ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍‌ ଆଜି: କାହାର କେତେ ଦମ୍‌

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍‌ ଆଜି: କାହାର କେତେ ଦମ୍‌

ଦିନିକିଆ ବିଶ୍ବକପ୍‌ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଥିଲା ବେଳେ ବୁଧବାର ଓ ଗୁରୁବାର ଦୁଇଟି ସେମିଫାଇନାଲ୍‌ ଖେଳାଯିବ। ଗତ ଦେଢ଼ ମାସ ଧରି ‌ଯାହା ଖେଳିଛନ୍ତି ଓ ଯାହା ଶିଖିଛନ୍ତି, ତାହାର ଅସଲ ପରୀକ୍ଷା ସେମିଫାଇନାଲ୍‌ରୁ ଆରମ୍ଭ ହେବ। ଗୋଟିଏ ବି ଭୁଲ୍‌, ଦଳଙ୍କୁ ଫାଇନାଲ୍‌ରୁ ବଞ୍ଚିତ କରିପାରେ।

ତେଣୁ ନିଜ ନିଜର ପୂର୍ବ ତ୍ରୁଟିକୁ ସୁଧାରି ସେମିଫାଇନା‌ଲ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସବୁ ଦଳ ଉଦ୍ୟମ କରିବେ। କେବଳ ଭାରତ ସବୁ ଲିଗ୍‌ ମ୍ୟାଚ୍‌ ଜିତି ମନୋବଳକୁ ଉଚ୍ଚ ରଖିଥିଲା ବେଳେ ଅନ୍ୟମାନେ ପରାଜୟର ସାମ୍ନା କରିଛନ୍ତି। ଭାରତର ପ୍ରତିଦ୍ବନ୍ଦ୍ବୀ ନ୍ୟୁଜିଲାଣ୍ଡ ୪ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଏହାବାଦ୍‌ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଦୁଇଟି ଲେଖାଏଁ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ତେଣୁ ହାରିବା ମ୍ୟାଚ୍‌ଗୁଡ଼ିକର ତ୍ରୁଟିକୁ ସୁଧାରିନେବା ଓ ପରବର୍ତ୍ତୀ ଆହ୍ବାନର ମୁକାବିଲା କରିବା ପ୍ରତ୍ୟେକଙ୍କ ଲକ୍ଷ୍ୟ ରହିଛି। ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ୍‌ ଲଢ଼େଇ ପୂର୍ବରୁ ସେମାନଙ୍କ ଶକ୍ତି, ଦୁର୍ବଳତା, ସୁଯୋଗ ଓ ଆହ୍ବାନ ଉପରେ ନଜର ପକାଇବା…।

ଭାରତର ଶକ୍ତି: ଭାରତର ଶକ୍ତି ବିଷୟରେ ଆଲୋଚନା କରିବା ସମୟରେ କୌଣସି ଗୋଟିଏ ଦିଗକୁ ବାଛିବା ଠିକ୍‌ ହେବନି। କାରଣ ଲିଗ୍‌ ପର୍ଯ୍ୟାୟରେ ଭାରତ ପ୍ରତ୍ୟେକ ବିଭାଗରେ ଉନ୍ନତମାନର ପ୍ରଦର୍ଶନ ଦେଇଛି। କିନ୍ତୁ ବ୍ୟାଟର୍‌ ଓ ବୋଲରଙ୍କ ମଧ୍ୟରେ ଯଦି ତୁଳନା କରାଯାଏ, ତାହେଲେ ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ମହମ୍ମଦ ସିରାଜଙ୍କୁ ନେଇ ଗଠିତ ଦ୍ରୁତ ବୋଲିଂ ବାହିନୀ ଭାରତୀୟ ଦଳକୁ ଯେଉଁ ଶକ୍ତି ପ୍ରଦାନ କରିଛି, ତାହା ଅନ୍ୟ କେଉଁ ଦଳ ପାଖରେ ଦେଖିବାକୁ ମିଳିନି। ଏହି ତିନିଜଣଙ୍କ ଆଗରେ ଅଧିକାଂଶ ଦଳ ପ୍ରଥମ ପାୱାରପ୍ଲେରେ ୫୦ ରନ୍‌ ପାଖରେ ପହଞ୍ଚିବାକୁ ସଂଘର୍ଷ କରିଛନ୍ତି। ଯଦି ୱାଙ୍ଖଡ଼େରେ ଏହି ତିନିଜଣ ପୁଣି ଥରେ ସେମାନଙ୍କ ପୂର୍ବ ପ୍ରଦର୍ଶନ ଜାରି ରଖନ୍ତି, ତାହେଲେ ଭାରତକୁ ଫାଇନାଲ୍‌ରେ ପହଞ୍ଚିବାରେ ବିଶେଷ ଅସୁବିଧା ହୋଇ ନପାରେ।

