ଓଡ଼ିଶା ଏକ ସମୃଦ୍ଧ କ୍ରୀଡ଼ା ହବ୍ : କ୍ରୀଡା ମନ୍ତ୍ରୀ
ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ

ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ । ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ନିଆଯାଇଥିବା ବିସ୍ତୃତ ଉନ୍ନୟନ ରିପୋର୍ଟ ଓ ଅନ୍ୟାନ୍ୟ ରୂପାନ୍ତରିତମୂଳକ ପଦକ୍ଷେପ ସମ୍ପର୍କରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେବା ସମୟରେ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନି କରି କ୍ରୀଡା ମନ୍ତ୍ରୀ ଶ୍ରୀ ବେହେରା ଅବଗତ କରାଇଥିଲେ ଯେ ଓଡ଼ିଶା ଏହାର ଅସାଧାରଣ ଭିତ୍ତିଭୂମି, ସୁବିଧା ଏବଂ ଅନେକ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ ଯୋଗୁଁ କ୍ରୀଡ଼ା ପାଇଁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ଦ୍ରୁତ ଗତିରେ ଉଭା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ରାଜ୍ୟ ବିଭିନ୍ନ କ୍ରୀଡ଼ାର ପ୍ରୋତ୍ସାହନ ଓ ପ୍ରତିଭା ବିକାଶ ପାଇଁ ସକ୍ରିୟ ଭାବେ କାର୍ୟ୍ୟ କରୁଛି ଏବଂ ଏକ ସମୃଦ୍ଧ କ୍ରୀଡ଼ା ହବ୍ ଭାବେ ନିଜ ଯାତ୍ରା ପଥରେ ଆଗକୁ ବଢ଼ିଚାଲିଛି ।
୨୦୧୮ ଓ ୨୦୨୩ରେ ଏଫଆଇଏଚ୍ ହକି ବିଶ୍ୱକପର କ୍ରମାଗତ ସଂସ୍କରଣ ସଫଳତାର ସହ ଆୟୋଜନ କରି ଓଡ଼ିଶା ହକିର ଏକ ବିଶ୍ୱସ୍ତରୀୟ ହବ୍ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ଏହାବ୍ୟତୀତ ଓଡ଼ିଶା ଏଫଆଇଏଚ୍ ହକି ଜୁନିୟର ପୁରୁଷ ବିଶ୍ୱକପ୍, ପ୍ରୋ ଲିଗ୍, ଏଫ୍ଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ସ ଏବଂ ଏଫ୍ଆଇଏଚ୍ ସିରିଜ୍ ଫାଇନାଲ୍ସ ଭଳି ପ୍ରମୁଖ ହକି ଇଭେଣ୍ଟର ଆୟୋଜନ କରି ହକି ପାଇଁ ଏକ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି । କଳିଙ୍ଗ ହକି ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱର ଶ୍ରେଷ୍ଠ ହକି ଷ୍ଟାଡିୟମ ଭାବେ ମାନ୍ୟତା ଲାଭ କରିଛି ।
ଅନ୍ୟାନ୍ୟ କ୍ରୀଡ଼ାରେ ଉଲ୍ଲେଖନୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି। ଫୁଟବଲରେ ରାଜ୍ୟ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଏବଂ ସାଫ୍ ୨୦ ବର୍ଷରୁ କମ୍ ଚାମ୍ପିୟନସିପ୍ ସଫଳତାର ସହ ଆୟୋଜନ କରି ବିଶ୍ୱର ପ୍ରତିଭାବାନ ଯୁବ ଫୁଟବଲରମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଛି । ଓଡ଼ିଶା ଓପନ୍, ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍ ଏବଂ ବିଭିନ୍ନ ଜାତୀୟ ପ୍ରତିଯୋଗିତା ଓଡ଼ିଶାକୁ ଭାରତର ଏକ କ୍ରୀଡ଼ା ହବ୍ ଭାବେ ପରିଚୟ ଆଣିଦେଇଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ସୁପର କପ୍ ଚାମ୍ପିୟନ ଓଡ଼ିଶା ଏଫ୍.ସି.ର ଘରୋଇ ପଡ଼ିଆ ଭାବେ କାର୍ୟ୍ୟ କରୁଛି। ଅଲ୍ଟିମେଟ୍ ଖୋ ଖୋ ଲିଗରେ ଓଡ଼ିଶା ଜଗରନଟ୍ସ ରାଜ୍ୟର ଫ୍ରାଞ୍ଚାଇଜ୍ ହୋଇଛି ।
କର୍ପୋରେଟ ଏବଂ ବିଶିଷ୍ଟ କ୍ରୀଡ଼ାବିତମାନଙ୍କୁ ନେଇ ବିଭିନ୍ନ କ୍ରୀଡ଼ା ବିଭାଗରେ ହାଇ ପରଫର୍ମାନ୍ସ ସେଣ୍ଟର ଆରମ୍ଭ କରାଯିବା ସହିତ ଏକ ଅନନ୍ୟ ଭାଗିଦାରୀ ମଡେଲ ଆପଣେଇ ଓଡ଼ିଶା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି, ଯେଉଁଥିପାଇଁ ବିଭିନ୍ନ ସ୍ତରରେ ଅନେକ ପ୍ରଶଂସା ମିଳିଛି । ଏହା କେବଳ ହକି ଇଣ୍ଡିଆକୁ ଆଉ ୧୦ ବର୍ଷ ପାଇଁ ପ୍ରାୟୋଜିତ କରୁନାହିଁ ବରଂ ଫୁଟବଲ୍, ରଗବି, ଖୋ ଖୋ ଓ ସୁଇମିଂ ରେ ଜାତୀୟ ମହାସଂଘକୁ ମଧ୍ୟ ସହାୟତା ପ୍ରଦାନ କରୁଛି ।