କୋଇଲା ଚୁଲା ପାଇଁ ହୋଟେଲ୍‌ ସିଲ୍‌

କୋଇଲା ଚୁଲା ପାଇଁ ହୋଟେଲ୍‌ ସିଲ୍‌

କୋଇଲା ଚୁଲାରେ କେହି ରେଷେଇ କରି ପାରିବେନି। ପରିବେଶ ପ୍ରଦୂଷଣ କରୁଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି ବିଏମ୍‌ସି। ଏହି କ୍ରମରେ ଆଜି ଷ୍ଟେସନ ଅଞ୍ଚଳରେ ଥିବା କସ୍ତୁରି ରେସ୍ତୋରାଁକୁ ବିଏମ୍‌ସି ସିଲ୍‌ କରିଛି। ତା’ ସହିତ ପାଖାପାଖି ଥିବା କେତେକ ଖାଇବା ହୋଟେଲ୍‌କୁ ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଦଳ ‘ଟିମ୍‌ ସାଇନ୍‌’ ନୋଟିସ୍‌ ଦେଇଛି। ଭବିଷ୍ୟତରେ ଏଭଳି ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଏମ୍‌ସିର ପାତରଅନ୍ତର ଅଭିଯୋଗ ଆସିଛି। ହାତଗୁଞ୍ଜା ନେଇ କେତେକ ବ୍ୟବସାୟୀଙ୍କୁ ଏହି ଟିମ୍‌ ଛାଡ଼ି ଦେଉଥିବ‌ା ବେଳେ ଯିଏ ହାତଗୁଞ୍ଜା ଦେଉନି ତା ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ପ୍ରଦର୍ଶନୀ ପଡ଼ିଆ ସାମ୍ନାରେ ନକଲି ଢାବା ରହିଛି। ବର୍ଷ ବର୍ଷ ଧରି ଏଠାରେ କୋଇଲା ଚୁଲାରେ ରୋଷେଇ ହେଉଥିବା ବିଏମ୍‌ସିକୁ ଅଭିଯୋଗ ଆସିଛି। କିନ୍ତୁ ବିଏମ୍‌ସି ଏଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏପରିକି ଡଟ୍‌ଫେଷ୍ଟ ସମୟରେ ଏହି ଅଞ୍ଚଳରୁ ସମସ୍ତ ଜବରଦଖଲ ହଟା ଯାଇଥିଲେ ମଧ୍ୟ ଏହି ଢାବାକୁ ସୁରକ୍ଷା ଦିଆଯାଇଥିଲା। ଫେଷ୍ଟ୍‌ ସରିବା ପରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଠିକ୍‌ ତାହା ହିଁ ଘଟିଲା। ଏବେ ଏହି ଢାବା ଖୋଲିବା ସହ ବେପାର କରୁଛି।

ମାସିକିଆ ବଟି ନେଇ ବିଏମ୍‌ସି ଅଧିକାରୀ ଏହାକୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି। ଏହା ପାଖରେ ଥିବା ଆଉ ଏକ ହୋଟେଲ୍‌ ନାମରେ ମଧ୍ୟ ଅନୁରୂପ ଅଭିଯୋଗ ରହିଛି। ଠିକ୍‌ ସେହିଭଳି ଜଗମୋହନ ନଗରରେ ଦେବଦାସ ରେସ୍ତୋରାଁ ସାମ୍ନାରେ ଏକ ଢାବା ମଧ୍ୟ କୋଇଲା ଚୁଲା ବ୍ୟବହାର କରୁଛି। ସହର ସାରା ଏଭଳି ଶହ ଶହ ଅଭିଯୋଗ ରହିଛି। କିନ୍ତୁ ବିଏମ୍‌ସି ବାଛି ବାଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି। ଏନ୍‌ଫୋର୍ସମେଣ୍ଟ ଟିମ୍‌ ମଧ୍ୟ ବିଭିନ୍ନ ସମୟରେ ଆକ୍ରୋଶର ଶିକାର ହେଉଛି।