ଗ୍ରେଟ ବ୍ରିଟେନ୍କୁ ମାତ୍ ଦେଲା ଇଣ୍ଡିଆ, ସେମିଫାଇନାଲରେ ଏଣ୍ଟ୍ରି

ଖେଳର ସବୁଠୁ ବଡ଼ ମହାକୁମ୍ଭ ପ୍ୟାରିସ ଅଲିମ୍ପିକ ୨୦୨୪ର ନବମ ଦିନରେ ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ ଦେଖିବାକୁ ମିଳିଛି ରୋମାଞ୍ଚକ ଟକ୍କର। ପୁରୁଷ ହକିର ପ୍ରଥମ କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ହରାଇ ଭାରତ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।ଏହା ଭାରତ ଅଲିମ୍ପିକରେ ଲଗାତାର ଦ୍ବିତୀୟ ଥର ସେମିଫାଇନାଲରେ ପ୍ରବେଶ କରିଛି।
ଆଉ ଏହି ବିଜୟ ସହ ଟୋକିଓ ଅଲିମ୍ପିକର ଇତିହାସକୁ ପୁଣି ଦୋହରାଇଛି ଭାରତୀୟ ପୁରୁଷ ହକି ଟିମ୍। ୨୦୨୧ରେ ଭାରତ ଟୋକିଓରେ କ୍ବାର୍ଟର ଫାଇନାଲରେ ବ୍ରିଟେନକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କରିଥିଲା। ଭାରତ ସେତେବେଳେ ବ୍ରିଟେନକୁ ୩-୧କୁ ମାତ ଦେଇଥିଲା। ହେଲେ ସେମିଫାଇନାଲରେ ବେଲଜିୟମଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ଅବଶ୍ୟ ଭାରତ ବ୍ରୋଞ୍ଜ ମେଡାଲ ପାଇଁ ହୋଇଥିବା ମୁକାବିଲାରେ ଜର୍ମାନୀକୁ ହରାଇଥିଲା। ଭାରତ ଏବେ ପ୍ୟାରିସରେ ମେଡାଲ ଜିତି ନୂଆ ଇତିହାସ ରଚିବାକୁ ଚେଷ୍ଟା କରିବା।
ଏମିତି ଥିଲା ମ୍ୟାଚ୍
ରବିବାର ମ୍ୟାଚ୍ର ଫୁଲଟାଇମ ପର୍ଯ୍ୟନ୍ତ ମୁକାବିଲା ୧-୧ରେ ରହିଥିଲା। ଫଳରେ ପେନାଲ୍ଟି ସୁଟ୍ଆଉଟ୍କୁ ଖେଳ ଯାଇଥିଲା। ପେନାଲ୍ଟି ସୁଟ୍ ଆଉଟରେ ଟିମ୍ ଇଣ୍ଡିଆ ୪ଟି ସୁଟ୍ କରିଥିଲା, ଯେତେବେଳେକି ବ୍ରିଟେନ ୨ଟି ସୁଟ୍ଆଉଟରେ ଅଟକିଥିଲା। ଫଳରେ ଭାରତ ଏହି ବିଜୟ ସହ ସେମିଫାଇନାଲକୁ ଉତୀର୍ଣ୍ଣ ହୋଇଛି।
ଦ୍ବିତୀୟ କ୍ବାର୍ଟରରେ ଦୁଇ ଟିମ୍ କରିପାରିଥିଲେ ଗୋଲ୍
