ମଣିପୁର ପୁଣି ଅଶାନ୍ତ, ରାଜ୍ୟ ବିଜେପି ସଭାପତିଙ୍କ ଘର ଉପରେ ଆକ୍ରମଣ

ନିଖୋଜ ଦୁଇ ଛାତ୍ରଙ୍କ ହତ୍ୟା ପରେ ମଣିପୁର ପୁଣି ଅଶାନ୍ତ ହୋଇପଡିଛି । ଦୁଇ ଛାତ୍ରଙ୍କ ହତ୍ୟା ବିରୋଧରେ ରାଜଧାନୀ ଇମ୍ଫାଲ ସହ ରାଜ୍ୟର ଅନ୍ୟ ଅଞ୍ଚଳରେ ଆନ୍ଦୋଳନ ତେଜିବାରେ ଲାଗିଛି

ମଣିପୁର ପୁଣି ଅଶାନ୍ତ, ରାଜ୍ୟ ବିଜେପି ସଭାପତିଙ୍କ ଘର ଉପରେ ଆକ୍ରମଣ

ନିଖୋଜ ଦୁଇ ଛାତ୍ରଙ୍କ ହତ୍ୟା ପରେ ମଣିପୁର ପୁଣି ଅଶାନ୍ତ ହୋଇପଡିଛି । ଦୁଇ ଛାତ୍ରଙ୍କ ହତ୍ୟା ବିରୋଧରେ ରାଜଧାନୀ ଇମ୍ଫାଲ ସହ ରାଜ୍ୟର ଅନ୍ୟ ଅଞ୍ଚଳରେ ଆନ୍ଦୋଳନ ତେଜିବାରେ ଲାଗିଛି । ଥୋବାଲ ଜିଲ୍ଲାରେ ବିକ୍ଷୋଭକାରୀମାନେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି । ଏହାଛଡ଼ା ଇମ୍ଫାଲରେ ବିଜେପି ରାଜ୍ୟ ସଭାପତି ଶାରଦା ଦେବୀଙ୍କ ଘର ଉପରେ ଆକ୍ରମଣ ହୋଇଛି । ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷରେ ୧୦୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ବିକ୍ଷୋଭକାରୀଙ୍କ ଉପରେ ପୋଲିସ୍ ପେଲେଟ୍ ଗନ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ପୋଲିସ ଏକ ପ୍ରେସ ନୋଟ ଜାରି କରି କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ହିଂସା ମାମଲାରେ ୧୯୬୭ ଜଣଙ୍କୁ ଗିରଫ କରାଯାଇଛି। ଦୁଇ ଛାତ୍ରଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଜୟ ଭଟନାଗର ତାଙ୍କ ଟିମ୍ ସହିତ ବୁଧବାର ଏକ ସ୍ୱତନ୍ତ୍ର ବିମାନରେ ଇମ୍ଫାଲରେ ପହଞ୍ଚିଛନ୍ତି । ହିଂସା ଦୃଷ୍ଟିରୁ ରାଜ୍ୟରେ ପୁଣି ଇଣ୍ଟରନେଟ ସେବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।