ପ୍ରତି ନିର୍ବାଚନ ମଣ୍ଡଳୀ ନେତାଙ୍କୁ ଭେଟିବେ ନବୀନ
ଏପଟେ ବିଜେଡିର ନୂଆ ଟିମ୍ ଘୋଷଣା ବିଳମ୍ବ ହୋଇ ଚାଲିଛି

କାହାକୁ ଭରସିବେ ନବୀନ । ବବି ପୁଣି କ୍ଷମତାକୁ ଫେରିବେ ନା ଆଉ କାହା କାନ୍ଧରେ ସଂଗଠନର ଭାର ଦେବେ ନବୀନ? ନା ନିଜେ ଅଣ୍ଟା ଭିଡ଼ି ମଇଦାନ ଖେଦିବେ । ପୂର୍ବଭଳି ଜଣେ ନେତାଙ୍କୁ ସଂଗଠନ ସୁପ୍ରିମୋ କରିବେ ନା କିଛି ପ୍ରମୁଖ ନେତାଙ୍କ ଭିତରେ ସଂଗଠନ ଭାର ବାଣ୍ଟିଦେବେ । କାହାକୁ ରଖିବେ, କାହାକୁ ଦୂରାଇବେ, ଏ ନେଇ ନବୀନଙ୍କ ଅଙ୍କକଷା ସରୁନି ।
ଏପଟେ ବିଜେଡିର ନୂଆ ଟିମ୍ ଘୋଷଣା ବିଳମ୍ବ ହୋଇ ଚାଲିଛି ।
ନିର୍ବାଚନ ପରାଜୟକୁ ଅଢ଼େଇ ମାସ ବିତିଗଲାଣି । ଆଉ ୮ ଦିନ ପରେ ତିନି ମାସ ହୋଇଯିବ । ଏପଟେ ରାଜ୍ୟ କମିଟି ଭଙ୍ଗ ହେବାର ଦେଢ଼ ମାସ ବିତିଗଲାଣି । କିନ୍ତୁ ଦଳର ରାଜ୍ୟସ୍ତରୀୟ ସାଂଗଠନିକ ନୂଆ କମିଟି ଘୋଷଣା ହୋଇପାରିନି । ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ମାତ୍ର ଏ କ୍ଷେତ୍ରରେ ଦଳର ସମନ୍ୱୟ କମିଟିର ସୁପାରିସକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି ନବୀନ । ଏହି ୧୫ଜଣିଆ ସମନ୍ୱୟ କମିଟି ଏବେ ଦଳରେ ସର୍ବେସର୍ବା । ଏ କମିଟି ହିଁ କାମଚଳା ସଂଗଠନ ଚଳାଇଛି ।
ସୂତ୍ର ଅନୁସାରେ ବିଜେଡିର ରାଜ୍ୟସ୍ତରୀୟ ନୂଆ ସାଂଗଠନିକ କମିଟି ଗଠନ ହେବାକୁ ଆହୁରି ମାସେରୁ ଅଧିକ ସମୟ ଲାଗିପାରେ । ଏହା ପୂର୍ବରୁ ନବୀନ ରାଜ୍ୟବ୍ୟାପୀ ସମସ୍ତ ନିର୍ବାଚନମଣ୍ଡଳୀର ନେତାମାନଙ୍କ ସହ ଆଲୋଚନା କରିବେ । ଆସନ୍ତା ୨/୩ ଦିନ ଭିତରେ ଏ ପ୍ରକ୍ରିୟା ଆରମ୍ଭ ହେବ । ପ୍ରତି ନିର୍ବାଚନମଣ୍ଡଳୀର ୮ରୁ ୧୦ଜଣ ନେତା ନବୀନଙ୍କୁ ଭେଟିବେ । ଏଥିମଧ୍ୟରେ ବିଜେଡି ବିଧାୟକ କିମ୍ବା ପରାଜିତ ପ୍ରାର୍ଥୀ ଓ ଆଗଧାଡ଼ିଆ ବରିଷ୍ଠ ନେତା ଓ କର୍ମୀ ରହିବେ । ସିଧାସଖଳ ନବୀନ ସେମାନଙ୍କ ସହ ଆଲୋଚନା କରିବେ ଓ ନିର୍ବାଚନମଣ୍ଡଳୀର ସ୍ଥିତି ବୁଝିବା ସହ ରାଜ୍ୟ ସଂଗଠନ ନେଇ ମତାମତ ଲୋଡ଼ିବେ । ଏ ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ତା’ପରେ ଅଧିକ ବିଶ୍ଳେଷଣ କରି ନବୀନ ରାଜ୍ୟସ୍ତରୀୟ କମିଟି ଗଢ଼ିବେ । ଏହି ଆଲୋଚନା କେମିତି ହେବ, କେଉଁ ନିର୍ବାଚନମଣ୍ଡଳୀରୁ କାହାକୁ ଡକାଯିବ, ତା’ର ପୂରା ଦାୟିତ୍ୱ ୧୫ଜଣିଆ ସମନ୍ୱୟ କମିଟିକୁ ଦାୟିତ୍ୱ ଦିଆଯାଇଛି ।
