ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ବଡ ଘୋଷଣା : ଲଢ଼ିବେନି ନିର୍ବାଚନ,

ମୁଖ୍ୟମନ୍ତ୍ରୀ ମୋ ଗୁରୁ ନବୀନ ମୋ ‘ବାପା’ ବୋଲି ସମ୍ବୋଧନ କଲେ ଭି କାର୍ତ୍ତିକେୟ ପାଣ୍ଡିଆନ୍

ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ବଡ ଘୋଷଣା : ଲଢ଼ିବେନି ନିର୍ବାଚନ,

କ୍ଷମତାସୀନ ବିଜେଡିର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଭିକେ ପାଣ୍ଡିଆନଙ୍କ ଜବରଦସ୍ତ ଏଣ୍ଟ୍ରି  ହୋଇଛି । ପାଣ୍ଡିଆନ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିିଁ ବୋଲି ନିଜଆଡ଼ୁ ଘୋଷଣା କରିବା ସହ ନବୀନ ପଟ୍ଟନାୟକଙ୍କୁ ସେ ନିଜର ‘ଗୁରୁ’ ଓ ‘ବାପା’ ବୋଲି ସମ୍ବୋଧନ କରିଛନ୍ତି ।

କାର୍ଯ୍ୟକାରିଣୀ ବୈଠକରେ ପାଣ୍ଡିଆନଙ୍କ ଶାନଦାର ଢଙ୍ଗରେ ଏଣ୍ଟ୍ରି କରିଥିଲେ । ପାଣ୍ଡିଆନଙ୍କ ସଫଳତାର କାହାଣୀକୁ ଦଳ ପକ୍ଷରୁ ଏକ ଭିଡିଓ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହାପରେ ପ୍ରାୟ ୧୦ମିନିଟ୍ ଧରି ସଂଗଠନକୁ ସୁଦୃଢ଼ କରିବାକୁ ଦଳୀୟ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ପାଣ୍ଡିଆନ ।

ପ୍ରଥମଥର ପାଇଁ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ପ୍ରବେଶ କୁ ନେଇ ଉପସ୍ଥିତ ନେତାମାନେ ଜୋରଦାର ଢଙ୍ଗରେ ତାଳି ମାରି ସ୍ୱାଗତ କରିଥିଲେ । ଦଳର କୌଣସି ପଦପଦବୀରେ ନଥାଇ ମଧ୍ୟ ପାଣ୍ଡିଆନ ଯେ ବିଜେଡି ଓ ନବୀନଙ୍କ ଉତ୍ତରାଧିକାରୀ ତାହା ଆଜିର କାର୍ଯ୍ୟକାରିଣୀରେ ସ୍ପଷ୍ଟ ସନ୍ଦେଶ ମିଳିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଶଙ୍ଖ ଭବନରେ ଆଜି ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି ଓଡ଼ିଶାବାସୀଙ୍କ ସହ ଯୋଡ଼ି ହୋଇ ରହିବା ନିମନ୍ତେ ଦଳୀୟ ପଦାଧିକାରୀଙ୍କୁ ଆହ୍ୱାନ ଦେଇଥିଲେ । ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ପରିଚାଳନାରେ ବୈଠକ ଆରମ୍ଭ ହୋଇଥିଲା ଓ ଶେଷରେ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ୧୧ଟି ରାଜନୀତିକ ପ୍ରସ୍ତାବ ସମେତ ଅନ୍ୟାନ୍ୟ ପ୍ରସ୍ତାବ ପାରିତ ହୋଇଥିଲା ।

ଏହା ପରେ ଦଳ ପକ୍ଷରୁ ପ୍ରସ୍ତୁତ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା । ଯାହାକି ସମ୍ପୂର୍ଣ୍ଣ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ସଫଳତା ଉପରେ ଉଦ୍ଦିଷ୍ଟ ଥିଲା । ଏହି ଭିଡିଓ ସରିବା ପରେ ‘ଜୟ ଜଗନ୍ନାଥ’ କହି ମଂଚକୁ ଚଢ଼ିଥିଲେ ପାଣ୍ଡିଆନ । ଆଜି ଆଇଏଏସ୍ ପରୀକ୍ଷାର ଇଣ୍ଟରଭ୍ୟୁ ଦେବା ଭଳି ଲାଗୁଛି କହି ନିଜଆଡ଼ୁ କେତେକ କଥାର ସ୍ପଷ୍ଟୀକରଣ ରଖିଥିଲେ । ସେ ନିର୍ବାଚନ ଲଢ଼ିବେ କି ନାହିଁ ବୋଲି ତାଙ୍କୁ ଦଳର ନେତାମାନେ ପଚାରୁଛନ୍ତି । ମାତ୍ର ସେ ନିର୍ବାଚନ ଲଢ଼ିବେ ନାହିଁ ଓ ରାଜ୍ୟର ୧୪୭ ଆସନରେ ଲଢ଼ୁଥିବା ନେତାମାନଙ୍କ ପଛରେ ରହି ଦଳ ପାଇଁ କାର୍ଯ୍ୟ କରିବେ ବୋଲି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ପାଣ୍ଡିଆନ କହିଥିଲେ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ଦଳରେ ସାମିଲ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି । ବିଜେଡିକୁ ସାମାଜିକ ଆନ୍ଦୋଳନ ବୋଲି କହୁଥିବା ଓ ରାଜ୍ୟବାସୀଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ସେ ଦୀର୍ଘ ୧୨ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ୭୭ବର୍ଷ ବୟସରେ ସେ  ‘ମୋ ଗୁରୁ’, ଏପରିକି ‘ମୋ ବାପା’ ମଧ୍ୟ ।  ନବୀନ ପଟ୍ଟନାୟକ ଯଦି ଲୋକଙ୍କ ପାଇଁ କାମ କରିପାରୁଛନ୍ତି ତା’ହେଲେ ମୁଁ କାହିଁକି କରିପାରିବି ନାହିଁ ବୋଲି ପାଣ୍ଡିଆନ କହିଛନ୍ତି । ଜନସେବା କରିବା ପାଇଁ ଚାକିରି ଛାଡ଼ିଛି । ଶେଷପର୍ଯ୍ୟନ୍ତ ଜନସେବାରେ ବ୍ରତୀ ହୋଇ ରହିବି ବୋଲି ପାଣ୍ଡିଆନ ନିଜଆଡ଼ୁ ଘୋଷଣା କରିଥିଲେ । ଶ୍ରୀ ପାଣ୍ଡିଆନ ମଞ୍ଚରୁ ବିଜେଡି ସରକାରର ସଫଳତା ବହନ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ନେତାମାନଙ୍କଠୁ ଉତ୍ତର ଲୋଡ଼ିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ , ଆମ ଓଡ଼ିଶା ନବୀନ ଓଡ଼ିଶା, ଦେଶର ଏକ ନମ୍ବର ରାଜ୍ୟ, ଦେଶର ଶ୍ରେଷ୍ଠ ପ୍ରଶାସକ ଭଳି ପ୍ରାୟ ୧୮-୧୯ଟି ପ୍ରଶ୍ନ ସେ ଦଳର ନେତାମାନଙ୍କୁ ପଚାରି ତା’ର ଉତ୍ତର ଲୋଡ଼ିଥିଲେ । ସବୁ ପ୍ରଶ୍ନର ଉତ୍ତର ସିଧାସଳଖ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରର ସଫଳତା ସହ ଜଡ଼ିତ ଥିଲା ।

