ହୀରାକୁଦ ନଦୀବନ୍ଧ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ହୀରାକୁଦ ନଦୀବନ୍ଧ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍, ଲିଫ୍ଟ ଭିତରୁ ଉଠିଲା ଫଟୋ ।

ହୀରାକୁଦ ନଦୀବନ୍ଧ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍, ଲିଫ୍ଟ ଭିତରୁ ଉଠିଲା ଫଟୋ । ଅପରେସନ ଗ୍ୟାଲେରୀକୁ ଅନଅଧିକୃତ ବ୍ୟକ୍ତି ଗଲେ କେମିତି ଏବଂ ଏହାର ଫଟୋ, ଭିଡିଓ କରିବାକୁ କିଏ ଦେଲା ଅନୁମତି ସେ ନେଇ ଏବେ ଉଠୁଛି ପ୍ରଶ୍ନ ।
ଶୃଙ୍ଖଳିତ ହେଉ ନାହାନ୍ତି ଲୋକେ । ମନ ଇଚ୍ଛା ଉଠାଉଛନ୍ତି ଫଟୋ, କରୁଛନ୍ତି ଭିଡିଓ । ଏଭଳି ଅମାନୁଷିକ କାଣ୍ଡ ହୋଇଛି ହୀରାକୁଦ ଡ୍ୟାମ୍ରେ । ହୀରାକୁଦ ନଦୀବନ୍ଧର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡିବା ସହ ବାହାର ବ୍ଯକ୍ତି ବିଶେଷ ଅପରେସନ ଗ୍ଯାଲେରୀ ଭିତରକୁ ପଶି ଲିଫ୍ଟ ଭିତରେ ଫଟୋ ପୋଜ୍ ଦେଇଥିବା ଭିଡିଓ ଉତ୍ତୋଳନ କରାଯାଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ୍ କରାଯାଇଛି । ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି ।
ଏହି ଭିଡିଓରେ ଗେଟ୍ ଖୋଲିବା ସମୟର ସବୁ ପ୍ରକାର ସୁରକ୍ଷା ବ୍ଯବସ୍ଥାକୁ ମାଟିରେ ମିଶାଇ ଦେଇଛନ୍ତି ଅନଧିକୃତ ବ୍ଯକ୍ତି । କେବଳ ଭିତରକୁ ଯାଇ ନାହାନ୍ତି ବରଂ ଲିଫ୍ଟ ଉପରେ ଚଢି ଭିଡିଓ ଏବଂ ଫଟୋ ପୋଜ ଦେଇଛନ୍ତି । କର୍ମଚାରୀଙ୍କ ସହିତ ମହିଳା ମାନେ ଅପରେସନ ଗ୍ଯାଲେରୀ ଭିତରକୁ ଯାଇ ଲିଫ୍ଟରେ ଚଢିଥିବା ଭିଡିଓରେ ଦେଖିବାକୁ ମିଳୁଛି । ସମ୍ବଲପୁର ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଡ୍ଯାମ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଭିଡିଓ କରାଯାଇଛି ।
ନିୟମାନୁଯାୟୀ, ହୀରାକୁଦ ନଦୀବନ୍ଧ ଏକ ନୋ ଫ୍ଲାଇଙ୍ଗ ଜୋନ୍ । ଅର୍ଥାତ ଏହି ନଦୀବନ୍ଧ ଉପରେ କୌଣସି ଉଡାଯାହାଜ ବା ଡ୍ରୋନ୍ ଭଳି ଜିନିଷ ଉଡିବାକୁ ଅନୁମତି ଦିଆଯାଇ ନାହିଁ । କିନ୍ତୁ ଏସବୁ ନିୟମକୁ ପାଣି ଭସାଇ ଦେଇଛନ୍ତି କିଛି ଦୁର୍ବୃତ୍ତ । ନୋ ଫ୍ଲାଇଙ୍ଗ ଜୋନ୍ରେ ବେଧଡକ୍ ହୋଇ ଉଡାଉଛନ୍ତି ଡ୍ରୋନ୍ ।