ଜୁନ ମାସରେ ବଦଳିପାରେ ଏହି ସବୁ ନିୟମ

ସବୁ ମାସ ପରି ଜୁନ ମାସରେ ବି କିଛି ନିୟମ ପରିବର୍ତ୍ତନ ହେବ, ଆଉ କିଛି ନୂଆ ନିୟମ ଲାଗୁ ହେବ

ଜୁନ ମାସରେ ବଦଳିପାରେ ଏହି ସବୁ ନିୟମ

ଆରମ୍ଭ ହେବାକୁ ଯାଉଛି ଜୁନ୍ ମାସ । ସବୁ ମାସ ପରି ଜୁନ ମାସରେ ବି କିଛି ନିୟମ ପରିବର୍ତ୍ତନ ହେବ, ଆଉ କିଛି ନୂଆ ନିୟମ ଲାଗୁ ହେବ । ଜୁନ୍ ମାସ ଆରମ୍ଭ ରୁ ଗ୍ୟାସ୍ ଦର ଠାରୁ ଆରମ୍ଭ କରି ଇ-ସ୍କୁଟର ସବୁ କିଛି ହେବାକୁ ଯାଉଛି ମହଙ୍ଗା । ଖାଉଟିଙ୍କ ପକେଟକୁ ହେବ ମହଙ୍ଗା ମାଡ । ରୋଷେଇ ଘରଠାରୁ ଆରମ୍ଭ କରି ବ୍ୟବସାୟିକ କ୍ଷେତ୍ରରେ ଦେଖିବାକୁ ମିଳିବ ବଡ଼ ପରିବର୍ତ୍ତନ । ପ୍ରତି ମାସର ଆରମ୍ଭରେ କିଛି ନା କିଛି ପରିବର୍ତ୍ତନ ହୋଇଥାଏ, ଯାହା ଆପଣଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିଥାଏ । ତେବେ ଜାଣିରଖନ୍ତୁ କେଉଁ କ୍ଷେତ୍ରରେ ହେବାକୁ ଯାଉଛି କଣ ପରିବର୍ତ୍ତନ ।

ବଦଳିପାରେ ଏଲପିଜି ଦର
ପ୍ରତି ମାସର ଆରମ୍ଭରେ ଗ୍ୟାସ ଦରରେ ଦେଖିବାକୁ ମିଳିଥାଏ ବଡ ପରିବର୍ତ୍ତନ । କେତେବେଳେ ଗ୍ୟାସ ଦର ବଢୁଥାଏ ତ କେତେବେଳେ ହ୍ରାସ ମଧ୍ୟ ପାଇଥାଏ । ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସ ଆରମ୍ଭରେ ଏଲପିଜି ମୂଲ୍ୟରେ ପରିବର୍ତ୍ତନ ଆଣିଥାନ୍ତି । ଦେଶର ପ୍ରମୁଖ କମ୍ପାନୀଗୁଡିକ ନିଜ ନିଜ ଗ୍ୟାସ କମ୍ପାନୀ ଗୁଡିକରେ କମ୍ କିମ୍ବା ବୃଦ୍ଧି କରିପାରନ୍ତି । ଗତ ଏପ୍ରିଲ୍ ଓ ମେ ମାସର ପ୍ରଥମ ତାରିଖରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ କରାଯାଇଥିବା ବେଳେ ୧୪କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ମାର୍ଚ୍ଚ ମାସରେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୫୦ଟଙ୍କାକୁ ହ୍ରାସ କରାଯାଇଥିଲା ।

ସିଏନଜି-ପିଏନଜି ମୂଲ୍ୟରେ ହୋଇପାରେ ପରିବର୍ତ୍ତନ
ପ୍ରତି ମାସ ଆରମ୍ଭରୁ ସିଏନଜି-ପିଏନଜି ମୂଲ୍ୟରେ ପେଟ୍ରୋଲିୟମ କମ୍ପାନୀଗୁଡିକ ପରିବର୍ତ୍ତନ କରିଥାନ୍ତି । ଦିଲ୍ଲୀ- ମୁମ୍ବାଇ ଭଳି ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । ଗତ ଏପ୍ରିଲରେ ଦିଲ୍ଲୀ ଏବଂ ମୁମ୍ବାଇରେ ସିଏନଜି-ପିଏନଜି ମୂଲ୍ୟରେ ହ୍ରାସ କରାଯାଇଥିବା ବେଳେ ମେ ମାସର ପ୍ରଥମ ଦିନରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ତେବେ ଏଭଳି ପରିସ୍ଥିତିରେ ଜୁନ ୧ରେ କେଉଁ ପରିବର୍ତ୍ତନ ହେବ ସେନେଇ ଲୋକଙ୍କ ମନରେ ନୂଆ ଉଦବେଗ ରହିଛି ।

ଜୁନ ଆରମ୍ଭରୁ ମହଙ୍ଗା ହେବ ଇ-ସ୍କୁଟର
ଜୁନ୧ ରୁ ମହଙ୍ଗା ହେବାକୁ ଯାଉଛି ଦୁଇ ଚକିଆ ଇକେକ୍ଟ୍ରିକ୍ ଯାନ । ଆପଣ ଯଦି ଜୁନ୍ ୧ପରେ ଇଲେକ୍ଟ୍ରିକ୍ ବାଇକ୍ କିମ୍ବା ସ୍କୁଟି କିଣିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଅଧିକ ମୂଲ୍ୟ ଦେବାକୁ ପଡିବ । ମେ ୨୧ରେ ଏମଏଚଆଇ ଦ୍ୱାରା ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ ଫେମ୍-୨ର ସବସିଡି ରାଶି ସଂଶୋଧନ କରାଯାଇଏହାକୁ କିଲୋୱାଟ ପ୍ରତି ୧୦,୦୦୦ଟଙ୍କାକୁ ହ୍ରାସ କରାଯାଇଛି । ପୂର୍ବରୁ ଏହି ପରିମାଣ କିଲୋୱାଟ୍ ପ୍ରତି ୧୫ହଜାର ଟଙ୍କା ଥିଲା । ଏହି କାରଣରୁ ଅଧିକାଂଶ ବୈଦ୍ୟୁତିକ ଯାନ ଦର ୨୫ହଜାରରୁ ୩୫ ହଜାର ଟଙ୍କା ପର୍ୟ୍ୟନ୍ତ ମହଙ୍ଗା ହୋଇପାରେ ।

ଆରବିଆଇର ଅଭିଯାନ
ଜୁନ୍ ୧ରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବଡ଼ ଅଭିଯାନ । ଆରବିଆଇ ପକ୍ଷରୁ ବ୍ୟାଙ୍କରେ ଜମା ହୋଇଥିବା ଅନାବଶ୍ୟକ ରାଶି ସମାଧାନ ପାଇଁ ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନର ନାମ ‘୧୦୦ ଦିନ ୧୦୦ ଦେୟ ରଖାଯାଇଛି । ରିଜର୍ଭ ବ୍ୟାଙ୍କ ତରଫରୁ ସମସ୍ତ ବ୍ୟାଙ୍କ ମାନଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
ତେବେ ଏହିଭଳି ଅନେକ ନିୟମ ଜୁନ୍ ମାସ ଆରମ୍ଭରୁ ବଦଳିବାକୁ ଯାଉଛି । ତେଣୁ ମାସ ଆରମ୍ଭରୁ ଜାଣିରଖନ୍ତୁ ଆପଣଙ୍କ ଜୀବନଶୈଳୀ ସହ ଜଡିତ ସମସ୍ତ ନିୟମ ।