ସରିଲା ଗଣତି, ମିଳିଲା ୩୦୫ କୋଟି
୫ ଦିନ ପରେ ସରିଲା ଟଙ୍କା ଗଣତି, ମେସିନ ସହ ବାହାରିଲେ ବ୍ୟାଙ୍କ କର୍ମଚାରୀ, ମିଳିଲା ୩୦୫ କୋଟି
ବଲାଙ୍ଗିର: ଟେବୁଲ ଉପରେ ଗଦା ହୋଇଛି କ୍ୟାସ । ଗଣି ଗଣି ବ୍ଯାଙ୍କ ଷ୍ଟାଫ ହାଲିଆ। ଆଇଟିରେଡରୁ ଜବତ ହୋଇଥିବା ଟଙ୍କା କେମିତି ଗଣତି ଚାଲିଛି ତାହାର ବିରଳ ଦୃଶ୍ୟ ସାମନାକୁ ଆସିଛି । ସତେ ଯେମିତି ଭୋଟ ଗଣାଚାଲିଛି। ଶେଷରେ ବହୁ କଷ୍ଟରେ ୫ ଦିନ ପରେ ଗଣତି ଶେଷ ହୋଇଛି। ଗଣତି କାମରେ ୫୦ରୁ ୬୦ ଷ୍ଟାଫ ଲାଗିପଡ଼ିଥିଲେ।। ଗଣି ଗଣି ବେଦମ ହୋଇ ଯାଇଥିଲେ। ବ୍ୟାଙ୍କ ଷ୍ଟାଫ କହୁଛନ୍ତି ପୂର୍ବରୁ ତ ଟଙ୍କା ଦେଖିଥିଲେ ଏତେ ଏକାଥରେ ଦେଖିନଥିଲେ। ସେଥିରେ ପୁଣି ୧୦ ଟଙ୍କିଆରୁ ଆରମ୍ଭ କରି ୫ଶହ ଟଙ୍କିଆ ସବୁ ଧରଣ ନୋଟ ଅଛି। ଗଣି ଗଣି ତଣ୍ଟି ଶୁଖି ଗଲାଣି। ହେଲେ ଟଙ୍କାର ଏ ପାହାଡ଼ ଶେଷ ହେଉନି। ଏ ହେଉଛି ସାହୁ ବ୍ରଦର୍ସଙ୍କ ମଦ ସାମ୍ରାଜ୍ୟରୁ ଜବତ ହୋଇଥିବା ଟଙ୍କାର ଆକାର। ରାଜ୍ୟର ସବୁଠାରୁ ବଡ଼ ଆଇଟି ରେଡ ଆଜି ବି ଜାରି ରହିଥିବା ବେଳେ ଗାଏ ମୋଟ କେତେ ଟଙ୍କା ଜବତ ହୋଇଛି।

କଥା ଯାଇ ପଲ୍ଲୀ ରୁ ଦିଲ୍ଲୀରେ ହୁରି ପଡ଼ିଲାଣି । କୋଟି କୋଟି ଟଙ୍କାର ଗଣତି ସରୁନାହିଁ କି ହିସାବ ମିଳୁନାହିଁ। ବଲାଙ୍ଗୀରରେ ସାହୁ ସାମ୍ରାଜ୍ୟ ଉପରେ ଆୟକର ଚଢାଉ ଆଜି ପଞ୍ଚମ ଦିନରେ ଜାରି ରହିଛି। ସେପଟେ ବଲାଙ୍ଗିର ଏସବିଆଇ ମୁଖ୍ୟ ଶାଖାରେ ଚାଲିଥିବା ଗଣତି ଶେଷ ହୋଇଛି। ଲଗାତାର ୫ ଦିନ ପରେ ଆଜି ଗଣତି ସରିଛି। ଗଣତି ସରିବା ପରେ ମେସିନ ସହ ବାହାରିଲେ ବ୍ୟାଙ୍କ କର୍ମଚାରୀ। ୫୦ କର୍ମଚାରୀ ଓ ୨୫ ମେସିନ ଦ୍ଵାରା ଗଣତି ଶେଷ ହୋଇଛି। ଗଣତିରେ ପ୍ରାୟ ୩୦୫ କୋଟି ଟଙ୍କା ମିଳିଥିବା କହିଛନ୍ତି ବଲାଙ୍ଗିର ଏସବିଆଇର ଆରଏମ ଭଗତ ବେହେରା।

ଟଙ୍କା ଗଣତିରେ ୫୦ରୁ ୬୦ ବ୍ୟାଙ୍କ କର୍ମଚାରୀ ନୋଟ ଗଣିବାରେ ନିୟୋଜିତ ହୋଇଥିଲେ। ୨୫ ରୁ ଅଧିକ ନୋଟ ଗଣିବା ମେସିନ କାମରେ ଲାଗିଥିଲା। ଯଦି କୌଣସି ମେସିନର ଖରାପ ହୁଏ ତେବେ ତୁରନ୍ତ ଟେକନିସିଆନ ସଜାଡୁଥିଲେ। ନୋଟ ଗଣିବାରେ ଦୁଇଟି ମେସିନ ଖରାପ ହୋଇଥିଲା ଯାହା ଟେକନିସିଆନ ମାନେ ସଜାଡିଥିଲେ। ତେବେ ଏତେ ଟଙ୍କା ଏକା ଥରକେ ଦେଖି ଟଙ୍କା ଗଣିବାରେ ନିୟୋଜିତ ଥିବା ବ୍ୟାଙ୍କ କର୍ମଚାରୀ ଆବାକ ହୋଇଯାଇଛନ୍ତି।

ଟଙ୍କା ଗଣା ସରିବା ପରେ ସୁନାରୁପା ଅଳଙ୍କାର ବି ଅଛି। ସେସବୁ ଓଜନ ହେବ। ତେବେ ଏତେ ଟଙ୍କା ଆସିଲା କେଉଠୁ। ସୁଧପଡା ଦେଶି ମଦ ଭାଟି ମ୍ୟାନେଜର ବଣ୍ଟି ସାହୁ ଏବଂ ମଦଭାଟିର ଆଉ ଜଣେ କର୍ମଚାରୀଙ୍କୁ ଜେରା କରିବା ସହ ତାଙ୍କ ସମ୍ମୁଖରେ ଟଙ୍କା ଗଣତି ଚାଲିଛି । ବଣ୍ଟି ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ଦେଶି ମଦ ଭାଟିରୁ ଟଙ୍କା ଗଣତି ସ୍ଥାନକୁ ନିଆଯାଇଥିଲା। ଉଭୟଙ୍କୁ ଜେରା କରିଛନ୍ତି ଆୟକର ବିଭାଗ ଅଧିକାରୀ । ଦେଶି ମଦ ଭାଟିରେ ଆଇଟି ଟିମ୍ ଟିଖିନିଖି ତଦନ୍ତ ଚଳାଇଛି। ଟଙ୍କା ଗଣା ସରିବା ପରେ ରାଜ୍ୟର ଆଉକିଛି ମଦ କାରବାର ରେ ସାମିଲ ଲୋକଙ୍କୁ ତଦନ୍ତ ପରିସରଭୁତ ହୋଇପାରନ୍ତି ଏଭଳି ଚର୍ଚ୍ଚା ହେଉଛି । ସେପଟେ ମାମଲାରେ ଇଡି ପ୍ରବେଶ କରିବାର ରାସ୍ତା ଫିଟୁଛି।









