ମହାପ୍ରଭୁଙ୍କ ରତ୍ନପଲଙ୍କର ହେବ ମରାମତି
ମହାପ୍ରଭୁଙ୍କ ରତ୍ନପଲଙ୍କର ହେବ ମରାମତି । ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ ହେବ

ମହାପ୍ରଭୁଙ୍କ ରତ୍ନପଲଙ୍କର ହେବ ମରାମତି । ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ ହେବ । ରଥଯାତ୍ରା ଅବଧି ସମୟରେ କାମ ସାରିବାକୁ ନିଷ୍ପତ୍ତି । ଆବଶ୍ୟକ ରୁପା ଦାତା ଯୋଗାଇ ଦେବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ନେଇ ସୂଚନା ଦେଇଛନ୍ତି ।
କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜଦନ୍ତ ରତ୍ନ ପଲଙ୍କ ପୁରୁଣା ହୋଇଗଲାଣି। ପଲଙ୍କର ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ଭାଙ୍ଗି ଦୋହଲିଲାଣି। ଲାଗିଥିବା ରୁପା ଛାଡିଗଲାଣି। ତେଣୁ ଏହାକୁ ମରାମତି କରାଯିବ। ସେହିପରି ଆଉ ଏକ ସେଟ୍ ରତ୍ନ ପଲଙ୍କ ନୂତନ ଭାବେ ତିଆରି କରାଯିବ। ଶନିବାର ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ନିଷ୍ପତ୍ତି। ସେହିପରି ସିଂହଦ୍ୱାର ରୂପା ଛାଉଣୀ ହେବ। ଏଥିପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ବହନ କରିବା ଲାଗି ଜଣେ ଦାତା ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଆସନ୍ତା ରଥଯାତ୍ରା ସମୟରେ ଏହିସବୁ କାମ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଶ୍ରୀମନ୍ଦିରର ଅନ୍ୟ ତିନିଦ୍ୱାର ରୁପା ଛାଉଣୀ କରାଯିବା ଲାଗି ଆଲୋଚନା କରାଯାଇଛି।
ସେପଟେ, ରଥଖଳାରେ ତିନିରଥର ନିର୍ମାଣ କାର୍ୟ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଇତିମଧ୍ୟରେ ତିନି ରଥର ଦଣ୍ଡା ଫ୍ରେମ୍ ନମ୍ବରିଂ ଓ କଳସା କାର୍ୟ୍ୟ ଶେଷ ହୋଇଛି। କଣ୍ଟା ବସିବା ପାଇଁ ଅଗର ବିନ୍ଧ ପରେ ଦଣ୍ଡା ଫ୍ରେମ୍ର ବିଭିନ୍ନ ଅଂଶ ଖୋଲାଯାଇଛି । ତିନି ରଥର ଚକ ଦିଗ ନିର୍ଣ୍ଣୟ କାର୍ୟ୍ୟ ତିନି ମୁଖ୍ୟ ମହାରଣା ଭୋଇ ସେବକଙ୍କ ସହଯୋଗରେ ସମ୍ପାଦିତ କରିବେ । ଯେପରି ତିନିରଥ ବିନା ବାଧାରେ ସିଂହଦ୍ୱାର ଚକଡ଼ରେ ନିଜ ନିଜ ସ୍ଥାନରେ ପହଞ୍ଚି ପାରିବେ, ସେ ଅନୁସାରେ ରଥ ଚକ ରହିବାର ଦିଗ ନିର୍ଣ୍ଣୟ ହେବ। ଏହା ପରେ ଅଖ ଉପରେ ଭୂଇଁ ପଡ଼ିବ ।
ତିନି ରଥର ଚାଳି ଉପରେ ନଜର ପକାଇଲେ ଆଜି ଅଣସର ପାଇଁ ତାଳଧ୍ବଜ ରଥର ୧୮ ଫୁଟିଆ ତିନୋଟି ଅଣସର ଗୟଳ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇ ଚଉପଟ କାର୍ୟ୍ୟ ଶେଷ ହୋଇଛି । ଦୁଇଟି ବଡ଼ ପୋଲ ଗୟଳର ଚଉପଟ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଚାରି ନାହାକାର ମୁହଁ ସାଲ କାର୍ୟ୍ୟ ଶେଷ ହୋଇଛି । ଦୁଇଟି ଲେଖାଏଁ ଧୂଳି ଦଣ୍ଡା ନିର୍ମାଣ ପାଇଁ ଭୋଇ ସେବକମାନେ ୨୦ ଫୁଟିଆ କାଠ ତିନି ଚାଳିକୁ ଯୋଗାଇ ଦେଇଛନ୍ତି । ଧୂଳି ଦଣ୍ଡାର ହଣା କାର୍ୟ୍ୟ ବି ଆରମ୍ଭ ହୋଇଛି। ଧୂଳି ଦଣ୍ଡାର ଦୁଇପାର୍ଶ୍ବ ଗୋଲାକାର କରାଯିବ । ତାଳଧ୍ବଜ ରଥର ଚାର ପରିଚ୍ଛା ଚଉପଟ କାମ ଆଜି ଶେଷ ହୋଇଛି । ଭୂଇଁ ଓରା, ଭୂଇଁ ଖମ୍ବି, ପୋଟଳ ପାରେଣି, ପୋଟଳ ନାହାକା ନିର୍ମାଣ ବି ଶେଷ ହୋଇଛି । ଦର୍ପଦଳନ ରଥର ଦଣ୍ଡା ଫ୍ରେମ୍ ନମ୍ବରିଂ, କଳସା ଓ ଅଗର ବିନ୍ଧ ପରେ ଖୋଲାଯାଇ ସାଇତା ଯାଇଛି