ପ୍ରଧାନମନ୍ତ୍ରୀଙ୍କୁ ବାଙ୍କୀର ଜଣେ ଛାତ୍ରୀଙ୍କ ପ୍ରଶ୍ନ
ପ୍ରଥମରୁ ବଡ଼ ଲକ୍ଷ୍ୟ ରଖି ଚାପ ନିଅନ୍ତୁ ନାହିଁ ବୋଲି ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର 'ପରୀକ୍ଷା ପେ' ଚର୍ଚ୍ଚା' କାର୍ଯ୍ୟକ୍ରମ ଜରିଆରେ ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଇଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରୀଛାତ୍ରଙ୍କୁ ସମ୍ବୋଧନ କରି କହିଛନ୍ତି, ନିଜ ପାଇଁ ଛୋଟ ଛୋଟ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ। ପ୍ରଥମରୁ ବଡ଼ ଲକ୍ଷ୍ୟ ରଖି ଚାପ ନିଅନ୍ତୁ ନାହିଁ ବୋଲି ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ କଟକ ବାଙ୍କୀର ଜଣେ ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ପରୀକ୍ଷା ହଲ୍ରେ କିପରି ଚାପମୁକ୍ତ ରହିହେବ ବୋଲି ରାଜଲକ୍ଷ୍ମୀ ଆଚାର୍ଯ୍ୟ ନାମକ ଏହି ଛାତ୍ରୀ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ। ଏହାର ଜବାବରେ ମୋଦି କହିଥିଲେ, ପରୀକ୍ଷା ଆରମ୍ଭ ପୂର୍ବରୁ ପାଖରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା ହୁଅନ୍ତୁ ଏବଂ ପରୀକ୍ଷା ହଲରେ ପ୍ରବେଶ ପରେ ନିଜ ଭିତରେ ହଜିଯାଆନ୍ତୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ 'ପରୀକ୍ଷା ପେ' ଚର୍ଚ୍ଚା'ର ସପ୍ତମ ସଂସ୍କରଣର ଆୟୋଜନ କରାଯାଉଛି। ଏହି ସଂସ୍କରଣ ପାଇଁ ମାଇଗଭ ପୋର୍ଟାଲରେ ୨.୨୬ କୋଟି ପଞ୍ଜିକରଣ ରେକର୍ଡ କରାଯାଇଛି। ଦେଶବ୍ୟାପୀ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ କେତେ ଉତ୍ସାହ ରହିଛି ତାହା ଏଥିରୁ ଦେଖିବାକୁ ମିଳିଛି।