ତେବେ ଆଜି ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯେଉଁଭଳି ଭାବେ ପାଣ୍ଡିଆନଙ୍କ ଡେବ୍ୟୁ ହେଲା, ସେଥିରୁ ସେ ହିଁ ନବୀନଙ୍କ ଉତ୍ତରାଧିକାରୀ ବୋଲି ସ୍ପଷ୍ଟ ସନ୍ଦେଶ ଦେବାକୁ ଦଳ ପକ୍ଷରୁ ପ୍ରୟାସ ହୋଇଛି । ପାଣ୍ଡିଆନ ଦଳରେ କୌଣସି ପଦପଦବୀରେ ନ ରହି ମଧ୍ୟ ରାଜ୍ୟ ପଦାଧିକାରୀ ବୈଠକରେ ଦଳର ‘ନମ୍ବର-ଟୁ’ ବା ଦ୍ଵିତୀୟ କ୍ଷମତା କେନ୍ଦ୍ର ଭାବେ ତାଙ୍କୁ ସମ୍ମାନ ଦିଆଯାଇଥିଲା । ଗତ କାର୍ତ୍ତିକ ପୂର୍ଣ୍ଣିମାରେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ, ସେବେଠାରୁ ପ୍ରକାଶ ପାଇଥିବା ନାନା କଳ୍ପନା ଜଳ୍ପନା ରେ ଆଜି ଏକ ପୂର୍ଣ୍ଣଛେଦ ପଡିଛି  ।

ଆଜି ଏହି କାର୍ଯ୍ୟକାରିଣୀ ବୈଠକ ଶେଷ ହେବାପରେ ଗଣମାଧ୍ୟମକୁ ବିଜେଡି ଉପସଭାପତି ବିଧାୟକ ଦେବୀପ୍ରସାଦ ମିଶ୍ର, ମହିଳା ବିଜେଡି ସଭାନେତ୍ରୀ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକାରିଣୀ ବୈଠକରେ ମୋଟ ୧୧ଟି ରାଜନୀତିକ ପ୍ରସ୍ତାବ ପାରିତ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ‘କେନ୍ଦ୍ରୀୟ ଅବହେଳା’ ପ୍ରସଙ୍ଗକୁ ଭୁଲି ଯାଇଥିବା ବିଜେଡି ଏବେ ପୁଣିଥରେ ‘କେନ୍ଦ୍ରୀୟ ଅବହେଳା’କୁ ଜୋରଦାର ଢଙ୍ଗରେ ଉତଥାପନ କରିବ ବୋଲି ଜଣାପଡ଼ିଛି । ଦଳ ଆସନ୍ତା ଜାନୁୟାରୀ ୨୩ ନେତାଜୀ ଜୟନ୍ତୀରୁ ମାର୍ଚ୍ଚ ୫ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡି ସରକାରଙ୍କ ସଫଳତାର ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବ ।

ସୂଚନାଯୋଗ୍ୟ, ଦଳର ବିଧାୟକ,ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଦଳର ବିଭିନ୍ନ ଛାମୁଆ ସଂଗଠନର ପଦାଧିକାରୀ, କାର୍ଯ୍ୟପରିଷଦ ସଦସ୍ୟମାନଙ୍କୁ ନେଇ ଶଙ୍ଖ ଭବନରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକ ପରୋକ୍ଷରେ ପାଣ୍ଡିଆନଙ୍କ ଅନୁଗାମୀ  ପାଇଁ ଉଦ୍ଦିଷ୍ଟ ଥିବା ଚର୍ଚ୍ଚା ହେଉଛି ।