ଟ୍ରେନ ଦୁର୍ଘଟଣାସ୍ଥଳରେ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ହସ୍ପିଟାଲର ଯାଇ ଆହତମାନଙ୍କୁ ଭେଟିଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ସ୍ଥଳ ଯାଇ ସ୍ଥିତିର ସମୀକ୍ଷା କରିଥିଲେ।

ଟ୍ରେନ ଦୁର୍ଘଟଣାସ୍ଥଳରେ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ହସ୍ପିଟାଲର ଯାଇ ଆହତମାନଙ୍କୁ ଭେଟିଲେ

ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ସ୍ଥିତିର ସମୀକ୍ଷା କଲେ, ଆହତଙ୍କୁ ଭେଟିଲେ

ବାଲେଶ୍ୱର /ବାହାନଗା: ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି। ଆଜି ସକାଳ ସାଢେ ୮ଟାରେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ୫ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି।

ଏହାଛଡ଼ା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଓ ଗୁରୁତର ଯାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଲୋକଙ୍କୁ ପ୍ରଶଂସା କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଯେଉଁଭଳି ଭାବେ ନିଃସ୍ବାର୍ଥ ଭାବେ ସହଯୋଗ କରିଛନ୍ତି, ଏହାକୁ ଭୁଲି ହେବ ନାହିଁ।

ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ଯାଇ ଆହତମାନଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଶୂକ୍ରବାର କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେଲା ପରେ ଯାତ୍ରୀମାନଙ୍କୁ ଉଦ୍ଧାର ସହ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍‌କାଳ ପଦକ୍ଷେପ ନିଆଯାଇଛି। ରାତିରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ କାର୍ଯ୍ୟାଳୟର କଣ୍ଟ୍ରୋଲ୍‌ ରୁମ୍‌କୁ ଯାଇ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥ‌ିଲେ। ସେଠା‌ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାଲେଶ୍ବର ଜିଲ୍ଲାପାଳଙ୍କ ସହ କଥା ହୋଇ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ କହିଥିଲେ। ରାଜ୍ୟ ପ୍ରଶାସନ ପକ୍ଷରୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ। ସେଠାରେ ମୁଖ୍ୟ ଶାସନ ସଚିବ ପି କେ ଜେନା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଶନିବାର ସକାଳେ ନିଜେ ଦୁର୍ଘଟଣାସ୍ଥଳକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏବେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଥିଲେ।

ସେହିପରି ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ: ଉଦ୍ଧାରକାର୍ଯ୍ୟ ଓ ଆହତଙ୍କ ଚିକିତ୍ସାକୁ ସର୍ବାଧିକ ଗୁରୁତ୍ବ

ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଘଟଣାସ୍ଥଳରେ ପହଞ୍ଚି ସେ  ସ୍ଥିତି ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ, ଗୁରୁତରଙ୍କ ଚିକିତ୍ସା ଓ ମୃତକଙ୍କ ଚିହ୍ନଟ ସହ ସେମାନଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତରକୁ  ସର୍ବାଧିକ ଗୁରୁତ୍ବ ଦିଆଯାଉଛି।  ଉଦ୍ଧାର କାର୍ଯ୍ୟ ଓ ଗୁରୁତର ତଥା ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା ଏ ନେଇ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଏହା ଏକ ବଡ଼ ରେଳ ଦୁର୍ଘଟଣା। ରେଳବାଇ, ଏନଡିଆରଏଫ, ଏସଡିଆରଏଫ ଏବଂ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ କରୁଛନ୍ତି। ସର୍ବୋତ୍ତମ ସମ୍ଭାବ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଗତକାଲି କ୍ଷତିପୂରଣ ଘୋଷଣା କରାଯାଇଥିଲା। ଦୁର୍ଘଟଣାର କାରଣ ଅବଗତ ହେବା ଲାଗି ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ କୋଲକାତା – ଚେନ୍ନାଇ ମାର୍ଗରେ ରେଳଚଳାଚଳକୁ କିପରି ଯଥାଶୀଘ୍ର ସ୍ବାଭାବିକ କରାଯିବ ସେ ଦିଗରେ ମଧ୍ୟ ତୁରନ୍ତ କାର୍ଯ୍ୟାରମ୍ଭ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍‌ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼ାରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୩୩ ଜଣ ଯାୁତ୍ରୀ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନ ବଗିରେ ଏବେ ବି ଅନେକ ସଂଖ୍ୟାରେ ଯାତ୍ରୀ ଚାପି ‌ହୋଇ ରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ୨୫୦ ଟପିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକେ ଦେବଦୂତ ସାଜି ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଦୁଇଟି ଏକ୍ସପ୍ରେସ ଟ୍ରେନ ସହିତ ଏକ ମାଲଗାଡ଼ି ମଧ୍ୟ ଏହି ଦୁର୍ଘଟଣାରେ ସଂପୃକ୍ତ ରହିଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ରେଳ ମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଡାଉନ୍ ଲାଇନ୍‌ରେ ବାଙ୍ଗାଲୁରୁରୁ ହାୱଡ଼ା ଯାଉଥିବା ଯଶୋବନ୍ତପୁର-ହାୱଡା ସୁପରଫାଷ୍ଟ ଟ୍ରେନ୍ (ନଂ ୧୨୮୬୪)ର ୨ଟି ବଗି ବାହାନଗା ଷ୍ଟେସନ୍‌ ଉତ୍ତର କ୍ୟାବିନ୍ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ସମୟରେ ଅପ୍‌ ଲାଇନରେ ଆସୁଥିବା ଶାଲିମାର
ହାୱାଡା-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସ‌ପ୍ରେସ (ଟ୍ରେନ ନଂ ୧୨୮୪୧) ସହ ଧକ୍କା ହୋଇ ତା’ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ କରମଣ୍ଡଳ ଟ୍ରେନ୍‌ର ୫ଟି ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିବା ବେଳେ ୧୪ରୁ ଅଧିକ ବଗି ଲାଇନ୍‌ରୁ ଖସି ପାଖ ଟ୍ରାକ୍‌ରେ ଥିବା ଯଶୋବନ୍ତପୁର ଟ୍ରେନ୍ ବଗି ଉପରେ ଚଢ଼ିଯାଇଥିଲା।