ଦଳକୁ ପୁଣି ଥରେ ଛିଡ଼ା କରାଇବା ପାଇଁ ବିଜେଡି ଏବେ ସକ୍ରିୟତା ଦେଖାଇଛି । ଆସନ୍ତା ସପ୍ତାହକ ଭିତରେ ଛାମୁଆ ସଂଗଠନର ରାଜ୍ୟ ସାଂଗଠନିକ ବୈଠକ ବସିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଶୁକ୍ରବାର ରାଜ୍ୟ ଛାତ୍ର ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ବୈଠକ ବସିପାରେ । ତା’ପରେ ଯୁବ ଓ ମହିଳା ସଂଗଠନର ରାଜ୍ୟସ୍ତରୀୟ ବୈଠକ ଶଙ୍ଖ ଭବନରେ ବସିବ । ବିଜେଡିର ରାଜ୍ୟସ୍ତରୀୟ କମିଟି ଗଠନ ପରେ ଛାମୁଆ ସଂଗଠନ ଓ ଜିଲ୍ଲା ସଂଗଠନରେ ବି ବଡ଼ ଧରଣର ପରିବର୍ତ୍ତନ ହେବ ।
୨୦୨୪ ନିର୍ବାଚନ ପରାଜୟ ବିଜେଡିକୁ ଶକ୍ତ ଧକ୍କା ଦେଇଛି । ଦଳ ଏମିତି ଭାବେ କ୍ଷମତାରୁ ହଟିଯିବ, ସେ କଥା ଆଗରୁ କେହି ଠଉରାଇ ପାରିନଥିଲେ । ପରାଜୟ ପରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ମନୋବଳ ଦୋହଲିଯାଇଛି । ପରାଜୟର କାରଣ ନେଇ ଦଳ ବାହାରେ ଦଳ ଭିତରେ ଢେର ଘଣ୍ଟାଚକଟା ହୋଇଛି । ଅନେକ ପୁରୁଣା ନେତା ପରାଜୟ ନେଇ କିଛି ହାତଗଣତି ନେତାଙ୍କୁ ଦାୟୀ କରିଛନ୍ତି । ଯେଉଁ ନେତା ଦଳର ରଣନୀତି, ପ୍ରଚାର ଓ ସଂଗଠନର ମଙ୍ଗ ଧରିଥିଲେ, ଖୋଲାଖୋଲି ଦଳୀୟ ନେତାମାନେ ନବୀନଙ୍କ ଆଗରେ ସେମାନଙ୍କ ବିରୋଧରେ ବର୍ଷିଥିବା ଖବର ମିଳିଛି । ଏ ଦିଗ ନେଇ ନବୀନ ବେଶ୍ ଗୁରୁତର ସହ ଚିନ୍ତନ କରୁଛନ୍ତି ।
ସୂତ୍ର ଅନୁସାରେ ନିର୍ବାଚନରେ ହାରିଥିବା ଓ ଜିତିଥିବା ପ୍ରଭାବଶାଳୀ କିଛି ବରିଷ୍ଠ ନେତାଙ୍କୁ ଆଗାମୀ କମିଟିରେ ନବୀନ ସ୍ଥାନ ଦେବେ ବୋଲି ଜଣାପଡ଼ିଛି । ପୂର୍ବଠାରୁ ନୂଆ କମିଟିର ଢାଞ୍ଚା ବି ସମ୍ପୂର୍ଣ୍ଣ ନୂଆ ରହିବ । କିଛି ପଦବୀ ଉଚ୍ଛେଦ ହୋଇପାରେ । ଯେଉଁ ନେତାମାନେ ପୂର୍ବ କମିଟିରେ ବଡ଼ ପଦପଦବୀରେ ରହି କେବଳ କ୍ଷମତା ଉପଭୋଗ କରୁଥିଲେ, ସେମାନଙ୍କ ପକ୍ଷ ଛେଦନ କରିବେ ନବୀନ । ମନଇଚ୍ଛା ଆମଦାନୀ ନେତାମାନଙ୍କୁ ଆଉ ରାଜ୍ୟ କମିଟିରେ ଥଇଥାନ କରାଯିବ ନାହିଁ ।