ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପୁରୀରୁ ହାୱଡା ଅଭିମୁଖେ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍
ପୁରୀରୁ ହାୱଡା ଅଭିମୁଖେ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି। ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥ କହି ନିଜର ଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ ଯେ ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନେ୍ଦ ଭାରତ ଉପହାର ମିଳିଲା । ବନେ୍ଦ ଭାରତରେ ଭାରତର ଗତି ଓ ପ୍ରଗତି ପ୍ରତିଫଳିତ ହୋଇଛି । ପୁରୀ-କୋଲକାତା ଯାତ୍ରା କେବଳ ସାଢେ ୬ ଘଣ୍ଟାରେ ହୋଇଯିବ । ଏହା ଦ୍ୱାରା ସମୟ ବଞ୍ଚିବ ଓ ବ୍ୟବସାୟ କାରବାର ବି ବଢିବ । ଭାରତୀୟ ରେଳ ଭଳି ବେନ୍ଦ ଭାରତ ଟ୍ରେନ ସମସ୍ତଙ୍କୁ ଯୋଡ଼ିବ । ଓଡ଼ିଶା-ପଶ୍ଚିମବଙ୍ଗର ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମ୍ବନ୍ଧକୁ ସମୃଦ୍ଧ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହା ସହ ପ୍ରଧାନମନ୍ତ୍ରୀ ରାଜ୍ୟରେ ୮,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଅନେକ ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଟ୍ରେନ୍ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଯିବ । ଉକ୍ତ ଟ୍ରେନ ଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅନୁଭୂତି ପ୍ରଦାନ କରିବ । ପର୍ୟ୍ୟଟନକୁ ତ୍ୱରାନ୍ୱିତ କରିବା ସହ ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ପ୍ରମୁଖ କାର୍ୟ୍ୟକ୍ରମରେ ସାମିଲ ଥିଲେ।









