ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେସିଆର
ତେଲେଙ୍ଗାନାରେ ଚାଲିଲା ନାହିଁ କେସିଆରଙ୍କ ଯାଦୁ । ବିଆରଏସକୁ ଚକମା ଦେଇ ପୂର୍ଣ୍ଣ ବହୁମତ ଅଭିମୁଖେ କଂଗ୍ରେସ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେସିଆର
ହାଇଦ୍ରାବାଦ,୩।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ରାଜ୍ୟପାଳଙ୍କ ନିକଟକୁ ତାଙ୍କର ଇସ୍ତଫା ପଠାଇଛନ୍ତି। ବିଆରଏସ କାର୍ଯ୍ୟନିର୍ବାହୀ ସଭାପତି ରାମା ରାଓ ଏହି ସୂଚନା ଦେଇଛନ୍ତି।
ଏଥି ସହ ରାଜ ଭବନ ସୂଚନା ଦେଇଛନ୍ତି ଯେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ରାଜ ଭବନ ଜାରି କରିଥିବା ପ୍ରକାଶନରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ସରକାର ଗଠନ ପର୍ଯ୍ୟନ୍ତ ଏହି ପଦରେ ରହିବାକୁ କେସିଆରଙ୍କୁ ଅନୁରୋଧ କରାଯାଇଛି।
ତେଲେଙ୍ଗାନାରେ ଚାଲିଲା ନାହିଁ କେସିଆରଙ୍କ ଯାଦୁ । ବିଆରଏସକୁ ଚକମା ଦେଇ ପୂର୍ଣ୍ଣ ବହୁମତ ଅଭିମୁଖେ କଂଗ୍ରେସ
ତେଲେଙ୍ଗାନା କଂଗ୍ରେସରେ ଉତ୍ସବ । ବାଜା ବଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ମନାଉଛନ୍ତି ତେଲେଙ୍ଗାନା କଂଗ୍ରେସର ଦଳୀୟ ନେତା ଓ କର୍ମୀ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାସ୍ତାକୁ ବାହାରି ଖୁସି ମନାଉଛନ୍ତି କଂଗ୍ରେସ କର୍ମୀ ।
ହାଇଦ୍ରାବାଦରୁ ଆସୁଥିବା ଦୃଶ୍ୟ କହୁଛି, ଦୀର୍ଘ ୧୦ବର୍ଷ ହେଲାଣି ଏହି ଦିନକୁ ଯେମିତି ଅପେକ୍ଷା କରି ରହିଥିଲେ ତେଲେଙ୍ଗାନାର କଂଗ୍ରେସ ନେତା ଓ କର୍ମୀ । ଆଉ ଯେତେବେଳେ ଜନାଦେଶ କଂଗ୍ରେସ ସପକ୍ଷରେ ଯାଇଛି, ବହୁମତ ପାଇ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଛି, ସେହି ସମୟକୁ କେହି ହାତ ଛଡା କରିନାହାନ୍ତି । ୨୦୧୩ରେ ତେଲେଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ଗଠନ ହେବା ପରଠାରୁ ପ୍ରଥମ ଥର ପାଇଁ କଂଗ୍ରେସଦଳ ବିଜୟୀ ହୋଇଥିବାରୁ ସବୁଠି ଜୋଶ୍ ।
ତେଲେଙ୍ଗାନାରେ ସ୍ପଷ୍ଟ ବହୁମତ ମିଳିବା ପରେ ହାଇଦ୍ରାବାଦରେ ପହଁଚିଛନ୍ତି କଂଗ୍ରେସରେ ହେଭିୱେଟ୍ । ଆଉ ଆଗାମି ପଦକ୍ଷେପ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନିର୍ବାଚିତ ବିଧାୟକମାନଙ୍କୁ ଏକାଠି ରଖିବାକୁ ଯୋଜନା କରାଯାଇଥିବା ସୂଚନା ମିଳିଛି ।
ଗୋଟିଏ ପଟେ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସବ ଲାଗି ରହିଥିବାବେଳେ ଆଉ ଗୋଟିଏ ପଟେ ଖାଁ ଖାଁ ହୋଇଯାଇଛି ବିଆରଏସ କାର୍ଯ୍ୟାଳୟ । ସକାଳ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ଭିଡ ଲାଗିଥିଲା, ଏବେ ସେଠି କାହାର ଦେଖା ନାହିଁ । ସବୁବେଳେ ଗହଳି ରହୁଥିବା ବିଆରଏସ କାର୍ଯ୍ୟାଳୟର ଏହି ଦୃଶ୍ୟ କହୁଛି, କେସିଆରଙ୍କ ଦଳ, ଦଳର ନେତା ଓ କର୍ମୀଙ୍କ କେତେ ବଡ ଝଟକା ଲାଗିଛି ।
ରାଜସ୍ଥାନ ଓ ଛତିଶଗଡ କଂଗ୍ରେସ ହାତରୁ ଖସି ଯାଇଥିଲେ ବି ତେଲେଙ୍ଗାନା କଂଗ୍ରେସ ପାଇଁ ନୂଆ ସମ୍ଭାବନା ଆଣିଛି । ଦଳ ପୁଣି ଥରେ ପ୍ରତ୍ୟାବର୍ତନ କରିପାରିବ ବୋଲି ସଂକେତ ଦେଇଛି ।