ସ୍ଵପ୍ନ ହେଲା ସାକାର , ୨୦ ବର୍ଷ ତଳର ଶ୍ରେଷ୍ଠ ପ୍ରତିଯୋଗୀ ଆଜି ହେଲେ ଡାକ୍ତର
‘ନବୀନ’ ପ୍ରେରଣାରେ ନବୀନ ଡାକ୍ତର, ୨୦ ବର୍ଷ ତଳେ ଦେଇଥିଲେ ପୁରସ୍କାର, ଆଜି ଦେବେ ନିଯୁକ୍ତି

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଅବସରରେ ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇ ୨୦ ବର୍ଷ ପୂର୍ବେ ବାରବାଟି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ନବୀନ କୁମାର ପରିଡ଼ା। ଏବେ ୨୦ ବର୍ଷ ପରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ହାତରୁ ମେଡ଼ିକାଲ ଅଫିସର ନିଯୁକ୍ତିପତ୍ର ନେବେ ସେଦିନର ସେଇ ସାନ ପିଲା ଓ ଆଜିର ଡାକ୍ତର ନବୀନ କୁମାର ପରିଡ଼ା। ସ୍କୁଲରେ ଶିକ୍ଷାଲାଭ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହାତରୁ ଲଗାତାର ୨୦୦୨ ଓ ୨୦୦୩ରେ ପୁରସ୍କାର ପାଇ ଡା. ପରିଡ଼ା ଆଗକୁ ବଢ଼ିବା ପାଇଁ ପ୍ରେରଣା ପାଇଥିଲେ। ପାରିବାରିକ ଅଭାବ ଅନଟନ, ବାପାଙ୍କ ଅସୁସ୍ଥତାରେ ଭାଙ୍ଗି ନ ପଡ଼ି ନିଜର ଯାତ୍ରା ଜାରି ରଖିଥିଲେ। ସ୍କୁଲ ଶିକ୍ଷା ସାରିବା ପରେ +୨ ଓ ପରେ ଏମ୍କେସିଜି ମେଡିକାଲ କଲେଜରୁ ଏମ୍ବିବିଏସ୍ ପାଠ ଶେଷ କରିଥିଲେ। ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ମେଡିକାଲ୍ ଅଫିସର ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇ ସେ ସଫଳତା ହାସଲ କରିଛନ୍ତି ଓ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ମେଡିକାଲ୍ ଅଫିସରଙ୍କ ପାଇଁ ଆୟୋଜିତ ହେବାକୁ ଥିବା ଦିଗଦର୍ଶନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କଠାରୁ ନିଯୁକ୍ତି ପତ୍ର ନେବାକୁ ଅପେକ୍ଷା କରିଛନ୍ତି ।
ନିଜ ଜୀବନର ଯାତ୍ରା ସମ୍ପର୍କରେ ସୂଚନା ଦେଇ ନବୀନ କହିଛନ୍ତି ଯେ ସେ ତାଙ୍କ ପିଲାଦିନ କେନ୍ଦ୍ରାପଡ଼ାର ଏକ ମଫସଲ ଗ୍ରାମରେ ଅତିବାହିତ କରିଛି। ସପ୍ତମ ବୋର୍ଡ ପରୀକ୍ଷାରେ ଜିଲ୍ଲା ଟପ୍ପର ହେବା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ଓ ବିଜୁ ବାବୁ ପଢ଼ିଥିବା ରେଭେନ୍ସା କଲେଜିଏଟ୍ ସ୍କୁଲରେ ପଢିବା ପାଇଁ କଟକ ଆସିଥିଲେ। ମାତ୍ର ଏହି ସମୟରେ ସେ ଅନେକ ବାଧାବିଘ୍ନ ଦେଇ ଗତି କରିଥିଲେ। ପାରିବାରିକ ଆର୍ଥିକ ସ୍ଥିତି ସେତେ ଭଲ ନ ଥିଲା। ବାପାଙ୍କ ଅସୁସ୍ଥତା ତାଙ୍କ ଶିକ୍ଷା କ୍ଷେତ୍ରରେ ବାଧକ ହୋଇଥିଲା। ମାତ୍ର ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ନେବା ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରେରିତ ହୋଇଥିଲେ। ତାଙ୍କ ନାମ ସହ ନିଜ ନାମର ସମାନତା ତାଙ୍କୁ ଅଧିକ ଉତ୍ସାହିତ କରିଥିଲା। ସରକାରୀ ସ୍କୁଲରେ ପାଠ ଶେଷ ପରେ ଯୁକ୍ତ ଦୁଇ ଓ ପରେ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜରୁ ଏମ୍ବିବିଏସ୍ ଡ଼ିଗ୍ରୀ ହାସଲ କରିବାକୁ ସକ୍ଷମ ହୋଇଛନ୍ତି ବୋଲି ଡ଼. ପରିଡ଼ା କହିଛନ୍ତି ।
ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଏକକାଳୀନ ୨୫୦୦ରୁ ଅଧିକ ଡାକ୍ତର ନିଯୁକ୍ତି ପାଉଛନ୍ତି। ଜୁନ୍ ମାସରେ ୧୨୦୦ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ଗୋଟିଏ ବର୍ଷରେ ୩୫୦୦ରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦେଇ ଓଡ଼ିଶା ସରକାର ରେକର୍ଡ ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି। ସେଇ ଡାକ୍ତର ମାନଙ୍କ ମଧ୍ୟରୁ ସେ ଜଣେ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ନବୀନଙ୍କ ସାନ ଭାଇ ମଧ୍ୟ ଏନସିସି କ୍ୟାଡେଟ୍ ଭାବେ ମୁଖ୍ୟମନ୍ତ୍ରୀଙ୍କ ହାତରୁ ପୁରସ୍କାର ପାଇବା ସହ ଚଳିତ ବର୍ଷ ସେ ରାଜ୍ୟ ସରକାରଙ୍କ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି।