧ୍ୟ ଜାତୀୟ ଉଦ୍ୟାନ କୃଷି ଅଧୀନରେ ପ୍ରୋତ୍ସାହନ ଦିଆଯିବ। ଉଦ୍ୟାନ କୃଷି ମିଶନର ସହାୟତା ସହିତ ରାଜ୍ୟ ବଜେଟରୁ କିଆଫୁଲ ଚାଷ ପାଇଁ ଅତିରିକ୍ତ ସହାୟତା ମଧ୍ୟ ଦିଆଯିବ।