ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ ୨ ଗୁରୁତର , ବିସ୍ଫୋରଣ କାରଣ ଅସ୍ପଷ୍ଟ

କାରଖାନାରେ ବାଣତିଆରି ଚାଲିଥିବାବେଳେ ହଠାତ ବିସ୍ଫୋରଣ ଘଟିଥିଲା, ଏହି ବାଣ ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ

ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ  ୨ ଗୁରୁତର , ବିସ୍ଫୋରଣ କାରଣ ଅସ୍ପଷ୍ଟ

ଜଗତସିଂହପୁର / ବାଲିକୁଦା : ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଇଚ୍ଛାପୁର ଗାଁରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଇଚ୍ଛାପୁର ମାଧୁରୀ ବଜାରରେ ଘଟିଛି ଏଭଳି ଘଟଣା । ବିସ୍ଫୋରଣରେ ପୋଡ଼ିଯାଇ ବାଣ କାରଖାନା ମାଲିକ ଗୁରୁତର ଆହତ ହେବା ସହ ତାଙ୍କୁ ଚିକିତ୍ସା ପାଇଁ ଏସସିବି ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଅନ୍ୟ ଜଣେ ଗୁରୁତର ଜଗତସିଂହପୁର ଜିଲା ମେଡ଼ିକାଲରେ ଚିକିତ୍ସା ପଇଁ ଭର୍ତ୍ତି କରାଯାଇଛି। ମୃତାହତମାନେ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଇଚ୍ଛାପୁର ଓ ଆଖାପାଖ ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଦିଲୁ ମହାନ୍ତି। ତାଙ୍କ ଘର ଇଚ୍ଛାପୁରରେ। ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା। ସେହି ସମୟରେ ବାଣ କାରଖାନାରେ ବାଣ ତିଆରି ଚାଲିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ପୂରା କାରଖାନାଟି ଛାରଖାର ହୋଇଯାଇଛି। କାରଖାନାର ଇଟା ଓ ସିମେଣ୍ଟ କାନ୍ଥ ଭୁଶୁଡ଼ି ପଡ଼ିଛି। ବାଣ କାରଖାନା ପାଖରେ ଥିବା ଏକ ଘର ଓ ଏକ ଧାନ ଗଦା ଜଳି ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ଜଣାପଡ଼ି ନାହିଁ।