ଦୁର୍ବଳତା: ଭାରତୀୟ ଦଳର ପ୍ରଦର୍ଶନ ଯେଭଳି ରହିଛି, ଏହାର ଦୁର୍ବଳତା ସାମ୍ନାକୁ ଆସିପାରୁନି। ତଥାପି ହାର୍ଦିକ ପାଣ୍ଡ୍ୟାଙ୍କ ଆହତ ପରେ ଭାରତ ୫ ବୋଲରଙ୍କୁ ନେଇ ଖେଳିଆସୁଛି। ଉପରୋକ୍ତ ତିନି ଦ୍ରୁତ ବୋଲରଙ୍କ ସହ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ସ୍ପିନ ବିଭାଗ ସମ୍ଭାଳୁଛନ୍ତି। ଏଭଳି ସ୍ଥିତିରେ ଯଦି କୌଣସି ବୋଲର ବ୍ୟୟବହୁଳ ସାବ୍ୟସ୍ତ ‌ହୁଅନ୍ତି, ତାହେଲେ ରୋହିତ ଶର୍ମାଙ୍କ ପାଖରେ ଷଷ୍ଠ ବୋଲରଙ୍କ ବିକଳ୍ପ ନାହିଁ। ଯଦିଓ ନେଦରଲାଣ୍ଡ୍‌ସ ବିପକ୍ଷରେ ରୋହିତ ଓ ବିରାଟ କୋହଲି ବୋଲିଂ କରି ୱିକେଟ୍‌ ପାଇଛନ୍ତି, କିନ୍ତୁ ସେମିଫାଇନାଲ୍‌ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ସେମାନେ ଏଭଳି କରିବା ବୋକାମି ହୋଇପାରେ।

ସୁଯୋଗ: ନ୍ୟୁଜିଲାଣ୍ଡ ବିଶ୍ବକପ୍‌ରେ ଯେଉଁଭଳି ଅଭିଯାନ ଆରମ୍ଭ କରିଥିଲା, ମଧ୍ୟଭାଗ ବେଳକୁ ସେମିଫାଇନାଲ୍‌ରେ ପହଞ୍ଚିବାକୁ ସଂଘର୍ଷ କରିଥିଲା। ଲଗାତାର ୪ ମ୍ୟାଚ୍‌ରେ ବଡ଼ବଡ଼ ଦଳଙ୍କଠୁ ପରାସ୍ତ ହେବା ପରେ ସେମିରେ ପହଞ୍ଚିବାକୁ ଶ୍ରୀଲଙ୍କା ବିଜୟ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ଭାରତୀୟ ଦଳ ଏହି ପରିସ୍ଥିତି ବିଷୟରେ ଭଲ ଭାବେ ଜାଣିଛି। ନ୍ୟୁଜିଲାଣ୍ଡର ଆତ୍ମବିଶ୍ବାସ କମିଯାଇଥିଲା ବେଳେ ରୋହିତଙ୍କ ସେନା ଏହାର ଭରପୂର ଫାଇଦା ଉଠାଇବାକୁ ଚେଷ୍ଟା କରିବେ। ଲିଗ୍‌ ପର୍ଯ୍ୟାୟରେ ଭାରତ ହିଁ ନ୍ୟୁଜିଲାଣ୍ଡର ବିଜୟଧାରାକୁ ରୋକିଥିଲା। ତେଣୁ ଏଠାରେ ମଧ୍ୟ ସମାନ ପ୍ରଦର୍ଶନ ଦୋହରାଇ ‌ଫାଇନାଲ୍‌ ଟିକେଟ୍‌ ପାଇବାକୁ ଚେଷ୍ଟା କରିବ ଭାରତ।

ଆହ୍ବାନ: ୱାଙ୍ଖଡ଼େର ସନ୍ଧ୍ୟା ବେଳର ପ୍ରଥମାର୍ଦ୍ଧ ‌ଦ୍ରୁତ ବୋଲରଙ୍କୁ ଭଲ ସହାୟତା ଦେବ। ଏଠାରେ ଶ୍ରୀଲଙ୍କାକୁ ଭାରତୀୟ ଦ୍ରୁତ ବୋଲର ଏକତରଫା କରି ହରାଇଥିଲା ବେଳେ ଅଷ୍ଟ୍ରେଲିଆକୁ ଆଫଗାନ ବୋଲରମାନେ ନାକେଦମ୍‌ କରିଥିଲେ। ଯଦି ବୁଧବାର ଭାରତକୁ ପଛରେ ବ୍ୟାଟିଂ କରିବାକୁ ପଡ଼େ, ତାହେଲେ ଶୀର୍ଷ କ୍ରମଙ୍କୁ ଟ୍ରେଣ୍ଟ ବୋଲ୍ଟ, ଟିମ ସାଉଦି ଓ ଲୋକି ଫର୍ଗୁସନଙ୍କ ସୁଇଂକୁ ମୁକାବିଲା କରିବାକୁ ଅଧିକ ଶକ୍ତିର ଆବଶ୍ୟକତା ରହିବ।