ଯୁବ ପିଢ଼ିଙ୍କ ଦାୟିତ୍ବରେ ସାମାଜିକ ପରିବର୍ତ୍ତନ ସମ୍ଭବ
ଯୁବ ପିଢ଼ିଙ୍କ ଦାୟିତ୍ବରେ ସାମାଜିକ ପରିବର୍ତ୍ତନ ସମ୍ଭବ।ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଯୁବ ପାଣିଙ୍କ ପାଇଁ ମାନବାଧିକାର ତାଲିମ୍ ଅନୁଷ୍ଠିତ

କନ୍ଧମାଳ ଆକ୍ସନଏଡ୍, ଭୁବନେଶ୍ୱର ସହାୟତାରେ ଅନ୍ତରଙ୍ଗ ଯୁବ ମହାସଂଘ କନ୍ଧମାଳ ପକ୍ଷରୁ ଆୟୋଜିତ ସ୍ବେଛାସେବୀ ଅନୁଷ୍ଠାନ ଜାଗୃତି, ଦାରିଙ୍ଗବାଡିଠାରେ ଦିନିକିଆ ମାନବିକ ଅଧିକାର ଓ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରତିରକ୍ଷା ତାଲିମ ଅନୁଷ୍ଠିତ ହୋଇଯାଇଛି।
କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରୁ ୪୦ ଜଣ ଯୁବ ମହାସଂଘର ସଦସ୍ୟ, ସଦସ୍ୟା ଓ ପ୍ରତିନିଧିଙ୍କୁ ନେଇ ଆୟୋଜିତ ତାଲିମରେ ଅତିଥି ଭାବେ ଜାଗୃତି ଅନୁଷ୍ଠାନର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଅନ୍ତରଙ୍ଗ ଯୁବ ମହାସଂଘର ସଭାପତି ଦିଲ୍ଲୀପ କୁମାର ସାହୁ ଓ ସମ୍ପାଦକ ହୃଷିକେଶ ପ୍ରଧାନ, ଅହିଂସା ବିଚାର ଟ୍ରଷ୍ଟି ଶ୍ରୀ ସୋମ ତାଲିମଦାତା ଭାବେ ଓ ବ୍ଲକ ସଂଯୋଜକ ଅକ୍ଷୟ କୁମାର ନାୟକ ଯୋଗ ଦେଇଥିଲେ।
ସାମାଜିକ ପରିବର୍ତ୍ତନରେ ଯୁବ ପିଢ଼ିଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସହ ଏହାର ନେତୃତ୍ୱ କେବଳ ଯୁବୋଷ୍ଠୀଙ୍କ ଦ୍ଵାରା ସମ୍ଭବ ହୋଇଥାଏ ଏବଂ ସାମାଜିକ, ଆର୍ଥିକ, ସ୍ୱାଭିମାନ ଓ ମାନବିକ ଅଧିକାର ପାଇଁ ଅହିଂସା ଆନ୍ଦୋଳନର ଆବଶ୍ୟକତା ରହିଛି ଏବଂ ଏହାର ସଦୁପଯୋଗ କରିଲେ ସାମାଜିକ ନ୍ୟାୟ ମିଳିବା ସମ୍ଭବ ବୋଲି ଅତିଥିମାନେ ବ୍ୟକ୍ତ କରିଥିଲେ। ତାଲିମ ଦାତା ଶ୍ରୀ ସୋମ ବିଭିନ୍ନ ଖେଳ, ଗୀତ ଓ କଥା ମାଧ୍ୟମରେ ଯୁବ ପ୍ରତିନିଧିଙ୍କୁ ସେମାନଙ୍କର ଦାୟିତ୍ଵ, କର୍ତ୍ତବ୍ୟ ଓ ମାନବିକ ଅଧିକାର ବିଷୟରେ ତାଲିମ ପ୍ରଦାନ କରିଥିଲେ। ଅଞ୍ଚଳ ତଥା ଜିଲ୍ଲାରେ ହେଉଥିବା ବିଭିନ୍ନ ସମସ୍ୟାକୁ ଚିହ୍ନଟ କରି ପ୍ରକାଶ କରିବା ସହିତ ଯୁବ ପ୍ରତିନିଧିମାନେ ଯୁବ ପିଢ଼ି ଓ ବିଭିନ୍ନତା ମଧ୍ୟରେ ଏକତା ସୃଷ୍ଟି କରିବା ସହିତ ସମାଜର ପରିବର୍ତ୍ତନ,ସାମାଜିକ ନ୍ୟାୟ ଓ ମାନବ ଅଧିକାର ପାଇଁ ନିଜର ଭବିଷ୍ୟତ ମୂଲ୍ୟାୟନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଅନ୍ତରଙ୍ଗର ସ୍ବେଛାସେବୀ ତଥା ଆକ୍ସନଏଡର ଗୋଷ୍ଠୀ ତାଲିମଦାତା ବିଷ୍ଣୁପ୍ରିୟା ପ୍ରଧାନ ପରିଚାଳନା କରିଥିବା ବେଳେ ସୁପ୍ରିୟା ନାୟକ,କୌଶଲ୍ୟା ସାହୁ, ଅକ୍ଷୟ କୁମାର ପରିଚ୍ଛା ଓ କୁଞ୍ଜବନ କହଁର ସହଯୋଗ କରିଥିଲେ।
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