ମହାନଦୀକୁ ପାଣି ଛାଡିଲା ଛତିଶଗଡ
ଚଳିତ ମୌସୁମୀ ଋତୁରେ ଛତିଶଗଡ଼ ପ୍ରଥମ ଥର ମହାନଦୀକୁ ଜଳ ଛାଡ଼ିଛି

ଚଳିତ ମୌସୁମୀ ଋତୁରେ ଛତିଶଗଡ଼ ପ୍ରଥମ ଥର ମହାନଦୀକୁ ଜଳ ଛାଡ଼ିଛି । ସ୍ବଳ୍ପ ବୃଷ୍ଟିପାତ ସାଙ୍ଗକୁ ଛତିଶଗଡ଼ର ମନମୁଖୀ ଯୋଗୁଁ ମହାନଦୀର ଓଡ଼ିଶା ପାର୍ଶ୍ବ ଟାଙ୍ଗରା ଭୂଇଁ ପାଲଟିଥିଲା । ତେବେ ଅଚାନକ ଛତିଗଗଡ଼ ସରକାର କଲମା ବ୍ୟାରେଜର ୫ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସିତ କରୁଛନ୍ତି । ଫଳରେ ଦୀର୍ଘଦିନ ଧରି ଶୁଖିଲା ପଡ଼ିଥିବା ମହାନଦୀର ଲଖନପୁର ବ୍ଲକ୍ ଶୁଖାସୋଢା, ଶରଧା ଘାଟ ଆଦି ସ୍ଥାନରେ ଗୁରୁବାର ସକାଳୁ ପ୍ରାୟ ଅଣ୍ଟାଏ ପାଣି ପ୍ରବାହିତ ହେଉଛି ।
କେବଳ କଲମା ବ୍ୟାରେଜରୁ ନୁହେଁ ବରଂ କେଲୋ ନଦୀର ଲାଖାଠାରେ ଥିବା କେଲୋ ଡ୍ୟାମ୍ରୁ ମଧ୍ୟ ଜଳ ନିଷ୍କାସନ ଆରମ୍ଭ ହୋଇଛି । ଫଳରେ ଛତିଶଗଡ଼-ଓଡ଼ିଶା ସୀମାନ୍ତ ଦେଇ ପ୍ରବାହିତ କେଲୋ ନଦୀ କୂଳର ଲୋକେ ଆଶ୍ବସ୍ତି ଅନୁଭବ କରିଛନ୍ତି । ଗୋଟିଏ ପଟେ ଛତିଶଗଡ଼ରେ ବର୍ତ୍ତମାନ ସୁଦ୍ଧା ମୌସୁମୀ ବର୍ଷା ହୋଇନଥିବା ବେଳେ ଆଉ ଗୋଟିଏ ପଟେ ବନ୍ଧ ବାନ୍ଧି ପାଣିକୁ ଅଟକାଇ ରଖିଥିବା ଛତିଶଗଡ଼ ସରକାର ପାଣି ଛାଡ଼ି ଦେଇଛନ୍ତି । ଯାହାକୁ ନେଇ ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ଏବେ ଦ୍ବନ୍ଦ୍ବ ସୃଷ୍ଟି କରିଛି ।
ଗତ ୧୬ ତାରିଖରୁ କଲମା ବ୍ୟାରେଜ ଦେଇ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବା ନେଇ ସେଠାକାର ସରକାର ସୂଚନା ଦେଇଥିଲେ । ତେବେ ଠିକ୍ ସମୟରେ ମୌସୁମୀ ନପହଞ୍ଚିବାରୁ ୧୬ ତାରିଖରେ ଗେଟ୍ ଖୋଲାଯାଇନଥିଲା । ଏହାପରେ ଛତିଶଗଡ଼ ସରକାର ଏକାସାଙ୍ଗରେ କଲମା ବ୍ୟାରେଜର ୧୦ଟି ଗେଟ୍ ଖୋଲି ଦେଇଥିବା ବେଳେ ପୁଣି କିଛି ସମୟ ଭିତରେ ୫ଟି ଗେଟ୍ ବନ୍ଦ କରିଦେଇଥିଲେ । ଫଳରେ ବର୍ତ୍ତମାନ କଲମା ବ୍ୟାରେଜର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ସେହିଭଳି କେଲୋ ଡ୍ୟାମ୍ର ମଧ୍ୟ ୨ଟି ଗେଟ୍ ଦେଇ ପାଣି ଛଡ଼ାଯାଇଥିବା ନେଇ ସୂଚନା ମିଳିଛି ।