ଅକ୍ଟୋବର ୨୩ରୁ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ୩ଦିନ ବନ୍ଦ ରହିବ ପାଠପଢ଼ା
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ରାଜ୍ୟ ସରକାର ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ୧୪ଟି ଜିଲ୍ଲାରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ୩ ଦିନ ଛୁଟି ରଖିବା ନେଇ ନିଷ୍ପତ୍ତି ନେଇଛନ୍ତି

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ରାଜ୍ୟ ସରକାର ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ୧୪ଟି ଜିଲ୍ଲାରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ୩ ଦିନ ଛୁଟି ରଖିବା ନେଇ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛୁଟି ନେଇ ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆରସି) ଦେଓ ରଂଜନ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏସ୍ଆରସି ଶ୍ରୀ ସିଂ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାର କଲେଜ, ବିଶ୍ବବିଦଞାଳୟ ସମେତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ଛୁଟି ରହିବ।
ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ପର୍ବରୁ ଏହି ଜିଲ୍ଲା ଗୁଡ଼ିକରେ ସମସ୍ତ ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି। କିନ୍ତୁ ସରକାର ଏପର୍ଯ୍ୟନ୍ତ ଅଙ୍ଗନବାଡ଼ି ଛୁଟି ନେଇ ଘୋଷଣା କରି ନାହାନ୍ତି।
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ପୁରୀ-ସାଗରଦୀପ ମଝିରେ ଲ୍ୟାଣ୍ଡଫଲ କରିବ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଅତି ଭୀଷଣ ରୂପ ନେଇ ବାତ୍ୟା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ। କିନ୍ତୁ ଅତିବେଶିରେ ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇାପାରେ।
ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାତ୍ୟା ସମୟରେ ଏହି ସବୁ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପିଛା ୬୦ରୁ ୯୦କିମି ରହିବ। ଅତ୍ୟଧିକ ପବନର ବେଗ ୧୦୦କିମି ପର୍ଯ୍ୟନ୍ତ ରହିପାରେ। ସେହିପରି ପବନର ବେଗ ଘଣ୍ଟା ପିଛା ୫୦ରୁ ୬୦କିମି ହେବାକୁ ଥିଲା ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ନୟାଗଡ଼ ଓ ଗଂଜାମ। ଏହି ସବୁ ଜଲ୍ଲାରେ ପବନର ବେଗ ଘଣ୍ଟା ପିଛା ସର୍ବାଧିକ ୭୦ କିମି ରହିପାରେ।