ପ୍ରଥମ କ୍ବାର୍ଟରରେ ଦୁଇ ଟିମ୍ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲେବି ଗୋଲ ହୋଇପାରିନଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ଉଭୟ ଟିମ୍ ମଧ୍ୟରେ ପୁଣି କଡ଼ା ଟକ୍କର ହୋଇଥିଲା। ପ୍ରଥମେ ଭାରତୀୟ ଟିମ୍ର କ୍ୟାପ୍ଟେନ ହରମନପ୍ରୀତ ସିଂହ ଦ୍ବିତୀୟ କ୍ବାର୍ଟରରେ ଗୋଲ କରି ଟିମ୍କୁ ୧-୦ରୁ ଲିଡ୍ ଦେଇଥିଲେ। ଏହା ପରେ ବ୍ରିଟେନ ଟିମ ଦ୍ବିତୀୟ କ୍ବାର୍ଟରରେ ଗୋଲ ଦେଇ ସ୍କାରକୁ ୧-୧ କରିଥିଲା। ବ୍ରିଟେନ ପାଇଁ ଲି ମୋର୍ଟନ ଗୋଲ କରିଥିଲେ। ଏହା ପରେ ଉଭୟ ଟିମ୍ କୌଣସି ଗୋଲ କରିପାରିନଥିଲେ।
କେବଳ ୧୦ ଖେଳାଳିଙ୍କ ସହ ଖେଳିଥିଲା ଟିମ୍ ଇଣ୍ଡିଆ
ବଡ଼ କଥା ହେଉଛି, ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚର ଦ୍ବିତୀୟ କ୍ବାର୍ଟରରେ ହିଁ ଭାରତୀୟ ଟିମ୍କୁ ବଡ଼ ଝଟକା ଲାଗିଥିଲା। ଯେତେବେଳେ ଅମିତ ରୋହିଦାସଙ୍କୁ ରେଡ କାର୍ଡ ମିଳିଥିଲା। ଫଳରେ ତାଙ୍କୁ ପୂରା ମ୍ୟାଚରୁ ବାହାରିବାକୁ ପଡ଼ିଥିଲା।ଏମିତିରେ ଭାରତୀୟ ହକି ଟିମ୍ କେବଳ ୧୦ ଖେଳାଳିଙ୍କ ସହ ମ୍ୟାଚ ଖେଳିଥିଲା। କିନ୍ତୁ ଏହା ସତ୍ତ୍ବେବି ଭାରତୀୟ ଟିମ୍ ଭଲ ଡିଫେନ୍ସ କରିଥିଲା। ଆଉ ଗୋଲ୍ ହେବାକୁ ଦେଇନଥିଲା।
ସୁଟଆଉଟରେ ବାଜି ମାରିଲା ଭାରତୀୟ ଟିମ୍
ତେବେ ଅନ୍ୟ ଦୁଇ କ୍ବାର୍ଟରରେ ମଧ୍ୟ କୌଣସି ଗୋଲ ହୋଇପାରିନଥିଲେ ଫଳରେ ମ୍ୟାଚ ସୁଟଆଉଟକୁ ଯାଇଥିଲେ।ଯେଉଁଥିରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା। ଭାରତ ୪-୨ରେ ବ୍ରିଟେନକୁ ମାତ ଦେଇଥିଲା।ଭାରତ ତରଫରୁ ପ୍ରଥମ ସୁଟଆଉଟ ହରମନପ୍ରୀତ ସିଂହ ନେଇଥିଲେ।ଏହା ପରେ ଭାରତ ପାଇଁ ସୁଖଜୀତ, ଲଳିତ ଏବଂ ରାଜକୁମାର ଗୋଲ କରିଥିଲେ। ସେହିଭଳି ଭାରତର ଅନଭବୀ ଗୋଲକିପର ପିଆର ଶ୍ରୀଜେଶ ଏହି ବିଜୟ ପାଇଁ ବଡ଼ ଭୂମିକା ନିଭାଇଥିଲେ। ସେ ସୁଟଆଉଟରେ ଦୁଇ ଗୋଲ ଅଟକାଇ ଭାରତୀୟ ଟିମ୍ର ବିଜୟ କାହାଣୀ ଲେଖିଥିଲେ। ଏବେ ଭାରତୀୟ ହକି ଟିମ୍ ଅଗଷ୍ଟ ୬ରେ ସେମିଫାଇନାଲ ଖେଳିବ।