ମେସିନ କରୁଛି କାମ

ସରକାର ଗ୍ରାମାଞ୍ଚଳର ଗରିବ ଶ୍ରେଣୀର ଖଟିଖିଆ, ଦିନ ମଜୁରିଆ, ପ୍ରବାସୀମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ୧୦୦ ଦିନିଆ କାମ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଯୋଗାଇଥାନ୍ତି।

ମେସିନ କରୁଛି କାମ

ସରକାର ଗ୍ରାମାଞ୍ଚଳର ଗରିବ ଶ୍ରେଣୀର ଖଟିଖିଆ, ଦିନ ମଜୁରିଆ, ପ୍ରବାସୀମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ୧୦୦ ଦିନିଆ କାମ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଯୋଗାଇଥାନ୍ତି। ଏଥିପାଇଁ କୋଟି କୋଟି ରାଜସ୍ବ ଖର୍ଚ୍ଚ ହେଉଛି। କିନ୍ତୁ ଯୋଜନାର ଆଢୁଆଳରେ ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ମୁନାଫାଖୋର ଠିକାଦାର, ଦଲାଲ, ରାଜନେତା ଓ ସରକାରୀ ବାବୁଙ୍କ ମଧ୍ୟରେ ସଲାସୁତୁରାରେ କୋଟି କୋଟି ଟଙ୍କା ଠୁଳ କରାଯାଉଛି। ସରକାର ଦୁର୍ନୀତିମୁକ୍ତ ଓ ସ୍ବଚ୍ଛତା ଆଣିବା ପାଇଁ ୫ଟି ସରକାରରେ ପଦକ୍ଷେପ ମାନ ଗ୍ରହଣ କରୁଥିଲେ ମଧ୍ୟ ତଳସ୍ତରରେ କାର୍ଯକାରୀ ହୋଇପାରୁନାହିଁ। ଅନେକ ଯୋଜନା ଲୋକଙ୍କ ପାଖରେ ଆଜି ବି ଅପହଞ୍ଚ। ସରକାରୀ ନିର୍ଦ୍ଦେଶନାମା ଆଇନକୁ ଖୋଲାଖୋଲି ଉଲଂଘନ କରାଯାଉଛି। ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଏଭଳି ଚିତ୍ର। ମହାନାଦପୁର ବିକାଶ ନାଁରେ ଅନେକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ ଅନୁମୋଦନ ପୂର୍ବରୁ ବିନା ସୂଚନା ଫଳକରେ ଅତି ଚତୁରତାର ସହ ମନରେଗା ଯୋଜନାରେ ଜେସିବ ମେସିନ ସାହାଯ୍ୟରେ ମନୋମୁଖୀ କାର୍ଯ୍ୟ କରାଯାଉଛି ଯାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି। ସୂଚନାଯୋଗ୍ୟ, ଡିଆରଡିଏ ଚିଠି ନମ୍ବର ୫୬୪୪, ତାରିଖ ୨୫/୦୫/୨୦୨୧ ପ୍ରକାରେ ମନରେଗା ଯୋଜନାରେ ଇଟା ଗାଡିଆ ବନ୍ଧ ଖନନ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଅଛି। କିନ୍ତୁ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଉକ୍ତ ବନ୍ଧଟିର କାର୍ଯ୍ୟ ଅତି ନିକଟରେ ସରିଛି। କ୍ଷୁଦ୍ର ଜଳସେଚନ ବିଭାଗୀୟ ଯନ୍ତ୍ରୀ ନରସିଂହ ମିଶ୍ରଙ୍କୁ ପଚାରିବାରୁ ଉକ୍ତ ବନ୍ଧରେ କୌଣସି ମାଟି କାମ କିମ୍ବା ଜେସିବି ଖୋଦେଇ ତାଙ୍କ ବିଭାଗ ପକ୍ଷରୁ କରାଯାଇ ନାହିଁ ବୋଲି ସେ କହିଛନ୍ତି। ବର୍ତମାନ ଡିମାଣ୍ଡ ବାହାର କରିବା ପୂର୍ବରୁ ସେଠାରେ ଜେସିବି ମେସିନ ସାହାଯ୍ୟରେ ଦିନ ଦି ପହରରେ ମାଟି ତଡାଯାଉଛିି। ଅତି ଚତୁରତାର ସହ ସରକାରୀ ଟଙ୍କା ହଡ଼ପ କରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ଏଠି ଜବ୍‌ କାର୍ଡଧାରୀ ଶ୍ରମିକମାନଙ୍କୁ ଉପେକ୍ଷା କରାଯାଇ ପରବର୍ତ୍ତୀ ସମୟରେ ଚଞ୍ଚକତା କରି କାଗଜପତ୍ର ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଲେବର ପେମେଣ୍ଟ ଆଳରେ ଚଳୁ କରାଯାଉଛି ବୋଲି ଜଣେ ଜବ କାର୍ଡଧାରୀ ଅଭିଯୋଗ କରିଛନ୍ତି। ଗୋଟିଏ ପ୍ରକଳ୍ପରେ ଅନେକ ଯୋଜନାର ଟଙ୍କା ଖର୍ଚ୍ଚ କରାଯାଇ ମିଥ୍ୟା ବିଲ୍‌ କରାଯାଉଥିବା ନେଇ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ପଞ୍ଚାୟତିରାଜ ବିଭାଗ, ଦୁର୍ନୀତି ନିବାରଣ ବିଭାଗ ଆଦିକୁ ପତ୍ର ମାଧ୍ୟମରେ ଅଭିଯୋଗ କରାଯାଇଛି । ମେସିନ ସାହାଯ୍ୟରେ ଏମଜିଏନଆରଇଜିଏସରେ କାର୍ଯ୍ୟ ହେଉଥିବା ବିଷୟ ନେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ ।