କଟକ ପାରାଦୀପ ରାସ୍ତା ରେ ଦୁର୍ଘଟଣା, ମା ମୃତ, ବାପା ପୁଅ ଗୁରୁତର
ଚକା ଫାଟିବାରୁ ବାଇକ୍କୁ ଧକ୍କା ଦେଲା କାର୍ : ଜଣେ ମୃତ, ଦୁଇ ଗୁରୁତର

ପାରାଦୀପ ୨୧।୮: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ନିକଟସ୍ଥ ପଙ୍କପାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍ ସହିତ ବାଇକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା କଟକ-ପାରାଦୀପ ରାଜପଥ ଅବରୋଧ ହୋଇଛି ।
ସୂଚନାଯୋଗ୍ୟ ଯେ, ସୋମବାର ସକାଳ ସମୟରେ ପାରାଦୀପ ଆଇଓସିଏଲର କାର୍ଟି ପାରାଦୀପ ଅଭିମୁଖେ ଯାଉଥିବା ସମୟରେ ପଙ୍କପାଳ ନିକଟରେ ହଠାତ କାର୍ଟିର ଚକା ଫାଟିଯାଇଥିଲା । ଚକା ଫାଟିବା ଯୋଗୁଁ କାର୍ଟି ଭାରସାମ୍ୟ ହରାଇ ସମ୍ମୁଖରେ ଆସୁଥିବା ଏକ ବାଇକ୍ ଆରୋହୀଙ୍କ ସହିତ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍ ରେ ବସିଥିବା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସ୍ବାମୀ ଓ ତାଙ୍କ ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି ।
ତେବେ ଆହତ ବାପା, ପୁଅଙ୍କୁ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କରି ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଦ୍ରୁତଗତିରେ ବେପରୁଆ ଭାବରେ ଗାଡି ଚାଳନା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ମୃତ ମହିଳା ଜଣଙ୍କ ପଙ୍କପାଳର ଜହ୍ନାପାଳ ଗ୍ରାମର ବୋଲି ଜଣାପଡ଼ିଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ କଟକ ପାରାଦୀପ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି କାର୍କୁ ଜବତ କରିବା ସହିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ତିର୍ତ୍ତୋଲ ରୁ ଗୌରାଙ୍ଗ ସ୍ବାଇଁ ଙ୍କ ରିପୋର୍ଟ ଓଏନ୍ଏମ୍ ନିଉଜ୍