ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନର ଅପେକ୍ଷା।

ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନର ଅପେକ୍ଷା। ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ଆସନ୍ତା ଜାନୁଆରୀ ୨୨ ତାରିଖରେ ଏହି ଭବ୍ୟ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହିକ୍ରମରେ ଦେଶ ବିଦେଶରୁ ଅତିଥି ନିମନ୍ତ୍ରଣ କାର୍ଯ୍ୟ ଚାଲୁ ରହିଛି।

ତେବେ ବର୍ତ୍ତମାନ ସୁଦ୍ଧା ଯେଉଁ ଦଳୀୟ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି ଏବଂ ଯେଉଁମାନଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ ତାହାକୁ ନେଇ ଏବେ ବିବାଦ ତେଜିଥିବା ବେଳେ ଆମନ୍ତ୍ରିତ ନେତାଙ୍କ ମଧ୍ୟରେ କିଏ ଉତ୍ସବକୁ ଆସିବେ ଏବଂ କିଏ ନ ଆସିବେ ତାହାକୁ ନେଇ ମଧ୍ୟ ରାଜନୀତି ଜୋର ଧରିଛି।

ପୂର୍ବରୁ ଚୀନ୍‌ ବିରୋଧରେ ଗଲୱାନ ସଂଘର୍ଷ କିମ୍ବା ବାଲାକୋଟ୍‌ ଆକ୍ରମଣ ହେଉ କି କୋଭିଡ୍‌ ପ୍ରସଙ୍ଗ, ସବୁଥିରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ଭାରତ ଭଳି ଦେଶରେ ଏବଂ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବି ଶାସକ-ବିରୋଧୀ ଏକାଠି ହୋଇ ନପାରିବା ବୁଦ୍ଧିଜୀବୀ ମହଲକୁ ଚିନ୍ତିତ କରିଛି। କୌଣସି ଦଳ ଏହାକୁ ହିନ୍ଦୁତ୍ବର ଦ୍ବାହି ଦେଇ ଏହି ଉତ୍ସବକୁ ଆସିବାକୁ ଚାହୁଁ ନଥିଲା ବେଳେ ଅନ୍ୟ କେହି ଏହାକୁ ବିଜେପିର ଷ୍ଟେଜ୍‌ ଶୋ' କହି ଏଥିରେ ସାମିଲ ହେବାକୁ ମନା କରିଦେଇଛନ୍ତି। ବିଶେଷକରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଏହି ଭବ୍ୟ ଉତ୍ସବକୁ ଉଦଘାଟନ କରିବାକୁ ଯାଉଥିବାରୁ ଏହାକୁ ଅନ୍ୟ ବିରୋଧୀ ଦଳ ବିରୋଧ କରିବା ସହିତ ଉତ୍ସବରେ ଯୋଗ ଦେବାକୁ ମନା କରିଦେଇଛନ୍ତି।

ଗତକାଲି ସିପିଆଇ(ଏମ) ନେତା ସୀତାରାମ ୟେଚୁରୀ ଏବଂ ବ୍ରିନ୍ଦା କରାତ୍‌ ଏହି ଉତ୍ସବରେ ଯୋଗ ଦେଉ ନଥିବା ରୋକ୍‌ଠୋକ୍ ମନା କରିଦେଇଥିଲେ। ଏହାପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ଉତ୍ସବରେ ଯୋଗ ଦେବାକୁ ମନା କରିଦେଇଛନ୍ତି। କିନ୍ତୁ ଯେଉଁ ଦଳୀୟ ନେତାମାନଙ୍କୁ ଆସିବାକୁ ନିମନ୍ତ୍ରଣ କରାଯାଇଛି ସେମାନଙ୍କ ମଧ୍ୟରୁ ଅନେକ ଯୋଗ ଦେବେ କି ନାହିଁ ତା' ମଧ୍ୟ ନିଶ୍ଚିତ ହୋଇନାହିଁ। କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡ଼ଗେ ଏବଂ ସୋନିଆ ଗାନ୍ଧୀଙ୍କୁ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା ବେଳେ ରାହୁଲ କିମ୍ବା ପ୍ରିୟଙ୍କା ଭଦ୍ରାଙ୍କୁ ନିମନ୍ତ୍ରଣ ଦିଆଯାଇ ନଥିବା କୁହାଯାଉଛି। କିନ୍ତୁ ଖଡ଼ଗେ କିମ୍ବା ସୋନିଆ ଉତ୍ସବରେ ଯୋଗ ଦେବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି। କେବଳ ଏହି ଦୁଇ ନେତା ନୁହେଁ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଜେଡିୟୁ ସୁପ୍ରିମୋ ନୀତୀଶ କୁମାର,ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ବହୁ ନିମନ୍ତ୍ରିତ ନେତା ଏହି ଉତ୍ସବକୁ ଆସିବେ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି।

ନେତାଙ୍କ ଆସିବା ଏବଂ ନ ଆସିବା ପଛରେ ଭୋଟ ବ୍ୟାଙ୍କ କାରଣ ମୁଖ୍ୟ ହୋଇ ରହିଥିବା କୁହାଯାଉଛି।ବହୁ ମୁସଲମାନ ପକ୍ଷ ରାମ ମନ୍ଦିର ପ୍ରତିଷ୍ଠାକୁ ବିରୋଧ କରୁଥିବା ବେଳେ ଏହାକୁ ନେଇ 'ଇଣ୍ଡିଆ' ମେଣ୍ଟର ବହୁ ନେତା ଏହି ଉତ୍ସବକୁ ନ ଆସିବାକୁ ଉତ୍ତମ ମଣୁଛନ୍ତି ବୋଲି କୁହାଯାଉଛି। ବିଶେଷକରି ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖୀ ତୁଷ୍ଟୀକରଣ ରାଜନୀତିକୁ ବିରୋଧୀ ନେତାମାନେ ଜୋର ଦେଉଥିବାରୁ ଦେଶର ଏଭଳି ଏକ ଭବ୍ୟ ଉତ୍ସବରେ ଉପସ୍ଥିତ ରହିବାର ସୁଯୋଗକୁ ମଧ୍ୟ ନେତାମାନେ ହାତଛଡ଼ା କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଗତକାଲି ସିପିଆଇ(ଏମ) ନେତା ସୀତାରାମ ୟେଚୁରୀ ଏବଂ ବ୍ରିନ୍ଦା କରାତ୍‌ ଏହି ଉତ୍ସବରେ ଯୋଗ ଦେଉ ନଥିବା ରୋକ୍‌ଠୋକ୍ ମନା କରିଦେଇଥିଲେ। ଏହାପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ଉତ୍ସବରେ ଯୋଗ ଦେବାକୁ ମନା କରିଦେଇଛନ୍ତି।