ଆଜି ପବିତ୍ର ଜନ୍ମାଷ୍ଟମୀ
ନୀତିକାନ୍ତି ହେବା ପରେ ଠାକୁରଙ୍କ ବେଶ ଓ ଅଭିଷେକ କରାଯିବ । ରାତି ୧୨ଟା ପରେ ନନ୍ଦଲାଲାଙ୍କ ଜନ୍ମ ଉତ୍ସବ ପାଳନ କରାଯିବ ।

ଆସିବେ କଳା କହ୍ନେଇ । ଉତ୍ସବ ମୁଖର ଗାଁଠୁ ସହର । ସେଥିପାଇଁ ସଜେଇ ହୋଇଛି ମଠ, ମନ୍ଦିର । ସାରା ଜଗତ ଯେତେବେଳେ ନିଘୋଡ ନିଦରେ ଶୋଇଥିବ ସେତେବେଳେ ଜନ୍ମ ନେବେ ଯଶୋଦା ନନ୍ଦନ ।
କଂସରାଜାଙ୍କ ବନ୍ଦୀଶାଳା ବୃତ୍ତାନ୍ତରୁ ଆରମ୍ଭ ହୋଇ ଯମୁନା ନଈ ପାର ହେବା ସହ ମଥୁରାରେ ଶ୍ରୀକୃଷ୍ଣଙ୍କୁ ନେଇ ପହଞ୍ଚିବାର କଥାମୃତ ଭକ୍ତ ପାଠ କରି ନିଜକୁ ପବିତ୍ର କରିବେ ।
ଚାରିଆଡେ ରହିବ ଭକ୍ତିମୟ ପରିବେଶ । ପୂଜାପାଠ, ଭଜନ ଓ ନାମ ସଂକୀର୍ତ୍ତନରେ ଉଛୁଳିବ ଇସ୍କନ, ରାମମନ୍ଦିର ପରି ସହରର ଗଳି କନ୍ଦିରେ ଥିବା ମନ୍ଦିର । ମଙ୍ଗଳବାର ସକାଳୁ ଭକ୍ତଙ୍କ ଗହଣରେ ଝୁଲିବେ ନନ୍ଦଲାଲା । ମଠରୁ ମନ୍ଦିର ସବୁଆଡ ହେବ କୃଷ୍ଣମୟ । ସୋମବାର ଜନ୍ମାଷ୍ଟମୀ ଓ ମଙ୍ଗଳବାର ନନ୍ଦୋତ୍ସବ ପାଳନ କରାଯିବ ।
ନନ୍ଦୋତ୍ସବରେ କୃଷ୍ଣଙ୍କ ମହାଭିଷେକ
ନନ୍ଦଲାଲାଙ୍କ ପାଇଁ ଇସ୍କନ ମନ୍ଦିର ଉତ୍ସବ ମୁଖର ହୋଇଉଠିଛି । ଭକ୍ତଙ୍କ ଲାଗି ରାତି ୪ଟା ରୁ ମଙ୍ଗଳା ଆଳତି କରାଯିବ । ୭ଟା ୩୦ରେ ଦର୍ଶନ ଆଳତି ହେବ । ସକାଳେ ପୂଜାବିଧି ସରିବା ପରେ ଭକ୍ତ ଠାକୁରଙ୍କୁ ଦର୍ଶନ କରିବେ । ସକାଳ ୭ଟା ପାଖାପାଖି ଦର୍ଶନ ଆଳତି ଓ ଗୁରୁପୂଜା ହେବ । ସେହିପରି ସକାଳୁ ଭଜନ, କୀର୍ତ୍ତନ ଚାଲିବ । ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ରାତି ୮ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଚାଲିବ । ରାତି ୧୨ଟା ପରେ ମହାଭିଷେକ ହେବ । ବ୍ରତ କରିଥିବା ଭକ୍ତମାନେ ନନ୍ଦଲାଲା ଜନ୍ମ ହେବା ପରେ ବ୍ରତ ଭାଙ୍ଗିବେ । ସେମାନଙ୍କ ଲାଗି ଇସ୍କନ୍ ମନ୍ଦିର ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।
ରାମ ମନ୍ଦିରରେ ଧନିଆପଞ୍ଜୁରୀ ଭୋଗ
ଜନ୍ମାଷ୍ଟମୀ ରାମମନ୍ଦିର ପରିସରରେ ଧୁମ୍ଧାମ୍ରେ ପାଳନ କରାଯିବ । ମଙ୍ଗଳ ଆଳତି ପରେ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ଶୃଙ୍ଗାର କରାଯିବ । ସକାଳରୁ ରାତି ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିବେ । ସନ୍ଧ୍ୟାରୁ ରାତି ଯାଏ ଭକ୍ତ ମନ୍ଦିରରେ ସଂକୀର୍ତ୍ତନ କରିବେ । ରାତି ୧୧ଟାରେ ପହଡ଼ ପଡ଼ିବ ।
ନୀତିକାନ୍ତି ହେବା ପରେ ଠାକୁରଙ୍କ ବେଶ ଓ ଅଭିଷେକ କରାଯିବ । ରାତି ୧୨ଟା ପରେ ନନ୍ଦଲାଲାଙ୍କ ଜନ୍ମ ଉତ୍ସବ ପାଳନ କରାଯିବ । ଏହାପରେ ଭକ୍ତ ପ୍ରସାଦ ସେବନ କରି ଉପବାସ ଭଙ୍ଗ କରିବେ । ରାତିରେ ଫଳ ଭୋଗ ସହ ଧନିଆ ପଞ୍ଜୁରୀ ଭୋଗ (ଧନିଆକୁ ଗୁଣ୍ଡ କରି ହେଉଥିବା ଭୋଗ) ଲାଗି ହେବ । ମଙ୍ଗଳବାର ନନ୍ଦୋତ୍ସବରେ ମହିଳାମାନେ ଭଜନ ସଂକୀର୍ତ୍ତନ କରିବେ ।
ରାଧାମୋହନ ମନ୍ଦିରରେ ଲଉଡି ଖେଳ
ନୂଆପଲ୍ଲୀ ବେହେରା ସାହି ରାଧାମୋହନ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ଧୁମ୍ଧାମ୍ରେ ପାଳନ କରାଯିବ । ସୋମବାର ସକାଳୁ ଉତ୍ସବମୁଖର ହେବ ପରିବେଶ, ଚଳଚଞ୍ଚଳ ହେବ ମନ୍ଦିର ପରିବେଶ । ତା’ପରେ ବିଧି ଅନୁସାରେ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ ହେବ । ବେହେରା ସାହିରେ ପ୍ରାୟ ସମସ୍ତ ବ୍ୟକ୍ତି ଜନ୍ମାଷ୍ଟମୀରେ ବ୍ରତ ରଖିବେ । କୃଷ୍ଣ ଜନ୍ମ ହେବା ପରେ ପୁରାଣ ପଢ଼ା ହେବ । ଏହାପରେ ବ୍ରତଧାରୀମାନେ ନିଜ ବ୍ରତ ଭାଙ୍ଗିବେ । ମଙ୍ଗଳବାର ନନ୍ଦ ଉତ୍ସବ ପାଳନ କରାଯିବ । ଏହି ଅବସରରେ ଗୋପାଳ ଭାଇମାନେ ଲଉଡ଼ି ଖେଳିବେ ବୋଲି ରାଧାମୋହନ ଉନ୍ନୟନ କମିଟିର ସଭାପତି ନବ କିଶୋର ବେହେରା କହିଛନ୍ତି । ବେହେରା ସାହିର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପାଳନ ହେବା ସହ ଭକ୍ତଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।