'କାମ କେମିତି ଚାଲିଛି', ଲୋକଙ୍କୁ ଫୋନ୍ କରି ବିକାଶ କାମ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଚାଲିଥିବା ବିକାଶ କାମର ସମୀକ୍ଷା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ

'କାମ କେମିତି ଚାଲିଛି', ଲୋକଙ୍କୁ ଫୋନ୍ କରି ବିକାଶ କାମ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଚାଲିଥିବା ବିକାଶ କାମର ସମୀକ୍ଷା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ସାଧାରଣ ଲୋକଙ୍କୁ ଫୋନ୍ କରି କାମ କେମିତି ଚାଲିଛି, ସେ ନେଇ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ବିଭିନ୍ନ ଉନ୍ନତିମୂଳକ କାମର ଟିକିନିଖି ତଦାରଖ କରୁଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ବିଭିନ୍ନ ଅଞ୍ଚଳରେ ଚାଲିଥିବା ସ୍କୁଲ ରୂପାନ୍ତରଣ, ମନ୍ଦିର, ବ୍ରିଜ ଆଦି ବିକାଶ ମୂଳକ କାମ କେମିତି ଚାଲିଛି ଓ ସରିଲାଣି କି ନାହିଁ ସେନେଇ ଅପଡେଟ୍ ନେଉଛନ୍ତି ନବୀନ । ଏପରିକି ପିଲାମାନେ ଖୁସି ଅଛନ୍ତି କି ବୋଲି ବି ନବୀନ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି ।

ନିର୍ବାଚନ ତାରିଖ ଘୋଷଣା ହେବାର ପ୍ରାୟ ଏକ ବର୍ଷ ପୂର୍ବରୁ ରାଜ୍ୟ ସରକାର ସମସ୍ତ ଜିଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଘୋଷଣା କରିଥିଲେ । ଏବା ସହ ସ୍ଥାନୀୟ କାମ ପାଇଁ ମଧ୍ୟ ଟଙ୍କା ଆବଣ୍ଟନ କରିଛନ୍ତି । ଏହି ସବୁ କାମର ଅଗ୍ରଗତି ଏବେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି ।

କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। ଯାହା ଦ୍ୱାରା ଲୋକମାନଙ୍କର ଅଭିଯୋଗ ଶୁଣାଣି ହୋଇ ପରି ନ ଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବର୍ତ୍ତମାନ ନବୀନ ଓଡ଼ିଶା ଏବଂ 5-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମସ୍ତ ଜିଲା ଗସ୍ତ କରି ଲୋକ ମାନଙ୍କର ଅଭିଯୋଗ ପତ୍ର ଆଣି ପରେ ପାଣ୍ଠି ଘୋଷଣା କରିଥିଲେ ।

ଏବେ ମୁଖ୍ୟମନ୍ତ୍ରୀ ଏହି ସବୁ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ତେବେ ଲୋକମାନଙ୍କୁ ସିଧାସଳଖ ଫୋନ୍ କଲ୍ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ପ୍ରଥମ ଥର ଦେଖିବାକୁ ମିଳୁଛି । ଯାହାକି ନବୀନ ପଟ୍ଟନାୟକଙ୍କ ଉତ୍ତରଦାୟିତ୍ୱର ପ୍ରମାଣ ଦେଉଛି ।