ଦେଶରେ ଖସିଲା ଟମାଟୋ ଦର, ଜାଣନ୍ତୁ କେଜି ପିଛା ମୂଲ୍ୟ କେତେ
ନେପାଳରୁ ଆମଦାନୀ ପରେ ଦେଶରେ ଖସିଲା ଟମାଟୋ ଦର, ଜାଣନ୍ତୁ ଖୁଚୁରା ବଜାରରେ କେଜି ପିଛା ମୂଲ୍ୟ କେତେ?

ବଜାରରେ ଏବେ ଲଗାତାର ଟମାଟରର ମୂଲ୍ୟ ହ୍ରାସ ହେବାରେ ଲାଗିଛି। ସରକାରଙ୍କ ପକ୍ଷରୁ କେଜି ପିଛା ୪୦ ଟଙ୍କା ଦରରେ ଟମାଟର ବିକ୍ରି ପରେ ଖୁଚୁରା ବଜାରକୁ ଟମାଟର ଯୋଗାଣ ବଢିଛି। ଫଳରେ ବଜାରରେ ଟମାଟରର ମୂଲ୍ୟ ହ୍ରାସ ହୋଇଛି। ଖୁଚୁରା ବଜାରରେ ଏବେ ପ୍ରତି କେଜି ଟମାଟର ୫୦ରୁ ୭୦ ଟଙ୍କା ଦରରେ ବିକ୍ରି ହେଉଛି। ଏଥିରେ ସରକାରଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଯେଉଁଥିରେ ଖୁଚୁରା ବଜାରରେ ଟମାଟୋ ଦର ସ୍ୱଭାବିକ ନ ହେବା ପର୍ଯ୍ୟନ୍ତ ସରକାର ରିହାତି ଦରରେ ଟମାଟୋ ବିକିବେ ବୋଲି ଘୋଷଣା କରିଛନ୍ତି।
ଗତ ଦିନରେ ଅଦିନିଆ ବର୍ଷା ଓ ମୌସୁମୀ ପ୍ରଥମ ବର୍ଷା ଯୋଗୁ ଅଚାନକ ଟମାଟର ଯୋଗାଣରେ ବାଧା ଉପୁଜିଥିଲା। ଫଳରେ ଟମାଟର କେଜି ପିଛା ଦରରେ ୧୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ଦେଶରେ ଟମାଟର କେଉଁଠି କେଉଁ ଦରରେ ବିକ୍ରି ହେଉଥିଲା ତାର ଠିକଣା ନଥିଲା। ଏଥିରେ ଟମାଟୋ କେଜି ପିଛା ୨୫୦ ଟଙ୍କାରେ ମଧ୍ୟ ବିକ୍ରି ହୋଇଥିବାର ରେକର୍ଡ ରହିଛି। ଏଥିରେ ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି ଯେ ବର୍ତ୍ତମାନ ସାରା ଦେଶରେ ଟମାଟରର କେଜି ପିଛା ମୂଲ୍ୟ ୫୦ରୁ ୭୦ ଟଙ୍କା ଦରରେ ବିକ୍ରି ହେଉଛି। ସେ କହିଛନ୍ତି ଯେ ମଧ୍ୟପ୍ରଦେଶରେ ନୂଆ ଫସଲ ଏବେ ବଜାରକୁ ପ୍ରବେଶ କରିଛି। ଫଳରେ ଟମାଟରର ଦର ଆହୁରି ହ୍ରାସ ହେବ।
ରିହାତି ଦରରେ ଟମାଟୋ ବିକ୍ରିକୁ ନେଇ ସେ କହିଛନ୍ତି ଯେ ଖୁଚୁରା ବଜାରରେ ଟମାଟରର ଦର ସ୍ୱଭାବିକ ନ ହେବା ପର୍ଯ୍ୟନ୍ତ ମନୋନୀତ ବଜାରମାନଙ୍କରେ ସରକାରଙ୍କ ପକ୍ଷରୁ ରିହାତି ଦର ଟମାଟୋ ବିକ୍ରି ଜାରି ରହିବ। ପାଇକାରୀ ବଜାରରେ ଟମାଟ ଦର ନରମ ପଡିବା ପରେ ସମବାୟ ସମିତି ଏନସିସିଏଫ ଓ ନାଫେଡ ଅଗଷ୍ଟ ୨୦ ତାରିଖରୁ କେଜି ପିଛା ୪୦ ଟଙ୍କା ଦରରେ ଟମାଟୋ ବିକ୍ରି ଆରମ୍ଭ କରିଛନ୍ତି। ଗତମାସରୁ ଏନସିସିଏଫ ଓ ନାଫେଡ ଦେଶର କିଛି ମନୋନୀଚ ସହରରେ ରିହାତି ଦର ଟମାଟୋ ବିକ୍ରି ଆରମ୍ଭ କରିଥିଲେ। ଏବେ ଦେଶର ଘରୋଇ ବଜାରକୁ ଟମାଟୋ ଯୋଗାଣ ବୃଦ୍ଧି ହୋଇଥିବା ବେଳେ ପଡୋଶୀ ନେପାଳରୁ ମଧ୍ୟ ଟମାଟର ଆମଦାନୀ ହେଉଛି।
ଟମାଟୋ ପରେ ପିଆଜ ମଧ୍ୟ ଶସ୍ତାରେ ଯୋଗାଇବେ ସରକାର, ୨୫ ଟଙ୍କାରେ ହେବ ବିକ୍ରି