ଭାଷଣ ଓ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ ଶ୍ରମମନ୍ତ୍ରୀ ସାରଦା ନାୟକ
ବିଭିନ୍ନ ସମୟରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ ଚର୍ଚ୍ଚାରେ ରୁହନ୍ତି

ବିଭିନ୍ନ ସମୟରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ ଚର୍ଚ୍ଚାରେ ରୁହନ୍ତି । ଏବେ ନିଜ ଭାଷଣ ଓ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି ସାରଦା। ମଙ୍ଗଳବାର ରଘୁନାଥପାଲି ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳନ କରାଯାଇଥିଲା। ଦଳୀୟ ନେତା ନିଜ ଉଦ୍ବୋଧନରେ ବିଜୁବାବୁଙ୍କ ଗୌରବ ଗାନ କରିଥିଲେ। ଏହିକ୍ରମରେ ମନ୍ତ୍ରୀ ସାରଦା ତାଙ୍କ ଅଭିଭାଷଣରେ କହିଥିଲେ , ଯଦି ଆମେ ତୁଳନା କରିବା, ତା’ହେଲେ ନିଜକୁ ଜନ୍ମ ଦେଇଥିବା ବାପାଙ୍କଠାରୁ ବି ବିଜୁବାବୁଙ୍କ ସ୍ଥାନ ଉପରେ ରହିବ। ଏହି କାର୍ଯ୍ୟକ୍ରମରେ ସାରଦା ଆଉ ମଧ୍ୟ କହିଥିଲେ ‘ଆଜି ବହୁତ ଦିନର ଦାବି ବୋଧହୁଏ ପୂରଣ ହେବ। ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନରେ ସମ୍ମାନିତ କରାଯିବ। ଆଜି ଯେଉଁ ଭାରତରତ୍ନ ମିଳିବ, ସେଥିରେ କିନ୍ତୁ କିଛି ରାଜନୈତିକ ଗନ୍ଧ ରହିବ’। ସୂଚନାନୁସାରେ ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଓଡ଼ିଶା ଗସ୍ତ ଅବସରରେ ବିଜୁ ପଟ୍ଟନାୟକଙ୍କୁ ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ଘୋଷଣା କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ତାହା ହୋଇନଥିଲା। ତେଣୁ ସାରଦାଙ୍କ ବକ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ସମାଲୋଚକମାନେ କଟାକ୍ଷ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ସାରଦା ବିଭିନ୍ନ କାରଣରୁ ଚର୍ଚ୍ଚା ଓ ବିବାଦରେ ରହିଥିଲେ। ରାଉରକେଲା ସରକାରୀ ଡାକ୍ତରଖାନାରେ ରକ୍ତଦାତାଙ୍କ ରକ୍ତ ଟାଣିବା, କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇବା, ଡ୍ୟାନ୍ସ କରିବାକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।